ଭୁବନେଶ୍ବର: ରାଜଧାନୀରେ ପୁଣି ବେପରୁଆ ଗାଡି ଚଳାଇ ଜଣଙ୍କୁ ମାରି ଦେଲା ମୋ ବସ୍। ମନ୍ତ୍ରୀ କହିଥିଲେ ସ୍ପିଡ ଲିମିଟ 40 ରହିବ । ହେଲେ ଦୁର୍ଘଟଣା ଘଟାଇଥିବା ମୋ ବସର ବେଗ 45 ଥିବା ନିଜେ କ୍ରୁଟ କର୍ତ୍ତୃପକ୍ଷ ମାନିଛନ୍ତି । ଆଜି ସକାଳେ ପଟିଆ ନନ୍ଦନକାନନ ରାସ୍ତାରେ ନାବାଳିକାକୁ ଧକ୍କା ଦେଇଛି ମୋ ବସ। ୧୨ବର୍ଷୀୟ ନାବାଳିକାକୁ ମୋ ବସ ଧକ୍କା ଦେବାରୁ ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ୬ଷ୍ଠ ଶ୍ରେଣୀର ପାଠ ପଢୁଥିବା ନାବାଳିକାର ଏପରି ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା। ରାସ୍ତା ଉପରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ବାଉଁଶ ବାନ୍ଧି କଟକ ଭୁବନେଶ୍ୱର ଯିବାଆସିବା ରାସ୍ତାକୁ ବନ୍ଦ ରଖିଛନ୍ତି। ଫଳରେ ନନ୍ଦନକାନନ ଥାନା ସାମ୍ନାରେ ଦେଖାଦେଇଛି ସ୍ଥାନୀୟ ଲୋକଙ୍କ ଉତ୍ତେଜନା ।
- ‘ମୋ ବସ୍’ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ
କୁନି ଜୁଆଡି ନାମକ ୧୨ବର୍ଷୀୟ ଛାତ୍ରୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେ ବଲାଙ୍ଗୀର ଅଞ୍ଚଳର ହୋଇଥିବା ବେଳେ ଦୀର୍ଘ ବର୍ଷ ହେବ ସେମାନେ ରଘୁନାଥପୁର ଅଞ୍ଚଳରେ ରହୁଛନ୍ତି। ତାଙ୍କ ବାପା ଏକ ନର୍ସରୀରେ କାମ କରୁଥିବାବେଳେ ମା’ ଜଣେ ଗୃହିଣି । ଆଜି ସକାଳୁ କୁନି ଝିଅଟି ସକାଳ ଖାଇବା ପାଇଁ ବିସ୍କୁଟ ଆଣିବା ପାଇଁ ରଘୁନାଥପୁର ଛକ ତଥା ନନ୍ଦନକାନନ ରାସ୍ତାରେ ଯାଉଥିବା ବେଳେ କୁନି ଝିଅର ସାଇକେଲ ଉପରକୁ ମାଡ଼ି ଯାଇଥିଲା ମୋ ବସ୍। ଭୁବନେଶ୍ୱରରୁ କଟକ ଯିବା ରାସ୍ତା ଉପରେ ୫୪ନମ୍ବର ମୋ ବସଟି ଦୁର୍ଘଟଣା ଘଟାଇଥିଲା। ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଛି ୧୨ ବର୍ଷର ନାବାଳିକା। ଫଳରେ ନନ୍ଦନକାନନ ରାସ୍ତାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ମୋ ବସ୍ ଗୁଡ଼ିକୁ ମଧ୍ୟ ଅଟକାଇ ରଖିଛନ୍ତି। ଘଟଣାସ୍ଥଳରେ ମୋ ବସ୍ କତୃପକ୍ଷ ଓ ସ୍ଥାନୀୟ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି।
ମୃତ କୁନି ଝିଅର ମା ସାବିତ୍ରୀ ଜୁଆଡି କହିଛନ୍ତି ‘‘ତାର ବାପା କାମରେ ଯାଇଛନ୍ତି ଏଯାଏଁ ଫେରି ନାହାନ୍ତି। ସକାଳୁ ଫୁଲ ଆଉ ବିସ୍କୁଟ ଆଣିବାକୁ ଯିବାକୁ କହି ଝିଅ ଆସିଥିଲା। ହେଲେ ଆଉ ଫେରିଲା ନାହିଁ । କିଛି ସମୟ ପରେ ଖବର ପାଇଲେ ଯେ ତାଙ୍କ ଝିଅକୁ ବସ ଧକ୍କା ଦେଇଛି। ତାଙ୍କ ଝିଅ ଆଉ ନାହିଁ ସେ କାହାକୁ କଣ କହିବେ କିଛି ଜାଣିପାରୁ ନାହାନ୍ତି। ତାଙ୍କ ଝିଅକୁ ଧକ୍କା ଦେଇଥିବା ଡ୍ରାଇଭରକୁ ଶାସ୍ତି ଦିଆଯାଉ ବୋଲି କହିଛନ୍ତି କୁନି ଝିଅର ମା ସାବିତ୍ରୀ ଜୁଆଡୀ’’।
ସ୍ଥାନୀୟ ସରପଞ୍ଚ ଝୁଲଣ ମାଝୀ କହିଛନ୍ତି ‘‘ମୃତକର ପରିବାରକୁ ୫ ଲକ୍ଷ କ୍ଷତିପୂରଣ ଦିଆଯାଉ। ତା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ସମସ୍ତ ମୋ ବସ୍ କର୍ମଚାରୀ ମାନଙ୍କୁ କୁହନ୍ତୁ ଗାଡି ଟିକେ ଧିରେ ଚାଳନା କରିବା ପାଇଁ। ଆମ ଗାଁରେ ୫୦ଖଣ୍ଡ ଗାଡି ଅଛି କାହିଁ ଏମିତି ହେଉନି। ତେଣୁ ଏପରି ନ ହେବା ପାଇଁ ପଦକ୍ଷେପ ନିଅନ୍ତୁ।’’
- ଭୁଲ ମାନିଲେ କ୍ରୁଟ କର୍ତ୍ତୃପକ୍ଷ
ସେପଟେ ମୋ ବସ୍ ର କ୍ରୁଟ ଅଧିକାରୀ ଜୟନ୍ତ କୁମାର କହିଛନ୍ତି ‘‘ଆଜିର ଦୁର୍ଘଟଣା ପାଇଁ ମୋ ବସ୍ ଡ୍ରାଇଭର ତଥା କ୍ୟାପ୍ଟେନ ର ସମ୍ପୁର୍ଣ୍ଣ ଭୁଲ ବୋଲି ମାନିଛନ୍ତି ମୋ ବସ୍ କର୍ମଚାରୀ । ଦୁର୍ଘଟଣା ପରେ ମୃତ ଝିଅର ମା ସହ କଥା ହେଇଛନ୍ତି। ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଲୋଚନା ଚାଲିଛି। ଏ ଗାଡି ୪୫ସ୍ପିଡରେ ଥିଲା । ଏଭଳି ଘଟଣା ନ ହେବା ପାଇଁ ଚେଷ୍ଟା କରୁଛୁ । ଆଜି ସକାଳେ ବି ଆମେ କାଉନ୍ସିଲ କରିଛୁ । ଡ୍ରାଇଭିଂ କରୁଥିବା କ୍ୟାପ୍ଟେନଙ୍କୁ ଆମେ ସ୍ବତନ୍ତ୍ର ନିର୍ଦେଶ ଦେଇଛୁ। ଏହି ଘଟଣାର ଡ୍ରାଇଭର ତନି ବର୍ଷ ହେଲା କାମ କରୁଛନ୍ତି । ତେଣୁ ସେ ଦିଗରେ ଆମେ ଗୁରୁତ୍ବ ଦେବୁ । ବର୍ତ୍ତମାନ ଟାଉନ ଭିତରେ ୪୦ରୁ ଅଧିକ ସ୍ପିଡରେ ଯାଇ ହେବ ନାହିଁ ବୋଲି ଆମେ ସମସ୍ତ କ୍ୟାପ୍ଟେନଙ୍କୁ ଜଣାଇବୁ’’ ।
ଏହା ମଧ୍ୟ ପଢନ୍ତୁ ଲୋକାରଣ୍ୟ ଚନ୍ଦ୍ରଭାଗା, ମାଘ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଏହା ମଧ୍ୟ ପଢନ୍ତୁ ବ୍ଯବସାୟୀଙ୍କଠୁ ଝାମ୍ପିଥିଲେ ସୁନାଗହଣା ଭର୍ତ୍ତି ବ୍ୟାଗ: ନାବାଳକ ସମେତ 3 ଗିରଫ, ଏବେବି ମାଷ୍ଟରମାଇଣ୍ଡ ଫେରାର
ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖି ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ସହ ଜୋନାଲ ଏସିପି ପହଂଚି ଘଟଣାର ବୁଝାସୁଝା କରିଛନ୍ତି। ସେହି ଅଞ୍ଚଳରେ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସେହି ଅଞ୍ଚଳରେ ସ୍ପିଡ ବ୍ରେକର ତଥା ହମ୍ପସ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତା ସହିତ ମୋ ବସ୍ ପକ୍ଷରୁ ଡ୍ରାଇଭର ମାନଙ୍କୁ ଦୃତ ବେଗରେ ଗାଡି ଚାଳନା ନକରିବାକୁ ପରାମର୍ଶ ଦେଇଛନ୍ତି। ରଘୁନାଥପୁର ଓ ନନ୍ଦନକାନନ ରାସ୍ତାରେ ହେଉଥିବା ଛୋଟ ବଡ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପଦକ୍ଷେପ ନିଅନ୍ତୁ ଓ ମୃତ ଝିଅର ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି କିଛି ସ୍ଥାନୀୟ ଲୋକ ।
- କେତେ ଜୀବନ ନେଇଛି ‘ମୋ ବସ’ ?
ଜାନୁଆରୀ 23ରେ ମାଷ୍ଟରକ୍ୟାଣ୍ଟିନ ଛକରେ ସିରିଜ ଦୁର୍ଘଟଣା ଘଟାଇଥିଲା ମୋ ବସ । 3 ଗାଡ଼ି କ୍ଷତିଗ୍ରସ୍ତ ହେବା ସହ 4 ଯାତ୍ରୀ ଆହତ ହୋଇଥିଲେ ।
ଗତବର୍ଷ ନଭେମ୍ବର ୨ ତାରିଖରେ ଇନଫୋସିଟି ଥାନା ମାଗ୍ନେଟ ଛକରେ ଜଣେ ପଥଚାରୀକୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଉତେଜନା ଦେଖାଦେଇଥିଲା।
ସେହିପରି ଗତ ବର୍ଷ ଜାନୁଆରୀ ୨୦ ତାରିଖରେ ମଧ୍ୟ ଖଣ୍ଡଗିରିରେ ମଧ୍ୟ ଏକ ମୋ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଥିଲା।
ଗତ ୨୪ ଡିସେମ୍ବର ୨୦୨୨ରେ ଖଣ୍ଡଗିରି ଥାନା ଜାଗମରା ଛକ ପାଖରେ ସବୁଦିନ ପରି ରଙ୍ଗମାଟିଆରୁ ଡୁମୁଡୁମା ଯାଉଥିବା ୨୫ନମ୍ବର ରୁଟର ବସଟି ଜଣେ ଛାତ୍ରୀ ଉପରେ ଚଢାଇଦେବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।
ଦ୍ରୁତଗତି ଯୋଗୁଁ ଖୋର୍ଦ୍ଧାରେ ରାସ୍ତାକଡ଼ କେନାଲରେ ପଡିଥିଲା 'ମୋ ବସ' । ଫଳରେ 15ରୁ ଅଧିକ ଲୋକ ଆହତ ହୋଇଥିଲେ ।
- ମନ୍ତ୍ରୀ କହିଥିଲେ ସ୍ପିଡ୍ ଲିମିଟ 40 ରହିବ
ଗତ ମାସ ନଭେମ୍ବରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, "ମୋ ବସରେ ସ୍ପିଡ୍ ଲିମିଟ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 'ମୋ ବସ' ସ୍ପିଡ୍ ଲିମିଟ ସହର ମଧ୍ୟରେ 40 କିମି ପ୍ରତି ଘଣ୍ଟା ରହିବ । ସହର ବାହାରକୁ ଯାଉଥିବା ବସର ସ୍ପିଡ୍ 50 କିମି ପ୍ରତି ଘଣ୍ଟା ରହିବ । ଗାଡିକୁ ବାରମ୍ବାର ତନଖି କରାଯିବ । 'ମୋ ବସ' ଚାଳକଙ୍କ ଲାଇସେନ୍ସ ଚେକିଂ ହେବ । ଯାହାର ଲାଇସେନ୍ସ ଥିବ ସେ ଗାଡି ଚଳାଇବ । ନିଶା ସେବନ କରିଛନ୍ତି ନା ନାହିଁ ତାହାର ଟେଷ୍ଟ ହେବ । ଟେଷ୍ଟ ଦେଇ ଗାଡିରେ ଚଢ଼ିବେ ମୋ ବସ ଚାଳକ । ମଝିରେ ମଝିରେ ମଧ୍ୟ ଟେଷ୍ଟ କରାଯିବ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ।"
- କେତୋଟି ମୋ ବସ ଚାଲିଛି ?
ନିକଟରେ କ୍ରୁଟ ପକ୍ଷରୁ ନୂତନ 12ଟି e-bus ସେବାର ଶୁଭାରମ୍ଭ ହୋଇଛି । ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ୱାଣ୍ଡର୍ଲା ପାର୍କ ଓ ଭୁବନେଶ୍ୱର ବିମାନବନ୍ଦରରୁ ପଥରଗାଡ଼ିଆ ଏବଂ କିସ ମହାବିଦ୍ୟାଳୟ ଭାୟା ମାଷ୍ଟରକ୍ୟାଣ୍ଟିନ ଭଳି 2ଟି ନୂଆ ରୁଟ 65 ଏବଂ 66 ନମ୍ବର ଆରମ୍ଭ ହୋଇଛି । ସହରାଞ୍ଚଳ ପରିବହନ ଯାତାୟତର ନେଟୱାର୍କକୁ ବୃଦ୍ଧି କରି କ୍ରୁଟ 475 ମୋ ବସ 97ଟି ରୁଟ୍ରେ ଯାତାୟତ ସେବା ପ୍ରଦାନ କରୁଛି । ସେଥିମଧ୍ୟରୁ 95ଟି ଇ.ବସ ଚଳାଚଳ କରୁଛି । ସେହିପରି ମୋ ବସର ମୋବାଇଲ ଆପ ରହିଛି । ଯେଉଁଥିରେ ଚଳନ୍ତା ବସଗୁଡ଼ିକର ଟ୍ରାକିଂ ଏବଂ ବସ ମଧ୍ୟରେ ଥିବା ବାସ୍ତବିକ ସମୟର ଯାତ୍ରୀଙ୍କ ସ୍ଥିତି ଜାଣିହେବ । ଏହି ଆପକୁ ବ୍ୟବହାର କରି ଯାତ୍ରୀ ଅନଲାଇନ ଟିକେଟ୍ ଏବଂ ପାସ କରିବା ସହିତ ଏହାର ନବୀକରଣ କରିପାରିବେ ।