ଭୁବନେଶ୍ବର: ଶିଶୁଭବନରୁ ହଟିବ ପୋଷଣ ପୁନର୍ବାସ କେନ୍ଦ୍ର । ଶିଶୁଙ୍କ ପାଇଁ ନିର୍ମାଣ ହେବ ହସ୍ପିଟାଲ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଶିଶୁଭବନରେ କାର୍ଯ୍ୟକ୍ଷମ ରହିଛି ପୋଷଣ ପୁନର୍ବାସ କେନ୍ଦ୍ର । ଏହାକୁ ହଟାଇବା ପାଇଁ ସାଧାରଣ ପ୍ରଶାସନ ବିଭାଗକୁ ଅବଗତ କରାଯାଇଛି । ତେବେ ଶିଶୁଭବନ ବିଲ୍ଡିଂ ଥିବା ସ୍ଥାନରେ ଶିଶୁମାନଙ୍କ ପାଇଁ ଏକ ହସ୍ପିଟାଲ ନିର୍ମାଣ କରାଯିବ । ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଦେବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଏହି ହସ୍ପିଟାଲ ନିର୍ମାଣ ପାଇଁ ପ୍ଲାନ୍ ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି ।
ସୂଚନା ଅନୁଯାୟୀ, ରାଜ୍ୟ ସରକାର ନବଜାତ ଶିଶୁଙ୍କ ଯତ୍ନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଶିଶୁମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟରେ ଉପଲବ୍ଧତା ସେବା ଯୋଗାଇ ଦିଆଯାଉଛି । ରାଜ୍ୟରେ ୫୩୦ ନବଜାତ ଶିଶୁ ଯତ୍ନ କର୍ଣର (ଏନବିସିସି) କାର୍ଯ୍ୟକ୍ଷମ ଅଛି । ୪୯ଟି ନବଜାତ ଶିଶୁ ଷ୍ଟାବିଲାଇଜେଶନ କକ୍ଷ (ଏନବିଏସୟୁ) ରେ ୫୦୧୯ ନବଜାତକ ସଫଳତାର ସହିତ ଚିକିତ୍ସିତ ହୋଇଛନ୍ତି । ୪୪ଟି ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କେନ୍ଦ୍ର (ଏସଏନସିୟୁ) ରେ ୫୧୬୮୭ ନବଜାତକ ସଫଳତାର ସହିତ ଚିକିତ୍ସିତ ହୋଇଛନ୍ତି । ୭୬ଟି କଙ୍ଗାରୁ ମା ଯତ୍ନ କେନ୍ଦ୍ର (କେଏମସି) ରେ ୨୧,୧୮୯ ନବଜାତକ ଚିକିତ୍ସା ସେବା ପାଇଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ନବୀନ ନିବାସରେ ସରିଲା ବୈଠକ, ଦେବୀ କହିଲେ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଥିଲା
ନବଜାତ ଶିଶୁର ସ୍ବାସ୍ଥ୍ୟ ପ୍ରତି ବିପଦ ସଙ୍କେତ ହେଉଛି ମିନିଟକୁ ୬୦ ଥରରୁ ଅଧିକ ନିଃଶ୍ୱାସ ପ୍ରଶ୍ବାସ ନେବା, ବାତ୍ ମାରିବା, ନିସ୍ତେଜ ରହିବା, ନିଶ୍ୱାସପ୍ରଶ୍ୱାସ ନେବା ସମୟରେ ଛାତି ତଳଭାଗ ଭିତରକୁ ପଶିଯିବା, ମା’ କ୍ଷୀର ଖାଇ ନପାରିବା, ଜ୍ଵର ହେବା ଏବଂ ଦେହ ଥଣ୍ତା ଲାଗିବା ଆଦି ଲକ୍ଷଣ ଦେଖାଯାଇଥାଏ । ତେବେ ଏହି ସମସ୍ତ ଲକ୍ଷଣ ଦେଖାଦେଲେ ତୁରନ୍ତ ଆଶା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ କରି ଡାକ୍ତରଖାନାରେ ଡାକ୍ତରଙ୍କୁ ପରାମର୍ଶ ନେବାକୁ ଅନୁରୋଧ କରିଛି ସ୍ୱାସ୍ଥ୍ୟ ବିଭାଗ । ଏପଟେ ସରକାରୀ ହସ୍ପିଟାଲରେ ସମସ୍ତ ସେବା ବିନାମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥାଏ ।
ଇଟିଭି ଭାରତ, ଭୁବନେଶ୍ବର