ଭଦ୍ରକ: ''ମଣ୍ଡିରେ FAQ ମାନର ଧାନ ଉପରେ କମ୍ପରମାଇଜ କରାଯିବ ନାହିଁ । ମଣ୍ଡିକୁ କୃଷକମାନେ FAQ ମାନର ଧାନ ଆଣିପାରୁନାହାନ୍ତି । ତେଣୁ ମିଲର ମାନେ କଟନୀ ଛଟନୀ କରୁଛନ୍ତି'' ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେପଟେ ଯେଉଁ ମିଲର ମାନେ ଏଗ୍ରିମେଣ୍ଟ କରି ମଣ୍ଡିରୁ ଧାନ ନଉଠାଇବେ ସେମାନଙ୍କୁ ବ୍ଲାକ ଲିଷ୍ଟେଡ୍ କରାଯିବ ବୋଲି ସଫାସଫ ଶୁଣେଇଛନ୍ତି ଯୋଗାଣ ମନ୍ତ୍ରୀ ।
FAQ ମାନର ଧାନ ପାଇଁ ଚାଷୀଙ୍କୁ ପରାମର୍ଶ:
ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପ୍ରଶାସନର ଧାନ ସଂଗ୍ରହ କାର୍ଯ୍ୟ ପରିଚାଳନାର ସମୀକ୍ଷା କରିଥିଲେ । ପ୍ରଥମେ ଭଣ୍ଡାରିପୋଖରୀ ବ୍ଲକର ଆଦମପୁରର ଧାନ କ୍ରୟ କେନ୍ଦ୍ର, ଭଦ୍ରକ ବ୍ଲକ ବହୁଦରଡ଼ା ଏବଂ କର୍ଣ୍ଣପାଳ ଆଦି ୩ଟି ଧାନ ମଣ୍ଡିକୁ ଯାଇ ସରକାରୀ ଦରରେ ଧାନ କ୍ରୟ ବ୍ୟବସ୍ଥାର ତଦାରଖ କରିଥିଲେ । କଟନୀ ଛଟନୀ ନେଇ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଏବଂ ଚାଷୀମାନଙ୍କ ଅଭିଯୋଗ ଶୁଣି ଏଫ.ଏ.କ୍ୟୁ ମାନର ଧାନ ବିକ୍ରୟ ପାଇଁ ମଣ୍ଡିକୁ ଆଣିବାକୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ । କାରଣ ଭଲ ଧାନ ନ ହେଲେ ଭଲ ଚାଉଳ ମିଳିବ ନାହିଁ । ଭଲ ଚାଉଳ ନ ହେଲେ, ଏଫ.ସି.ଆଇ. ତାହା ଗ୍ରହଣ କରିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଟମିଲରମାନଙ୍କ ମନମାନିକୁ ବରଦାସ୍ତ କରାଯିବ ନାହିଁଟ:
ଅନ୍ୟପକ୍ଷରେ ଧାନ କିଣାରେ ମିଲରମାନଙ୍କ ମନମାନିକୁ ବରଦାସ୍ତ କରାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ମଣ୍ଡିରୁ ଧାନ ଉଠାଇବାରେ ସହଯୋଗ କରୁନଥିବା ମିଲରମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ପ୍ରଦାନ କରି ଆବଶ୍ୟକ ହେଲେ ଜିଲ୍ଲା ବାହାରୁ ମିଲର ନିୟୋଜିତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଚାଷୀମାନେ ଯେପରି ଅସୁବିଧାରେ ନ ପଡ଼ନ୍ତି ତଥା ସୁସଙ୍ଗଠିତ ଢଙ୍ଗରେ ସରକାରୀ ମଣ୍ଡି ଜରିଆରେ ମିଲରମାନଙ୍କ ଦ୍ବାରା ସେମାନଙ୍କ ଠାରୁ ଉତ୍ତମ ମାନର ଧାନ ସଂଗ୍ରହ କରାଯିବା ଦିଗରେ ନିୟୋଜିତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଅଧିକ ଯତ୍ନବାନ ହେବାକୁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
କୃଷକମାନେ FAQ ମାନର ଧାନ ଆଣନ୍ତୁ:
ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "କ୍ବିଣ୍ଟାଲ ପିଛା ୭ରୁ ୮ କେଜି ଧାନ କଟନୀ ଛଟନୀ ହେଉଥିବା ମୁଁ ଶୁଣି ଆଶ୍ଚର୍ଯ୍ୟ ହେଉଛି । ମୁଁ ସାରା ରାଜ୍ୟ ବୁଲୁଛି, କଟନୀ ଛଟନୀ ପ୍ରାୟ ହେଉନାହିଁ । ଚାଷୀମାନେ FAQ ମାନର ଧାନ ଆଣୁଛନ୍ତି । ଏଠାରେ କୃଷକମାନେ FAQ ମାନର ଧାନ ଆଣୁ ନାହାନ୍ତି, ତେଣୁ କଟନୀ ଛଟନୀ ହେଉଥିବା ମୁଁ ଶୁଣୁଛି । ଏନେଇ ମୁଁ ପ୍ରଶାସନ ଓ ମିଲରମାନଙ୍କ ସହ ଆଲୋଚନା କରିବି । ଧାନ କିଣାରେ ଯେପରେ କଟନୀ ଛଟନୀ ନ ହେବ ତାହା ସରକାର ଚାହୁଁଛନ୍ତି । ଆମେ ଚାହୁଁଛୁ କୃଷକମାନେ FAQ ମାନର ଧାନ ଆଣନ୍ତୁ । FAQ ଧାନ ଆଣିଲେ କୃଷକମାନଙ୍କ ଖାତାକୁ ସିଧାସଳଖ ୩୧ ଶହ ଟଙ୍କା ଯିବ ।"
ଧାନ ନ ଉଠାଇଲେ ବ୍ଲାକ ଲିଷ୍ଟେଡ୍ ହେବେ ମିଲର:
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆହୁରି କହିଛନ୍ତି, "କୃଷକମାନେ FAQ ମାନର ଧାନ ଆଣି ପାରୁନାହାନ୍ତି । କଟନୀ ଛଟନୀ ଧାନ ନ ଆଣିଲେ ମିଲରମାନଙ୍କ କ୍ଷତି ହେଉଥିବା ସେମାନେ କହୁଛନ୍ତି । ଏ ବିଷୟରେ ସେମାନଙ୍କ ସହ ଆଲୋଚନା ହେବ । ଜିଲ୍ଲାପାଳଙ୍କୁ ଟୋକନ ଦାୟିତ୍ବ ଦିଆଯାଇଛି । ଯଦି ମିଲରମାନେ ଧାନ ନ ଉଠାଇବେ ତେବେ ଆମେ ବାଧ୍ୟ ହୋଇ ଅନ୍ୟବାଟ ଦେଖିବୁ । ପାଖ ଜିଲ୍ଲାଗୁଡ଼ିକୁ ଟ୍ୟାଗ କରି ମଣ୍ଡିରୁ ଧାନ ଉଠାଇବୁ । ମିଲରମାନେ ଏଗ୍ରିମେଣ୍ଟ କରି ଯଦି ଧାନ ଉଠାଇବେ ନାହିଁ ସେମାନେ ବ୍ଲାକ ଲିଷ୍ଟେଡ୍ ହେବେ । ଚାଷୀମାନେ ଯଦି FAQ ମାନର ଧାନ ଆଣିବେ ତେବେ ସେମାନଙ୍କର କଟନୀ ଛଟନୀ ହେବ ନାହିଁ । କିନ୍ତୁ କୃଷକମାନେ FAQ ମାନର ଧାନ ଆଣିପାରୁନାହାନ୍ତି । FAQ ମାନ ଉପରେ କମ୍ପjମାଇଜ କରାଯିବ ନାହିଁ । ''
ଏହା ମଧ୍ୟ ପଢ଼ନ୍ତୁ...ଟୋକନ ମିଳିଥିଲେ ସୁଦ୍ଧା ଉଠିପାରୁନି ଧାନ, ମଣ୍ଡି ସମ୍ମୁଖରେ ଚାଷୀଙ୍କ ରାସ୍ତାରୋକ ଏହା ମଧ୍ୟ ପଢ଼ନ୍ତୁ...ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ପ୍ରଶାସନର ପ୍ରତିଶ୍ରୁତି |
ସୂଚନା ଯୋଗ୍ୟକି, ଅଦ୍ୟାବଧି ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ବାରା ସମୁଦାୟ 1,00,170 କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି । କ୍ଷେତ୍ର ପରିଦର୍ଶନ ପରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଏବଂ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସରକାରୀ ଦରରେ ଧାନ କ୍ରୟ କରିବା ପାଇଁ ପ୍ରସ୍ତୁତି, ପରିଚାଳନା, ସଚେତନତା, ଅଦ୍ୟାବଧି ଧାନ କ୍ରୟ ପରିମାଣ, ଉପୁଜୁଥିବା ସମସ୍ୟା ସମାଧାନରେ ଜିଲ୍ଲା ପ୍ରଶାସନର ସହଯୋଗ ଆଦି ସମ୍ବନ୍ଧରେ ଦୃଶ୍ୟ ଫଳକ ଜରିଆରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ତଥ୍ଯ ଉପସ୍ଥାପନ କରିଛନ୍ତି ।
ଇଟିଭି ଭାରତ, ଭଦ୍ରକ