ଭୁବନେଶ୍ୱର: 10 ଦିନ ଧରି ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସା ଉପରେ ସରକାରଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି । ଗତ 18 ତାରିଖରୁ ସାରା ରାଜ୍ୟରେ 1 ହଜାର 300 ପ୍ରାଣୀ ଚିକିତ୍ସକ ସମୂହ ଛୁଟିରେ ରହିଛନ୍ତି । ପ୍ରାଣୀମାନଙ୍କ ଚିକିତ୍ସା ବନ୍ଦ କରାଯାଇଛି । କେବଳ ଶାନ୍ତିପୂର୍ଣ୍ଣ ଭାବରେ ସରକାରଙ୍କୁ ବାରମ୍ବାର ଜଣାଇ ଦିଆଯାଉଥିବାରୁ ସରକାର ଦାବି ଶୁଣୁନଥିବା ଅଭିଯୋଗ କରିଛନ୍ତି ଚିକିତ୍ସକ । ତେଣୁ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବା ସହ ଚିକିତ୍ସା ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ପ୍ରାଣୀ ଚିକିତ୍ସକ ।
ବିଭାଗର ପୂର୍ଣ୍ଣାଙ୍ଗ ରୂପାନ୍ତରଣ, କ୍ୟାଡର ପୁନଃର୍ଗଠନ ଏବଂ କେନ୍ଦ୍ର ସରକାରଙ୍କ ସେବା ଅଧୀନରେ ପ୍ରାଣୀ ଚିକିତ୍ସକଙ୍କ କ୍ଷେତ୍ରରେ ଡିଏସିପି ଦୃଷ୍ଟିରୁ ସମାନତା ଆଣିବା ଭଳି ଦାବି ରହିଛି । ସେହିପରି ଅଣ ପ୍ରାକ୍ଟିସିଂ ଭତ୍ତା ପ୍ରଦାନ ପାଇଁ ମଧ୍ୟ ଦାବି ରହିଛି । ଚିକିତ୍ସକଙ୍କ ଅଭିଯୋଗ ଅନୁସାରେ, ଏହି ୧୦ ଦିନ ମଧ୍ୟରେ ସ୍ପେଶାଲାଇଜ୍ଡ ପ୍ରାଣୀ ଚିକିତ୍ସା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବା ସହିତ ଗୋସମ୍ପଦ କ୍ଷେତ୍ରର ବିପୁଳ କ୍ଷତି ଘଟିଛି। ଏହି ଦିନଗୁଡିକରେ ବହୁ ବୀମାକୃତ ପ୍ରାଣୀଙ୍କର ମୃତ୍ୟୁ ଘଟିଛି ଏବଂ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ନମିଳିବା କାରଣରୁ ଫଇସଲା ହୋଇପାରିନାହିଁ । ରାଜ୍ୟ ପ୍ରାୟୋଜିତ ଯୋଜନା ଏବଂ MKUY ଯୋଜନା ଅଧୀନରେ ରିହାତି ଅର୍ଥ ପ୍ରଦାନ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନକଲି ଚିକିତ୍ସକ (କ୍ୱାକ୍) ମାନଙ୍କର ସଂଖ୍ୟା ବହୁଗୁଣ ବୃଦ୍ଧିପାଇଛି। ଯାହା ଆଗକୁ ଅନେକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ବହୁ ପ୍ରାଣୀ ଚିକିତ୍ସା ଡିସ୍ପେନସାରୀ ଏବଂ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀଧନ ନିରୀକ୍ଷକଙ୍କ ସହାୟତାରେ ପରିଚାଳିତ ହେଉଛି। ଯେଉଁଠାରେ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନ ମିଳୁନାହିଁ ଏବଂ ଏହା ଭାରତର ପ୍ରାଣୀ ଚିକିତ୍ସା ପରିଷଦର ଆଇନ ଓ ନିୟମର ସମ୍ପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି।
"କୃଷକଙ୍କ ପାଇଁ ୨୪ ଘଣ୍ଟିଆ ସେବା, ଇନ୍ଡୋର ଚିକିତ୍ସା ସୁବିଧା, ବୃହତ ପ୍ରାଣୀଙ୍କୁ ଡାକ୍ତରଖାନା ପରିବହନ ନିମନ୍ତେ ଆମ୍ବୁଲାନ୍ସ ସୁବିଧା, ବ୍ଲକ ଓ ଜିଲ୍ଲା ସ୍ତରରେ ଉନ୍ନତ ରୋଗ ନିରୂପଣ ସୁବିଧା, ଚିକିତ୍ସା ପାଇଁ ବ୍ୟବହାରକାରୀ ଦେୟ ଛାଡ କରିବା ଏବଂ ଗରିବ ଚାଷୀଙ୍କ କ୍ଷେତ୍ରରେ ମାଗଣାରେ ଔଷଧ ଉପଲବ୍ଧ କରାଇବା ଆଦି ଦାବି ଅନ୍ତର୍ଭୁକ୍ତ ରହିଛି। ସୂଚନା ଅନୁଯାୟୀ, ପ୍ରାଣୀ ଚିକିତ୍ସା କ୍ଷେତ୍ର ବିଗତ ବର୍ଷଗୁଡିକରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି। କିନ୍ତୁ ରାଜ୍ୟରେ ପ୍ରାଣୀ ଚିକିତ୍ସକମାନେ ପୁରାତନ ପାରମ୍ପରିକ ଚିକିତ୍ସା ପଦ୍ଧତି ଅନୁସରଣ କରିବାକୁ ସେମାନଙ୍କୁ ବାଧ୍ୟ କରାଯାଉଛି । ଏହା ନକଲି ଚିକିତ୍ସକଙ୍କୁ ଉତ୍ସାହିତ କରୁଛି" ବୋଲି ଓଡ଼ିଶା ଭେଟେରିନାରୀ ସର୍ଭିସ ଆସୋସିଏସନର ଜଏଣ୍ଟ ସେକ୍ରେଟାରୀ ଡକ୍ଟର ସିମ୍ଫୋନି ମହାନ୍ତି କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ ୬ଶହ କର୍ମଚାରୀ, ଦାବି ପୂରଣ ନହେଲେ 29ରୁ ଆନ୍ଦୋଳନ
ସୂଚନା ଅନୁସାରେ, ପ୍ରାୟ ୧୩ ଶହ ଚିକିତ୍ସକ ରାଜ୍ୟରେ ୧ ହଜାର ୯୧୦ ପ୍ରାଣୀ ଚିକିତ୍ସକଙ୍କ କାର୍ଯ୍ୟଭାର ବହନ କରୁଛନ୍ତି। କାରଣ ଅବଶିଷ୍ଟ ପଦଗୁଡିକ ଖାଲି ପଡିଛି। ଏଥିସହିତ ପ୍ରାୟ ୪୦ ପ୍ରତିଶତ ସହାୟକ କର୍ମଚାରୀ ପଦ ମଧ୍ୟ ବିଭାଗରେ ଖାଲି ପଡିଛି। ଯାହା ପ୍ରାଣୀ ଚକିତ୍ସକଙ୍କ ଉପରେ ଅଯଥା ଚାପ ସୃଷ୍ଟି କରୁଛି । ଏପରିକି ଛୁଟିଦିନ ଗୁଡିକରେ କାର୍ଯ୍ୟ କରିବା ପାଇଁ୨ ସେମାନଙ୍କୁ ବାଧ୍ୟ କରାଯାଉଛି। ଏଭଳି ପରିସ୍ଥିତିରେ ରାଜ୍ୟର ପ୍ରାଣୀ ଚିକିତ୍ସକମାନଙ୍କୁ ସେମାନଙ୍କର ବିଭିନ୍ନ ଆର୍ଥିକ ସୁବିଧା ଏବଂ ପଦୋନ୍ନତି ଆଦି ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭଳି ମିଳୁନାହିଁ। "ରାଜ୍ୟ ସରକାର ଯଦି ଖୁବଶୀଘ୍ର ଓଡ଼ିଶାର ପ୍ରାଣୀ ଚିକିତ୍ସକ ସଂଘର ଦାବି ସମ୍ପର୍କରେ କୌଣସି ସକାରାତ୍ମକ ନିଷ୍ପତ୍ତି ଗ୍ରହଣ ନକରନ୍ତି, ତେବେ ଏହି ଆନ୍ଦୋଳନ ଭବିଷ୍ୟତରେ ଅଧିକ ବ୍ୟାପକ ହେବ" ବୋଲି କହିଛନ୍ତି ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘର ସଭାପତି ଡକ୍ଟର ଜଗନ୍ନାଥ ପରିଡ଼ା ।
ଇଟିଭି ଭାରତ, ଭୁବନେଶ୍ବର