ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଇଞ୍ଜିନିୟରିଂ ଛାତ୍ର ନିଖୋଜ ଘଟଣା । ସରାଙ୍ଗ ବ୍ରିଜ ନିକଟରୁ ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ । ବହୁ ଖୋଜାଖୋଜି ପରେ ଅଗ୍ନିଶମ ବାହିନୀ ଆଜି ମୃତଦେହ ଉଦ୍ଧାର କରିଛନ୍ତି । ମୃତକ ହେଉଛନ୍ତି IGIT କଲେଜର ବିଟେକ ମେଟାଲୋଜି ବିଭାଗର ଶେଷ ବର୍ଷର ଛାତ୍ର ସନତ କୁମାର ମାହାଳିକ । ଗତକାଲି (ଗୁରୁବାର) ଅପରାହ୍ନରେ ସେ ସାଙ୍ଗ ସହ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ ।
ଗତକାଲିଠୁ ଛାତ୍ର ସନତ ମାହାଳିକ ନଦୀରେ ନିଖୋଜ ଥିଲେ । ଏନେଇ ତାଙ୍କ ସାଙ୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ, କଲେଜ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଡାକି ସନ୍ଧ୍ୟା ପର୍ଯ୍ୟନ୍ତ ବହୁ ଖୋଜଖୋଜି କରିଥିଲେ । ହେଲେ ଛାତ୍ରଙ୍କ କୌଣସି ପତ୍ତା ମିଳିନଥିଲା । ଆଜି (ଶୁକ୍ରବାର) ସକାଳେ ତାଙ୍କର ମୃତଦେହ ସରାଙ୍ଗ ବ୍ରିଜ ନିକଟରେ ନଦୀରେ ଭାସୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ l ଏହା ଦେଖି ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ: ଭୋଜି ହେଲା କାଳ, ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ
ସୂଚନା ମୁତାବକ, ମୃତ ଛାତ୍ରଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ । ଗତକାଲି ଅପରାହ୍ନରେ ଜଣେ ସାଙ୍ଗ ସହ ସେ କଲେଜ ପଛ ପାଖ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଅସାବଧାନତା ବଶତଃ ସନତ ନଦୀରେ ଭାସି ଯାଇଥିବା ତାଙ୍କ ସାଙ୍ଗ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଏହା ଜାଣିବା ପରେ କଲେଜ କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ କର୍ମଚାରୀ ନଦୀରେ ବହୁ ଖୋଜାଖୋଜି ଜାରି ରଖିଥିଲେ l ରାତି ହେବାରୁ ସର୍ଚ୍ଚ ଅପରେସନ ବନ୍ଦ ରହିଥିଲା । ଆଜି ସକାଳୁ ସରାଙ୍ଗ ବ୍ରିଜ ନିକଟରୁ ଛାତ୍ର ଜଣକ ମୃତଦେହ ଉଦ୍ଧାର କରାଯାଇଛି l
ପ୍ରକାଶ ଥାଉକି, କିଛି ଦିନ ତଳେ ସୁନ୍ଦରଗଡର ଇବ୍ ନଦୀରେ ଗୋଟିଏ ପରିବାରର ୩ ଜଣ ବୁଡି ପ୍ରାଣ ହରାଇଥିଲେ । ସମସ୍ତେ ଜନ୍ମଦିନ ଭୋଜି କରିବା ପାଇଁ ନଦୀ କୂଳକୁ ଯାଇଥିଲେ । ଖାଇ ସାରି ନଦୀରେ ଗାଧୋଉ ଥିବାବେଳେ ଗୋଡ ଖସିଯିବାରୁ ୩ ଜଣ ବୁଡି ଯାଇଥିଲେ ।
ଇଟିଭି ଭାରତ, ଢେଙ୍କାନାଳ