ଭୁବନେଶ୍ବର: ମତ୍ସ୍ୟଜୀବୀଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସହାୟତା ପ୍ରଦାନ । ଅଲିଭ ରିଡଲେ କଇଁଛର ସୁରକ୍ଷା ପାଇଁ ମାଛଧରା ଉପରେ କଟକଣା ଫଳରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ରାଜ୍ୟ ଯୋଜନାରେ ଜୀବିକା ସହାୟତା ପ୍ରଦାନ କରାଯାଇଛି । କୃଷି ଭବନରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଡିବିଟି ମାଧ୍ୟମରେ ଏହି ସହାୟତା ପ୍ରଦାନ କରିଛନ୍ତି । ଏହା ଦ୍ୱାରା ୧୫୦୩୭ ପ୍ରଭାବିତ ମତ୍ସ୍ୟଜୀବୀ ପରିବାର ଉପକୃତ ହୋଇଛନ୍ତି । ଏଥିରେ ଜଗତସିଂହପୁରର ୪୨୩, କେନ୍ଦ୍ରାପଡାର ୬୭୭୩, ପୁରୀର ୩୪୫୦, ଗଞ୍ଜାମର ୩୬୩୮ ଏବଂ ବାଲେଶ୍ୱରର ୭୫୩ ମତ୍ସ୍ୟଜୀବୀ ପରିବାର ସାମିଲ ରହିଛନ୍ତି । ପରିବାର ପିଛା ୧୫୦୦୦ ଟଙ୍କା ହିସାବରେ ସମୁଦାୟ 22 କୋଟି 55 ଲକ୍ଷ 55 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନ ଓ ଦୃଢ଼ ନେତୃତ୍ୱ ବଳରେ ରାଜ୍ୟ ମତ୍ସ୍ୟଚାଷ କ୍ଷେତ୍ରରେ ଏକ ନୂତନ ଶିଖରରେ ପହଞ୍ଚିଛି । ଓଡ଼ିଶାରୁ ଉତ୍ପାଦିତ ସାମୁଦ୍ରିକ ମାଛ, ଚିଙ୍ଗୁଡ଼ି ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟର ଚାହିଦା ବିଦେଶରେ ଅଧିକ ଥିବା ଦୃଷ୍ଟିରୁ ଓଡ଼ିଶାର ଉପକୂଳରୁ ଅଧିକ ମାଛ ଉତ୍ପାଦନର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଓଡ଼ିଶା ସମୁଦ୍ର ଉପକୂଳରେ ୨୨ ହଜାରରୁ ଉର୍ଦ୍ଧ୍ବ ମାଛଧରା ଡଙ୍ଗା ମଧ୍ୟରେ ୧୭୪୧ ଟ୍ରଲର, ୧୨ ହଜାର ୨୫୦ ଯନ୍ତ୍ର ଚାଳିତ ଡଙ୍ଗା ଓ ୮୧୬୭ ମାନବ ଚାଳିତ ଡଙ୍ଗା ରହିଛି । ରାଜ୍ୟରେ ପ୍ରାୟ ୧୬ ଲକ୍ଷ ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀଙ୍କ ମଧ୍ୟରୁ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧ୍ବ । ଓଡ଼ିଶା ଉପକୂଳରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ଅଣ୍ଡାଦାନ ପ୍ରତି ରାଜ୍ୟ ସରକାରଙ୍କ ଯେତିକି ସଚେତନ, ଅନୁରୂପ ଭାବରେ ମାଛଧରା କଟକଣା ଯୋଗୁଁ ପ୍ରଭାବିତ ମତ୍ସ୍ୟଜୀବୀମାନଙ୍କ ଜୀବିକା ଓ କଲ୍ୟାଣ ପ୍ରତି ସେତିକି ପ୍ରତିବଦ୍ଧ ।
ସେପଟେ ମନ୍ତ୍ରୀଙ୍କ ସହ ଭିସି ଜରିଆରେ ଆଲୋଚନା ସମୟରେ ସରକାରଙ୍କ ପକ୍ଷରୁ ଜୀବିକା ସହାୟତା ରାଶି ୭୫୦୦ ଟଙ୍କାରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବାରୁ ମତ୍ସ୍ୟଜୀବୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ବେଳାଭୂମି ଭାରତର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଉପକୂଳବର୍ତ୍ତୀ ରାଜ୍ୟ ମଧ୍ୟରୁ ଅନ୍ୟତମ । ଓଡ଼ିଶାର ସାମୁଦ୍ରିକ ଉପକୂଳ ବିରଳ ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ । ପ୍ରତିବର୍ଷ ହଜାର ହଜାର ମାଇଲ ଦୂରରୁ ଓଡ଼ିଶା ଉପକୂଳକୁ ସେମାନେ ଅଣ୍ଡାଦାନ ପାଇଁ ଆସିଥାନ୍ତି । ସେମାନଙ୍କ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବା ପାଇଁ ଗଞ୍ଜାମର ଋଷିକୁଲ୍ୟା ନଦୀ ମୁହାଣ, ଭଦ୍ରକର ଧାମରା ନଦୀ ମୁହାଣ, ପୁରୀ ଓ ଜଗତସିଂପୁରର ଦେବୀ ନଦୀ ମୁହାଣ ଅଞ୍ଚଳରେ ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷ ସାରା ମାଛଧରା କଟକଣା ଲାଗୁ କରାଯାଇଥାଏ । ସେଥିପାଇଁ ଉକ୍ତ ପ୍ରଭାବିତ ଅଞ୍ଚଳର ମତ୍ସ୍ୟଜୀବୀ ପରିବାରଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ଯୋଜନା 'ମାଛଧାରା ନିଷେଧ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା' ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ଜେଟି ସମସ୍ୟା ଭାଙ୍ଗୁଛି ମତ୍ସ୍ୟଜୀବୀଙ୍କ ସ୍ବପ୍ନ, ପେଟପାଟଣା ପାଇଁ ସାଜୁଛି ଦାଦନ
ତେବେ ୨୦୧୬-୧୭ ଆର୍ଥିକ ବର୍ଷରୁ ଏହି ଯୋଜନା ପ୍ରଚଳନ କରାଯାଇଛି । ରାଜ୍ୟ ସରକାର ବିଭିନ୍ନ ସମୟରେ ମତ୍ସ୍ୟଜୀବୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ଆର୍ଥିକ ସହାୟତାକୁ ସମୟକ୍ରମେ ବୃଦ୍ଧି କରିଛନ୍ତି । ୨୦୧୭-୧୮ରେ ଏହି ସହାୟତାର ପରିମାଣକୁ ୭୫୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତବର୍ଷ ସହାୟତା ରାଶିର ପରିମାଣ ଦ୍ୱିଗୁଣିତ କରି ୧୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ପ୍ରଥମ କରି ଏଥିରେ ଭଦ୍ରକ ଜିଲ୍ଲାର ୭୫୩ ପ୍ରଭାବିତ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ ରାଜ୍ୟ ସରକାରଙ୍କ ଯୋଜନା ମାଛଧରା ନିଷେଧ ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବିକା ସହାୟତାର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଛନ୍ତି । ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ (କୋଷ୍ଟାଲ) ମୁରଲୀଧର ଜେନା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଯୋଗ ଦେଇଥିବାବେଳେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ମତ୍ସ୍ୟଜୀବୀ ଭିସି ଜରିଆରେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର