ରାଇରଙ୍ଗପୁର: କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ । ଦୁଇ ଦଫା ଦାବି ନେଇ ଆଜିଠାରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଆଗ୍ନିକ ଗାଡିଚାଳକ ଏବଂ ଡ୍ରାଇଭର ହାବିଲଦାର ମାନେ ସାମିଲ ହୋଇଛନ୍ତି । ସେମାନଙ୍କର ମୁଖ୍ୟ ଦୁଇ ଦଫା ଦାବି ରହିଛି ।
ପ୍ରଥମତଃ ଦରମାରେ ଥିବା ଅସଙ୍ଗତି ଦୂର କରିବା ଅର୍ଥାତ ପୂର୍ବ ପରି ପୋଲିସ ସହ ସମାନ ଦରମା ଓ ଭତ୍ତା ପ୍ରଦାନ, ଦ୍ବିତୀୟରେ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ମାନଙ୍କ ସଂଘର ସରକାରୀ ପଞ୍ଜିକରଣ କରାଯିବା । ସୂଚନାଯୋଗ୍ୟ ଯେ, ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ମାନଙ୍କର ୧୩ ଗୋଟି (ପଦବୀ) ସ୍ତରରୁ ୧୧ ଗୋଟି ସ୍ତରରେ ଓଡ଼ିଶା ପୋଲିସ୍ କର୍ମଚାରୀମାନଙ୍କ ଭଳି ସମାନ ଦରମା ଥିବା ସ୍ଥଳେ ୨ ଗୋଟି ସ୍ତରର କର୍ମଚାରୀ ମାନେ ନିଜର ଲେବଲରେ କମ୍ ଏବଂ ଦରମାରେ କମ୍ ପାଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଯେଉଁଥି ପାଇଁ ଗତ ୨୦୨୩ ମସିହା ଡ଼ିସେମ୍ବର ମାସ ୧୧ ତାରିଖ ଠାରୁ ସରକାରୀ କାର୍ଯ୍ୟ କରିବା ସହ ଅନିର୍ଦ୍ଧିଷ୍ଟ କାଳପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିଥିଲେ । ଏଥି ସହିତ ଚଳିତ ବର୍ଷ ଜାନୁୟାରୀ ୨୨ ତାରିଖ ଠାରୁ କର୍ମଚାରୀ ମାନେ ସପରିବାର ସହ ଏକ ବେଳା ଖାଦ୍ୟଗ୍ରହଣ କରି ଓ ଏକ ବେଳା ଉପବାସ ରହି ସରକାରୀ କାର୍ଯ୍ୟ କରିବା ପରେ ମଧ୍ୟ ସରକାରୀ ସ୍ତରରୁ କୌଣସି ଆଶ୍ବାସନା ମିଳି ପାରିନାହିଁ ।
ଏହା ମଧ୍ୟ ପଢନ୍ତୁ...୬ ଦଫା ଦାବି ନେଇ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ, ଲୋକ ହନ୍ତସନ୍ତ
ଫଳରେ କର୍ମଚାରୀ ମାନଙ୍କର ଅସନ୍ତୋଷ କୁ ପରିପ୍ରକାଶ କରିବାପାଇଁ ଆଜିଠାରୁ କର୍ମଚାରୀ ମାନେ ସରକାରୀ କାର୍ଯ୍ୟରେ ଯୋଗଦାନ ନ କରିବା ପାଇଁ ଦୃଢ ନିଷ୍ପତି ନେଇଛନ୍ତି । ତେବେ ୨୦୧୦ ମସିହା ପର୍ଯ୍ୟନ୍ତ ସମାନ ଦରମା ଓ ସମାନ ଭତ୍ତା ପାଇ ଆସୁଥିବା ଅଗ୍ନିଶମ ହାବିଲଦାର (ମୁଖ୍ୟ ଆଗ୍ନିକ) ଏବଂ ଆଗ୍ନିକ କର୍ମଚାରୀ ମାନେ ରାଜ୍ୟ ସରକାରଙ୍କ ନିକଟରେ ନିଜର ହକ୍ ପ୍ରାପ୍ୟକୁ ପାଇବା ପାଇଁ ଦୀର୍ଘ ବର୍ଷରୁ ବାରମ୍ବାର ନିବେଦନ କରି ଆସୁଥିଲେ ମଧ୍ୟ ତାହା ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି । ଫଳରେ ବାଧ୍ୟ ହୋଇ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଓହ୍ଲାଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ତେବେ ଉକ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଜନସାଧାରଣଙ୍କର ଯେଉଁ ଅପୁରଣୀୟ କ୍ଷତି ହେବ ସେଥିପାଇଁ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି କହିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ।
ଇଟିଭି ଭାରତ, ମୟୂରଭଞ୍ଜ