ଝାରସୁଗୁଡ଼ା: ଆଜି ଜାତୀୟ ମତଦାତା ଦିବସ । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଝାରସୁଗୁଡ଼ା ଗାନ୍ଧୀମୂର୍ତ୍ତି ଠାରୁ ନବ ଦାସ ଅଡିଟୋରିୟମ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ଯୁବ ଭୋଟରଙ୍କ ସମେତ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ନିର୍ଭୁଲ ମତଦାନ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆଜି ଯୁବ ଭୋଟରମାନଙ୍କୁ ଆହ୍ବାନ କରାଯାଇଛି । ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାରେ ଭୋଟର ସଚେତନା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ମିଳିଛି ।
ତେବେ ଜିଲ୍ଲା ପ୍ରସାଶନ ତରଫରୁ ୬ଟି ସଚେତନତା ରଥ ପ୍ରସ୍ତୁତ କରାଯାଇଛି । ଏହା ଫେବୃଆରୀ ମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ଓ ପୋୖରାଞ୍ଚଳର ସମସ୍ତ ବୁଥକୁ ଯିବ ମତଦାନ ବିଷୟରେ ସଚେତନା ସୃଷ୍ଟି କରିବ । ଏହି ମୋବାଇଲ ଭ୍ୟାନଗୁଡିକ ପୋଲିସ ସୁରକ୍ଷା ଭିତରେ ନିଆଯିବ । ନୂତନ ମତଦାତାମାନଙ୍କୁ ଇଭିଏମରେ କିପରି ମତଦାନ କରାଯାଏ ସେ ସମ୍ପର୍କରେ ଅଧିକାରୀମାନେ ବୁଝାଇବେ । ତେବେ ଏଥର ଚୂଡାନ୍ତ ଭୋଟର ତାଲିକା ୨୦୨୪ ମଧ୍ୟ ପ୍ରକାଶିତ ହୋଇଛି । ଚୂଡାନ୍ତ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୪୩୯୧୩୬ ହୋଇଥିବାବେଳେ ୨୨୦୫୧୫ ଜଣ ପୁରୁଷ ,୨୧୮୫୪୮ ଜଣ ମହିଳା ଓ ୭୩ଜଣ ତୃତୀୟ ଲିଙ୍ଗ ରହିଛନ୍ତି ।
ତେବେ ୦୬- ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୦୯୦୮୪ ଜଣ ପୃରୁଷ ଭୋଟର, ୧୦୫୩୩୫ ଜଣ ମହିଳା ଭୋଟର ଓ ୧୫ଜଣ ତୃତୀୟ ଲିଙ୍ଗ ଭୋଟର । ସେହିପରି ୦୭ - ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ପୁରୁଷ ଭୋଟର ସଂଖ୍ୟା ୧୧୧୪୩୧,ମହିଳା ଭୋଟର ସଂଖ୍ୟା ୧୧୩୨୧୩ ଓ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ୫୮ ରହିଛି । ଭୋଟର ତାଲିକାର ନକଲ ସମସ୍ତ ମାନ୍ୟତା ପ୍ରାପ୍ତ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଜିଲ୍ଲା କାର୍ଯ୍ୟାଳୟଠାରେ ପ୍ରଦାନ କରାଯାଇ ସାରିଛି ।
ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ କହିଛନ୍ତି ,"ନୂତନ ଭୋଟରମାନଙ୍କୁ ମତଦାନ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ସଚେତନା କାର୍ଯ୍ୟକ୍ରମ କରାଯାଇଛି । ଭାରତ ଏକ ଗଣତାନ୍ତ୍ରୀର ରାଷ୍ଟ୍ର ,ସମସ୍ତଙ୍କ ମତଦାନ କବିବାର ଅଧିକାରା ରହିଛି । ତେଣୁ କିପରି ଅବାଧ ଏବଂ ନିରପେକ୍ଷ ମତଦାନ ହୋଇପାରିବ ସେନେଇ ଅଧିକ ଗୁରୁତ୍ବ ଦିଆଯାଇଛି । ସେପଟେ ମତଦାନ ପାଇଁ ନୂଆ ଭୋଟରଙ୍କୁ ଉତ୍ସାହିତ କରିବା ପାଇଁ ବିଜେପି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଇଟିଭି ଭାରତ , ଝାରସୁଗୁଡ଼ା