ପୁରୀ: ଶ୍ରୀମନ୍ଦିରରେ ପୁଣି ଢିଲା ସୁରକ୍ଷା ବ୍ୟବସ୍ଥା । ଶ୍ରୀମନ୍ଦିର ଭିତରୁ ଉଦ୍ଧାର ହେଲେ ବିଦେଶୀ ପର୍ଯ୍ୟଟକ । ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ । ପଦାରେ ପଡ଼ିଲା ଶ୍ରୀମନ୍ଦିର ସୁରକ୍ଷାକର୍ମୀଙ୍କ ଅବହେଳା । ଗତ କିଛିଦିନ ପୂର୍ବରୁ ଜଣେ ବିଦେଶୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ଆଜି(ଶନିବାର) ଦିନ ପୁନର୍ବାର ଶ୍ରୀମନ୍ଦିର ଭିତରେ ଜଣେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଛନ୍ତି ।
ବିଦେଶୀ ପର୍ଯ୍ୟଟକ ଜଣକ ମନ୍ଦିର ବେହରଣ ଦ୍ବାର ଠାରେ ପହଞ୍ଚିଥିବା ବେଳେ ସେଠାରେ ଥିବା ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇଥିଲେ । ତେବେ ବିଦେଶୀ ଜଣକ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ପୋଲିସ ଟାଉନ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ହେଲେ ବିଦେଶୀ ପର୍ଯ୍ୟଟକ ଜଣକ ଥାନା ଭିତରେ ମଧ୍ୟ ପୋଲିସଙ୍କୁ ଆକ୍ରମଣ କରିଥିବା ଜଣାପଡିଛି । ଫଳରେ ପୋଲିସ ବିଦେଶୀ ପର୍ଯ୍ୟଟକଙ୍କୁ କାବୁ କରିବାରେ ବେଶ୍ ନାକେଦମ୍ ହେଇଛି ।ବିଦେଶୀ ପର୍ଯ୍ୟଟକ ଜଣଙ୍କ ୟୁନାଇଟେଡ଼ କିଙ୍ଗଡମର କ୍ରେଗ୍ ସେଲଡନ୍ ବୋଲି ଜଣାପଡିଛି । ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ ଶ୍ରୀମନ୍ଦିର ଚାରି ଦ୍ବାରରେ କଡ଼ା ସୁରକ୍ଷା ସତ୍ତ୍ବ ଏହି ବିଦେଶୀ ଜଣକ ଶ୍ରୀମନ୍ଦିର ଭିତରକୁ କିଭଳି ପ୍ରବେଶ କଲେ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ସେପଟେ ଥାନାରେ ଅଟକ ଥିବା ବିଦେଶୀ ନାଗରିକ ଜଣକ ଆଜି ସକାଳେ ନିଶାଗ୍ରସ୍ତ ଅବସ୍ଥାରେ ସ୍ବର୍ଗଦ୍ବାର ଠାରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ । ଏନେଇ ସମୁଦ୍ର କୂଳ ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚୁରା କରିବା ପରେ ଛାଡ଼ି ଦେଇଥିଲା । ପରେ ବିଦେଶୀ ପର୍ଯ୍ୟଟକ ଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ସହ ଟାଉନ ଥାନାରେ ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡିଛି ।
ସେହିପରି ଗତ କିଛି ଦିନ ତଳେ ଜଣେ ମହିଳା ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥଲେ । ତେବେ ଶ୍ରୀ ମନ୍ଦିର ଚାରି ଦ୍ବାର ପୋଲିସ ଥିବା ସତ୍ତ୍ବେ କିଭଳି ବିଦେଶୀ ପର୍ଯ୍ୟଟକ ଭିତରକୁ ଯାଉଛନ୍ତି । ସେ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କିଛି ଦିନ ତଳେ ଏ ନେଇ ପୋଲିସ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ସେବାୟତ ।
ଇଟିଭି ଭାରତ, ପୁରୀ