ଫୁଲବାଣୀ: ଫିରିଙ୍ଗିଆ ପୋଲିସକୁ ସଫଳତା । ଥାନା ଅଧୀନରେ ଥିବା ଏକ ଜଙ୍ଗଲରେ ଅତର୍କିତ ଚଢ଼ାଉ କରି ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଫିରିଙ୍ଗିଆ ପୋଲିସ । ତେବେ ଜଙ୍ଗଲରୁ ସମସ୍ତ ମାଫିଆ ଫେରାର ହୋଇଯାଇଛନ୍ତି । ଏନେଇ ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ତେବେ ସାରା ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷ ଏବଂ ଚୋରା ଗଞ୍ଜେଇ କାରବାର ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଛି କନ୍ଧମାଳ ଜିଲ୍ଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଗଞ୍ଜେଇ କାରବାରକୁ ଦମନ କରିବାକୁ ଚାଲିଛି ବେଆଇନ ଗଞ୍ଜେଇ ଗଛକଟା ଅଭିଯାନ । ଏସପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଗଛକଟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗତକାଲି(ରବିବାର) ଫିରିଙ୍ଗିଆ ଥାନା ଡ଼ିମିରିଗୁଡା ପଞ୍ଚାୟତ ଅଧୀନରେ ଥିବା ଟାମତିଙ୍ଗିଆ, ଡେଡ଼ିସରୁ ଓ ଗଦାଦି ଗାଁ ନିକଟବର୍ତ୍ତୀ ଜଙ୍ଗଲ ମାନଙ୍କରେ ଅତର୍କିତ ଚଢ଼ାଉ କରିଥିଲା ଫିରିଙ୍ଗିଆ ପୋଲିସ । ଏହି ସବୁ ଗାଁରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।
ସେଠାରେ ପ୍ରାୟ ଦୁଇ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ ଭାବରେ ଗଞ୍ଜେଇ ଚାଷ ହୋଇଥିଲା । ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶକ୍ରମେ ଥାନାରେ କାର୍ଯ୍ୟରତ ଏସଏଇ ଦୀପକ କୁମାର ରାଉତ ଓ ଏଏସଏଇ ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି । ସେହିପରି ଜଙ୍ଗଲରେ ଗଞ୍ଜେଇ ଗଛ କାଟିବା ସମୟରେ ପୋଲିସର ଗଞ୍ଜେଇ ଜବତ ଭୟରେ ଚାଲାଣ ପାଇଁ ପ୍ରସ୍ତୁତ କରାଯାଇ ଲୁଚାଯାଇଥିବା ୪କ୍ବିଣ୍ଟାଲ ୫୩ କିଲୋ ଗଞ୍ଜେଇକୁ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ତେବେ ଏହି ଗଞ୍ଜେଇ ଜବତ ଘଟଣାରେ ପୋଲିସ କାହାକୁ ଗିରଫ କରିନଥିବା ବେଳେ ଘଟଣାକୁ ନେଇ ୬୮/୨୪ ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଥାନାରେ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ ।
ଏହା ମଧ୍ୟ ପଢନ୍ତୁ-ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, 3 ଅଭିଯୁକ୍ତ ଫେରାର
ଅନ୍ୟପଟେ ମାଜିଷ୍ଟେଟ ଦାୟିତ୍ୱରେ ଥିବା ଅଭିନାଶ ମିଶ୍ରଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ଅଭିଯାନରେ ଥାନାରେ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ପ୍ରାୟ ୨୦ ଜଣ ଶ୍ରମିକ ଓ ଥାନାରେ କାର୍ଯ୍ୟରତ କିଛି ହୋମଗାର୍ଡ ମଧ୍ୟ୍ୟ ସାମିଲ ଥିଲେ । ସେପଟେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା । ତେବେ ଫିରିଙ୍ଗିଆ ପୋଲିସ ଦୀର୍ଘ ଦିନ ଧରି ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛଗୁଡିକୁ କାଟି ନଷ୍ଟ କରୁଛି । ତଥାପି ଏହି ଅଞ୍ଚଳରେ ଏତେ ପରିମାଣରେ ଚାଷ ହୋଇଛି ଯେ ଯେତେ କାଟିଲେ ବି ଏହି ଗଞ୍ଜେଇ ଗଛକଟା ସରୁନାହିଁ । ଯେଉଁଥିପାଇଁ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡୁଛି ।
ଇଟିଭି ଭାରତ, କନ୍ଧମାଳ