ଭୁବନେଶ୍ବର: ବିଭାଗୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ । ଆଜି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଭୁବନେଶ୍ୱର ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ବା ଓକାକ ପ୍ରଥମ ମହଲା ବୈଠକ ଗୃହରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମନ୍ତ୍ରୀ ବରିଷ୍ଠ ବିଭାଗୀୟ ଅଧିକାରୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । ପର୍ଯ୍ୟାୟକ୍ରମେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।

ସର୍ବ ପ୍ରଥମେ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ପୁଷ୍ପ ଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇଛନ୍ତି । ସରକାରୀ ସେବା ଗୁଡ଼ିକୁ ବୈଷୟିକ ରୂପାନ୍ତରୀକରଣ ମାଧ୍ୟମରେ ଜନସାଧାରଣଙ୍କ ପାଖକୁ ପହଞ୍ଚାଇବା କ୍ଷେତ୍ରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ଭୂମିକା ବିଷୟରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନରେ ପରିଚାଳିତ ନିର୍ଦ୍ଦେଶାଳୟ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର ବା ଓକାକ, ଓଡ଼ିଆ ଭର୍ଚୁଆଲ ଏକାଡେମୀ, ଆଇଆଇଆଇଟି ଭୁବନେଶ୍ୱର ଏବଂ ଓକେସିଏଲର ଭୂମିକା ବିଷୟରେ ମନ୍ତ୍ରୀଙ୍କୁ ତଥ୍ୟ ପ୍ରଦାନ କରାଯାଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବିଷୟ ଓଡ଼ିଶା ଷ୍ଟେଟ ଡାଟା ସେଣ୍ଟର, ଓଡ଼ିଶା ଷ୍ଟେଟ ଓ୍ୱାଇଡ ଏରିଆ ନେଟଓ୍ୱାର୍କ, ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର, ଓଡ଼ିଶା ସଚିବାଳୟ ଆଇଟି ସେଣ୍ଟର, ଭାରତ ନେଟ, ଓଡ଼ିଶା ଷ୍ଟେଟ ଓ୍ୱାର୍କଫ୍ଲୋ ଅଟୋମେସନ ସିଷ୍ଟମ ବା ଓସ୍ୱାସ, ଓଡ଼ିଶା ଓ୍ୱାନ ପୋର୍ଟାଲ, ଇ-ଡେସପାଚ, ସିଏମ ଡ୍ୟାସବୋର୍ଡ, ସ୍ୟାମସ, ଇ-ଡିଷ୍ଟ୍ରିକ୍ଟ ଏବଂ ଆଧାର ଏନରୋଲମେଣ୍ଟ ଆଦି ଅନେକ ବୈଷୟିକ ଆପ୍ଲିକେସନ ବିଷୟରେ ମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ.. ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ - HOME AND URBAN DEPARTMENT
ମନ୍ତ୍ରୀ ନୂତନ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସରକାର ନିଜ ସଂକଳ୍ପ ପତ୍ର ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟର ସମୃଦ୍ଧି ନିମନ୍ତେ ଲୋକାଭିମୁଖୀ ପଦକ୍ଷେପ ଗ୍ରହଣ କରିବ । ଆମ ସରକାର ସାଧାରଣ ଲୋକଙ୍କ ସରକାର । ତେଣୁ ସାଧାରଣ ଲୋକ କିପରି ଭାବେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ସୁବିଧା ପାଇପାରିବେ, ସେଥିପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ପ୍ରାଧାନ୍ୟ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ତୃଣମୂଳସ୍ତରରେ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ରାଜ୍ୟରେ କିପରି ଭାବେ ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଗଢ଼ି ଉଠିବ ସେଦିଗ ପ୍ରତି ଧ୍ୟାନ ଦିଆଯିବ । ନିବେଶକମାନେ ଆମ ରାଜ୍ୟରେ ନିବେଶ ନିମନ୍ତେ ଆଗ୍ରହ ପ୍ରକାଶ କରିବେ, ସେଥିପ୍ରତି ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଛନ୍ତି ।

ଓଡ଼ିଆ ଭର୍ଚୁଆଲ ଏକାଡେମୀକୁ ଆହୁରି ଲୋକାଦୃତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ । ଅଧିକରୁ ଅଧିକ କର୍ମଶାଳା, ସମ୍ମିଳନୀ, ବୈଠକ ଏବଂ ଭିସି ଜରିଆରେ ସାହିତ୍ୟ ଚର୍ଚ୍ଚା ଆଦିକୁ ପ୍ରାଧାନ୍ୟ ଦିଆଯିବ । ଏହା ସହ ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ମୋବାଇଲ ନେଟଓ୍ୱାର୍କ ଏବଂ ଇଣ୍ଟରନେଟ ସୁବିଧାକୁ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ମନ୍ତ୍ରୀ ଉପସ୍ଥିତ ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହିତ ଇ-ଗଭର୍ନାନ୍ସ ମାଧ୍ୟମରେ ତୃଣମୂଳସ୍ତରରେ ଜନସାଧାରଣଙ୍କୁ ଉତ୍କୃଷ୍ଟ ଜନସେବା ପ୍ରଦାନ କରିବା ନିମନ୍ତେ ଆହ୍ୱାନ ଦେଇଛନ୍ତି । ବୈଠକରେ ଓକାକର ସିଇଓ ତଥା ଅତିରିକ୍ତ ଶାସନ ସଚିବ ମନୋଜ ପଟ୍ଟନାୟକ, ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ଓକାକର ମହାପ୍ରବନ୍ଧକ ମଧୁମିତା ରଥ, ଅତିରିକ୍ତ ଶାସନ ସଚିବ ଆଦିତ୍ୟ ମହାପାତ୍ର, ଯୁଗ୍ମ ସଚିବ ଜୟନ୍ତୀ ଦେଈ ଏବଂ ବିଭାଗର ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର