ଭୁବନେଶ୍ବର: ବଜେଟରେ ମୋହନ ସରକାରଙ୍କ ବଡ଼ ଘୋଷଣା । ୩,୫୦୦ ଟଙ୍କାକୁ ବଢିଲା ମାସିକ ସାମାଜିକ ସୁରକ୍ଷା ଭତ୍ତା । ବଜେଟ୍ରେ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧାଙ୍କୁ ମାସିକ ୩ ହଜାର ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳିବ । ସେହିପରି ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ମଧ୍ୟ ଭତ୍ତା ୩ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମୋହନ ମାଝୀ ସରକାର ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ସାମାଜିକ ସୁରକ୍ଷା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି ।
ମହିଳା ସଶକ୍ତିକରଣ ଓ ସାମାଜିକ ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ବର୍ଷ ତୁଳନାରେ ପ୍ରାୟ ୩ ଗୁଣା ଅଧିକ ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ପାଇଁ ₹୧୭,୯୪୨ କୋଟି (୧୮୮% ଅଧିକ) ଓ ସାମାଜିକ ସୁରକ୍ଷା ପାଇଁ ₹୨୨,୮୪୪ କୋଟି (୨୦୨% ଅଧିକ) ବ୍ୟୟବରାଦ କରାଯାଇଛି। #PeoplesBudget #ବିକଶିତଓଡ଼ିଶାବିକଶିତଭାରତ pic.twitter.com/hiVVdsKhAg
— CMO Odisha (@CMO_Odisha) July 25, 2024
ନିର୍ବାଚନ ପୂର୍ବରୁ ବିଜେପି ନିଜ ନିର୍ବାଚନୀ ପ୍ରତିଶ୍ରୁତିରେ ଭତ୍ତା ବୃଦ୍ଧି ପାଇଁ କହିଥିଲା । ଗତକାଲି (ଗୁରୁବାର) ବିଧାନସଭାରେ ଉପସ୍ଥାପିତ ୨୦୨୪-୨୫ ବଜେଟରେ ସାମାଜିକ କଲ୍ୟାଣ ଯୋଜନା ବାବଦ ଭତ୍ତା ନିମନ୍ତେ ୭ ହଜାର ୬୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ମୋହନ ସରକାର । ଏଥିସହିତ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, କିନ୍ନର, ଭିକ୍ଷୁକ ଓ ଦୁର୍ବଳ ଗୋଷ୍ଠୀମାନଙ୍କ ଆବାସିକ ସହାୟତାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସଦର ମହକୁମାରେ ସମନ୍ବିତ ଭିତ୍ତିଭୂମି କମ୍ଲେକ୍ସ ପ୍ରତିଷ୍ଠା ହେବ । ବୃଦ୍ଧାଶ୍ରମର ରକ୍ଷଣାବେକ୍ଷଣ ଲାଗି ୧୦୦ କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତାବ ରଖିଛନ୍ତି । ଭିନ୍ନକ୍ଷମଙ୍କ ପାଇଁ ୩୦୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ବନ୍ଦ ହେଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବଦଳିଲା ‘କାଳିଆ’ - Odisha Budget 2024
ଏହାସହିତ ବଜେଟରେ ମହିଳା, ଶିଶୁ, କୃଷକ କଲ୍ୟାଣକୁ ଅଧିକ ଫୋକସ୍ କରାଯାଇଛି । ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ଘୋଷଣା ହୋଇଛି । ଏହି ଯୋଜନା ପାଇଁ ୧୧୬୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପାଇଁ ୧୭ହଜାର ୯୪୨ କୋଟି ବ୍ୟୟବରାଦ ହୋଇଛି । ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୧୦ ହଜାର କୋଟି ଖର୍ଚ୍ଚ କରାଯିବ । ଏହି ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଏକ ଭାଉଚର ପ୍ରଦାନ କରାଯିବ ।
କୃଷକଙ୍କ ଉନ୍ନତି ପାଇଁ ସମୃଦ୍ଧ କୃଷକ ଯୋଜନାରେ ୫ ହଜାର କୋଟି ଖର୍ଚ୍ଚ ହେବ । ଏଥିସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଚାଷୀଙ୍କ ଠାରୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ଯାହାଦ୍ବାରା ଚାଷୀମାନେ ପୂର୍ବାପେକ୍ଷା ଅଧିକ ୮୦୦ ଟଙ୍କା ପାଇବେ ।
ଇଟିଭି ଭାରତ, ଭୁବନେଶ୍ବର