ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ରାଜ୍ୟରେ ଜୋର ଧରିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଏହି କ୍ରମରେ ରାଜ୍ୟ କଂଗ୍ରେସ ଭବନରେ ପ୍ରେସ୍ମିଟ୍ କରି କେନ୍ଦ୍ରରେ ଥିବା ବିଜେପି ସରକାର ଉପରେ ବର୍ଷିଛି କଂଗ୍ରେସ । ୨୦୧୪ରୁ ଅମୃତକାଳ ଚାଲିଥିବା ଦାବି କରୁଛି ବିଜେପି । ଏହି ଅମୃତକାଳ ଭିତରେ ବିଶ୍ବରେ ଭାରତର ସ୍ଥାନ କେଉଁଠି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଏହା ଅମୃତକାଳ ନା ବିଷ କାଳ କହି ସମାଲୋଚନା କରିଛନ୍ତି ଦଳୀୟ ମୁଖପାତ୍ର ରଜନୀ ମହାନ୍ତି । ବିଭିନ୍ନ ସୂଚକାଙ୍କ ତୁଳନାତ୍ମକ ବର୍ଣ୍ଣନା କରିବା ସହ ବିଶ୍ବରେ ଭାରତର ସ୍ଥାନ କେଉଁଠି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, "୨୦୧୪ରେ ୫୫.୮୩ ଲକ୍ଷ କୋଟି ଋଣ ଥିଲା । ଏବେ ଏହି ଋଣ ଆସି ୨୦୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଯଦି ଦେଶରେ ବିକାଶ ଘଟିଛି, ତାହେଲେ ଏତେ ଋଣ କାହିଁକି ବଢିଛି ? ମାନବ ସମ୍ବଳ ବିକାଶ କ୍ଷେତ୍ରରେ ମଧ୍ୟ ଦେଶ ପଛରେ । ଏଥିପାଇଁ ଚିନ୍ତା କରାଯାଇନାହିଁ । ମାନବ ସମ୍ବଳ ବିକାଶ କ୍ଷେତ୍ରରେ ୨୦୧୪ରେ ଭାରତ ବିଶ୍ବରେ ୧୦୦ତମ ସ୍ଥାନରେ ଥିଲା । ଏବେ ୧୧୬ତମ ସ୍ଥାନରେ ପହଞ୍ଚିଛି । 'ହଙ୍ଗର୍ ଇନଡେସ୍କ'ରେ ୨୦୧୪ରେ ୫୫ ସ୍ଥାନରେ ଥିଲେ, ହେଲେ ଏବେ ୧୧୭ ସ୍ଥାନରେ ପହଞ୍ଚିଛେ । ଦେଶରେ ସ୍ବାଧିନତା କେତେ ଉପଭୋଗ କରୁଛନ୍ତି ଜନସାଧାରଣ ? ୨୦୧୪ରେ ଏଥିରେ ୧୦୬ତମ ସ୍ଥାନରେ ଥିଲେ, ଏବେ ୧୧୯ତମ ସ୍ଥାନରେ ପହଞ୍ଚିଛେ । ଜେଣ୍ଡର ଇକ୍ବାଲିଟିରେ ୨୦୧୪ରେ ଆମେ ୧୧୪ରେ ଥିଲେ, ଏବେ ୧୨୭ରେ ପହଞ୍ଚିଛେ । କଂଗ୍ରେସ ସମୟରେ ପ୍ରେସ ଫ୍ରିଡ୍ ଥିଲା । ସାରା ବିଶ୍ବରେ ଗଣମାଧ୍ୟମକୁ ସ୍ବାଧିନତା ଦେବାରେ ଭାରତ ୨୦୧୪ରେ ୧୪୧ତମ ସ୍ଥାନରେ ଥିଲେ । ଏବେ ୧୬୧ତମ ସ୍ଥାନରେ ପହଞ୍ଚିଛେ ।" ସେହିଭଳି ୩୩ଟି ସୈନିକ ସ୍କୁଲକୁ ଘରୋଇକରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ନବୀନ ସରକାର ହେଉଛି ମହାକାଳ ଫଳ: କଂଗ୍ରେସ - congress targets bjd
ସେ ଆହୁରି କହିଛନ୍ତି, "୨୦୨୨-୨୩ରେ ଗହମ ଉତ୍ପାଦନ ହେଲା ୧୧୦୫.୫୪ ଲକ୍ଷ ଟନ । ହେଲେ MSP ଆକାରରେ ୧୮୮ ଲକ୍ଷ ଟନ୍ କିଣାଗଲା । ୨୦୨୨-୨୩ ମସିହାରେ ୩୭୬ ଲକ୍ଷ ଟନ ତୈଳବୀଜ ଉତ୍ପାଦନ କରାଯାଇଥିଲା । ହେଲେ ୪୮ ହଜାର ଟନ MSPରେ କିଣିଲେ । ପ୍ରତିବର୍ଷ ୭୦-୮୦ ଲକ୍ଷ ଯୁବକ ଚାକିରୀ ଖୋଜୁଛନ୍ତି । ୨୦୨୩-୨୪ ମସିହାରେ ୧୨ଟି IITର ଛାତ୍ରଙ୍କୁ ଚାକିରୀ ଦେଇପାରିଲେ ନାହିଁ । ୨୧ଟି IIMର ଛାତ୍ର ତାଙ୍କର 'ସମରି କୋର୍ସ' ସମାପ୍ତ କରିପାରିଲେନି । ୧୦ ବର୍ଷ ଭିତରେ ୫୭% ଯୁବକ ମାନଙ୍କ ପାଇଁ ରୋଜଗାର ସୁଯୋଗ ହୋଇପାରିନାହିଁ । ଶିକ୍ଷିତ ଯୁବକ ମାନେ ବେରୋଜଗାର ହୋଇ ବୁଲୁଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର