ଭୁବନେଶ୍ବର: ରାଜ୍ୟରେ ବଢୁଛି ତାତି, ଅନୁଭବ ହେଉଛି ଅସହାୟ ଗରମ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ଦିନରେ ରାଜ୍ୟରେ ୩୯ ଡ଼ିଗ୍ରୀ ଅତିକ୍ରମ କଲା ସର୍ବୋଚ୍ଚ ଦିନ ତାପମାତ୍ରା । ଆଜି ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ ସହ ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଥିବା ବେଳେ ଭବାନୀପାଟଣାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯. ୪ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଛି ।ବର୍ତ୍ତମାନ ରାଜ୍ୟରେ ଖରା ଓ ଗରମ ଲାଗି ରହିଥିବା ବେଳେ ତାପମାତ୍ରା ବୃଦ୍ଧି ପାଉଛି ।
ମେଘୁଆ ପାଗ ଥିଲେ ହିଁ ଖରା ଓ ଗରମ ଅନୁଭୂତ ହେଉଛି । କାରଣ କିଛି ସ୍ଥାନରେ କାଁଭାଁ ବର୍ଷା ହେଉଥିବା ବେଳେ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଅଧିକା ରହିଛି । ଆଗାମୀ ଦୁଇ ଦିନ ଯାଏ ଏଭଳି ୨ ରୁ ତିନି ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ପୂର୍ବାନୁମାନ କରିଛି । ସେହିପରି ଆଜି ରାଜ୍ୟରେ ଟାଇଁ ଟାଇଁ ଖରା ଗୁଳୁଗୁଳି ସହ କିଛି ଅଞ୍ଚଳରେ ମେଘୁଆ ଦେଖିବାକୁ ମିଳିଛି । ସମୁଦ୍ର ପତନ ଉପରେ ଏକ ଟ୍ରପ ଲାଇନ ରହୁଥିବାରୁ ରାଜ୍ୟରେ ଏଭଳି ପାଗ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ୨୪ ଘଣ୍ଟାରେ ରାଜ୍ୟର କେତେକ ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି । ସେହିପରି ଓଡ଼ିଶାର କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି, ରାୟଗଡା ,କୋରାପୁଟ, ବୌଦ୍ଧରେ ଏହାର ପ୍ରଭାବ ରହିବ ।
ଏହା ମଧ୍ୟ ପଢନ୍ତୁ .....ସିଝିବ ସାରା ଓଡିଶା, ରାଜ୍ୟରେ ୩ଦିନ ଯାଏଁ ଅସହ୍ୟ ତାତି
ସେହିପରି ଆସନ୍ତାକାଲି ଓ ୧୫ ତାରିଖରେ କିଛି ସ୍ଥାନରେ ହାଲୁକା ବର୍ଷା ହେବାକୁ ଥିବାବେଳେ ୧୬ ତାରିଖ ବେଳକୁ ରାଜ୍ୟରେ ଏକ ପଶ୍ଚିମା ଝଡର ସମ୍ଭାବନା ରହିଛି । ଏହାର ପ୍ରଭାରେ ପୁରା ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଝାରସୁଗୁଡ଼ା,କେନ୍ଦୁଝର,ମୟୁରଭଞ୍ଜ ଓ ସୁନ୍ଦରଗଡ ଏହି ୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷାକୁ ନେଇ ହଳଦିଆ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଗତ 24 ଘଣ୍ଟାରେ ଖରା ସହ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା ଭଦ୍ରକ ଚାନ୍ଦବାଲିରେ ୩.୦ ମିମି ରେକର୍ଡ ହୋଇଛି । ସେହିପରି ପାରଳାଖେମୁଣ୍ଡିରେ ୩୮.୪ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 37.0 ଓ କଟକରେ ୩୬.2 ଡିଗ୍ରୀ ସେଲ୍ସିୟସ ତାପମାତ୍ରା ରେକର୍ଡ ହୋଇଛି ।
ଇଟିଭି ଭାରତ ,ଭୁବନେଶ୍ବର