ଭୁବନେଶ୍ବର: ରାଜ୍ୟରେ କେହି ରହିବେନି ଭୂମିହୀନ । ଗରିବ ଭୂମିହୀନ ଓ ବାସହୀନଙ୍କୁ ଘର ନିର୍ମାଣ ପାଇଁ ଯୋଗାଇ ଦିଆଯିବ ଜମି । ଆଗାମୀ ୫ ବର୍ଷ ମଧ୍ୟରେ କେହି ଭୂମିହୀନ ଓ ବାସହୀନ ରହିବେନି । ଘରଡିହ ଶୂନ୍ୟ ପରିବାରକୁ ଚଳିତ ବର୍ଷ ଡିସେମ୍ବର 31 ସୁଦ୍ଧା ମିଳିବ ଘରଡ଼ିହ ପଟ୍ଟା । ଏଥିପାଇଁ ଅଗଷ୍ଟ 16ରୁ ରାଜସ୍ୱ ବିଭାଗ ପକ୍ଷରୁ ଆରମ୍ଭ ହେବ ସର୍ବେକ୍ଷଣ । ମାସକ ମଧ୍ୟରେ ସର୍ବେକ୍ଷଣ କରି ପଟ୍ଟା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରି ଜମି ପଟ୍ଟା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ବିସ୍ଥାପିତ ଏବଂ ଭୂମିହୀନଙ୍କୁ ମିଳିବ ଜମିପଟ୍ଟା:
ରାଜ୍ୟର ସମସ୍ତ ଘରଡିହଶୂନ୍ୟ ପରିବାରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଘରଡିହ ପଟ୍ଟା ପ୍ରଦାନ ପାଇଁ ଆଲୋଚନା ହୋଇଛି । ସେଥିପାଇଁ ଘରଡିହ ଶୂନ୍ୟ ପରିବାରଙ୍କର ସର୍ବେକ୍ଷଣ କାର୍ଯ୍ୟ ଆସନ୍ତା ଅଗଷ୍ଟ ୧୬ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ମାସ ୧୫ ତାରିଖ ସୁଦ୍ଧା ସମାପ୍ତ ହେବ । ସର୍ବେକ୍ଷଣ କାର୍ଯ୍ୟ ସମାପ୍ତ ପରେ ଯୋଗ୍ୟ ବିବେଚିତ ହୋଇଥିବା ସମସ୍ତ ଘରଡିହଶୂନ୍ୟ ପରିବାରଙ୍କୁ ଚଳିତ ବର୍ଷ ଡିସେମ୍ବର ମାସ ୩୧ ତାରିଖ ସୁଦ୍ଧା ଘରଡିହ ପଟ୍ଟା ପ୍ରଦାନ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ୨୦୧୮ ମସିହାର ସର୍ଭେର ବଳକା ଘରଡିହଶୂନ୍ୟ ପରିବାରଙ୍କୁ ତୁରନ୍ତ ଘରଡିହ ପଟ୍ଟା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପରିବର୍ତ୍ତିତ ମାପଦଣ୍ଡରେ ବଳକା ହିତାଧିକାରୀଙ୍କୁ ସର୍ଭେ କରି ତାଲିକା ପ୍ରସ୍ତୁତ କରାଯିବ ।
୫ ବର୍ଷ ପରେ କେହି ରହିବେନାହିଁ ଭୂମିହୀନ:
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଗ୍ରାମାଞ୍ଚଳରେ ବର୍ଷବର୍ଷ ଧରି ସରକାରୀ ଜାଗାରେ ରହିବା ସତ୍ତ୍ୱେ ଭୂମିହୀନ ଗରିବଙ୍କୁ ଘର ଡହ ପଟ୍ଟା ମିଳୁନି । ଆସନ୍ତା ୫ ବର୍ଷ ପରେ ଓଡ଼ିଶାରେ କେହି ରହିବେନାହିଁ ଭୂମିହୀନ ଓ ବାସହୀନ । ଭୂମିହୀନ ଓ ବାସହୀନଙ୍କୁ ୩ଟି କାଟେଗୋରିରେ ବିଭକ୍ତ କରାଯାଇଛି । ଗ୍ରାମାଞ୍ଚଳରେ ପଟ୍ଟା ନଥିବା ହିତାଧିକାରୀ ଓ ଗରିବଙ୍କୁ ୪ ଡିସିମିଲ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ । ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏଁ ଜମି ଦିଆଯିବ । ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ ବାସହୀନଙ୍କୁ ଜମି ଯୋଗାଇ ଦିଆଯିବ । ତୃତୀୟରେ ଜଙ୍ଗଲ ଅଧିକାର ଆଇନରେ ଜଙ୍ଗଲ ଜମିକୁ ମଧ୍ୟ କିସମ ପରିବର୍ତ୍ତନ କରି ଦିଆଯାଉଛି । ଠିକ ଠାକ ସର୍ଭେ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ । ସେହିପରି ଆସନ୍ତା ୧୫ ତାରିଖରେ କଳାହାଣ୍ଡିରେ କିଛି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯିବ ।"
ରାଜନୈତିକ ଫାଇଦା ଲାଗି ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ଉଠାଇଥାନ୍ତି:
ରାଜନୈତିକ ସମୀକ୍ଷକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ହୀରାକୁଦ ବିସ୍ଥାପିତଙ୍କୁ ଉପଯୁକ୍ତ ଭାବେ ଥଇଥାନ କରାଯିବା କଥା । ସରକାର ଆସିଛନ୍ତି ଓ ଯାଇଛନ୍ତି । କିନ୍ତୁ ଦୀର୍ଘ ବର୍ଷ ଦାବି ପରେ ସରକାର ଏ ସମସ୍ୟାର ସମାଧାନ କରିପାରିନାହାନ୍ତି । ଏହା ନିଶ୍ଚୟ ଭାବେ ଶାସନ ଦଳର ଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ସମସ୍ୟା ସମାଧାନ ଲାଗି ଘୋଷଣା ଓ ପରେ ପ୍ରତିଶ୍ରୁତି ପୂରଣ ନହେବା ଦେଖିବାକୁ ମିଳୁଛି । ତେଣୁ ଏହା ପ୍ରସଙ୍ଗର ରାଜନୀତିକରଣ ବୋଲି କହିବା । ରାଜନୈତିକ ଫାଇଦା ଲାଗି ବିଭିନ୍ନ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ଉଠାଇଥାନ୍ତି । ନୂଆ ସରକାର ଖୁବ କମ ସମୟରେ କାର୍ଯ୍ୟ କରି ଏହି ପ୍ରସଙ୍ଗର ସମାଧାନ କରିବା ଦରକାର । ପ୍ରଥମେ ଓଡ଼ିଶାର ଜମିହୀନ ଓ ବାସହୀନଙ୍କୁ ଚିହ୍ନଟ କରାଯାଉ । ସଠିକ ସମୟ ମଧ୍ୟରେ ସେମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉ ।"
ଏହା ମଧ୍ୟ ପଢ଼ନ୍ତୁ...ସମଲେଇ ଯୋଜନା ପାଇଁ ହୋଇଥିଲେ ବିସ୍ଥାପିତ, ଏ ପର୍ଯ୍ୟନ୍ତ ପୂଜକଙ୍କ ପରିବାରକୁ ମିଳିଲାନି ଜମି ପଟ୍ଟା - Samalei Temple project
ଇଟିଭି ଭାରତ, ଭୁବନେଶ୍ବର