ବୌଦ୍ଧ: କନ୍ଧମାଳ ଲୋକସଭା ଆସନର 2ଟି ବୁଥରେ ଆରମ୍ଭ ହୋଇଛି ସାନି ମତଦାନ । କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ଦେଉଛନ୍ତି ମତଦାତା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମହେଶ୍ବର ପିଣ୍ଡା ବୁଥ ନମ୍ବର 26 ଓ କିରାସିରା ବୁଥ ନମ୍ବର 28 ରେ ଆଜି ପୁନଃ ମତଦାନ ଅନୁଷ୍ଠିତ ହୋଇଛି । ଗତ ସୋମବାର ଦିନ ଉଭୟ ବୁଥରେ ହିଂସା ଯୋଗୁଁ ମଦଦାନ ପ୍ରଭାବିତ ହୋଇଥିଲା । ଆଜି ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 4ଟାରେ ଶେଷ ହେବ ।
ଗତ ମେ' 20ରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ରହିଥିଲା । ବୌଦ୍ଧ ଜିଲ୍ଲାର ବୁଥ ନମ୍ବର 26 ଓ 28 ଉତ୍ତେଜନା ଓ ଗଣ୍ଡଗୋଳ ହୋଇଥିଲା । ଏଣୁ ନିର୍ବାଚନ ଆୟୋଗ ଏଠାରେ ସାନି ମତଦାନ ପାଇଁ ନିଷ୍ପତ୍ତି ନେବା ସହ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ରୂପେ ନିଯୁକ୍ତ କରିଥିଲେ। ବୁଥ ଦ୍ବୟରେ ଉତ୍ତେଜନା ଓ ଗଣ୍ଡଗୋଳ ହୋଇଥିଲା । ପ୍ରଶାସନର ତୃଟିପୂର୍ଣ୍ଣ ପରିଚାଳନା ଯୋଗୁଁ ଏହି ଦୁଇ ବୁଥରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା ।
ବିଶେଷ ଭାବରେ ନିର୍ବାଚନ ପରିଚାଳନା କ୍ଷେତ୍ରରେ ବ୍ୟାପକ ତୃଟିକୁ ନେଇ ମହେଶ୍ବର ପିଣ୍ଡା ବୁଥକୁ ଅଧାରୁ ବନ୍ଦ କରିବା ଘଟଣାକୁ ନେଇ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଯାହା ପରେ ଉଗ୍ରରୂପ ଧାରଣ କରିଥିଲା । ସେହିଦିନ ସଂଧ୍ୟାରେ ସୁରକ୍ଷା ବାହିନୀ ଓ ମତଦାତାଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ହେବା ସହିତ ଏଥିରେ ଅନେକ ଜଣ ଆହତ ସୋଇଥିଲେ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୁକ୍ତ ମହେଶ୍ବର ପିଣ୍ଡା ଓ କିରାସିରା ବୁଥ ରେ ଗୁରୁବାର ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆଜି ସକାଳ କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟ ମତଦାନ କେନ୍ଦ୍ର ରେ ଭୋଟର ମାନେ ମତ ଅଧିକାର କୁ ସାବ୍ୟସ୍ତ କରୁଛନ୍ତି । ଦୁଇ ବୁଥ ରେ ଭୋଟର ଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇଦେବା ସହିତ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି । ସୋମବାର ପ୍ରଶାସନ ଯଦି ମତଦାନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଥାନ୍ତେ ତେବେ ଏହି ଦୁଇ ବୁଥ ରେ ପୁନଃ ମତଦାନ ର ଆବଶ୍ୟକତା ହୋଇ ନଥାନ୍ତା ବୋଲି ଭୋଟର ମାନେ ମତ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ବୌଦ୍ଧ