ସୁବର୍ଣ୍ଣପୁର: କେନ୍ଦ୍ର ଶିକ୍ଷା ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଧର୍ମେନ୍ଦ୍ରଙ୍କୁ ଦିଆଯାଇଥିବା ଏହି ଦାବିପତ୍ର ଦର୍ଶାଯାଇଛି । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବଲାଙ୍ଗୀରରୁ ବୌଦ୍ଧ ଯାଉଥିବା ସମୟରେ ସୁବର୍ଣ୍ଣପୁର ସହରର ବ୍ଲକ ଛକରେ ଏକତ୍ରିତ ହୋଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ବିଜେପି କାର୍ଯ୍ୟକର୍ତ୍ତା ତଥା ତାଙ୍କ ସମର୍ଥକମାନଙ୍କ ପାଖରେ ଅଟକିଥିଲେ । ଜିଲ୍ଲା ବିଜେପି ପୂର୍ବତନ ସଭାପତି ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ଧର୍ମେନ୍ଦ୍ରଙ୍କ ସହିତ ଜିଲ୍ଲାର ବିକାଶ ଓ ନୂତନ ପ୍ରକଳ୍ପ ଗୁଡିକ ସମ୍ପର୍କରେ ବିଜେପି କାର୍ଯ୍ୟକର୍ତ୍ତା ଆଲୋଚନା କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବା ବେଳେ ସୁବର୍ଣ୍ଣପୁରର ନୂତନ ଟ୍ରେନ ଲାଇନ ଉଦଘାଟନ କରିଥିଲେ । ପ୍ରଥମ କରି ସୁବର୍ଣ୍ଣପୁରରୁ ପୁରୀ ପୁରୁଷୋତ୍ତମ କ୍ଷେତ୍ରକୁ ଏକ ନୂତନ ସାପ୍ତାହିକ ଟ୍ରେନର ମଧ୍ୟ ଶୁଭ ଉଦଘାଟନ କରିଥିଲେ । ସେହିପରି ପ୍ରତିଦିନ ସୁବର୍ଣ୍ଣପୁର ଭୁବନେଶ୍ୱର ପର୍ଯ୍ୟନ୍ତ ଏକ ଟ୍ରେନ ଚଳାଚଳର ଉଦଘାଟନ କରାଯାଇଛି । ତେବେ ନୂଆକରି ଚାଲିଥିବା ଏହି ଟ୍ରେନ ସୁବର୍ଣ୍ଣପୁର-ଭୁବନେଶ୍ୱରକୁ ପାତାଳୀ ଶ୍ରୀକ୍ଷେତ୍ର ଏକ୍ସପ୍ରେସ ନାମରେ ନାମିତ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଜିଲ୍ଲାବାସୀ ଦାବି କରିଛନ୍ତି ।
ସେହିପରି ଜିଲ୍ଲାରେ ଏକ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା, ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଜିଲ୍ଲାରେ ରହିଥିବା ପ୍ରାଚୀନ ପର୍ଯ୍ୟଟନ ପୀଠ ପାତାଳୀ ଶ୍ରୀକ୍ଷେତ୍ର, ଭୀମଭୋଇ ସମାଧି ପୀଠ, ରାମେଶ୍ୱର, ସୁବର୍ଣ୍ଣମେରୁଙ୍କ ସମେତ ଅଷ୍ଟ ଶମ୍ଭୁଙ୍କ ମନ୍ଦିର, ଦେବୀ ମା' ସୁରେଶ୍ୱରୀଙ୍କ ସମେତ ଅଷ୍ଟ ଚଣ୍ଡୀଙ୍କ ମନ୍ଦିର, ଗୋଧନେଶ୍ୱର, କପିଳେଶ୍ୱର ତଥା କୋଶଳେଶ୍ୱର ପ୍ରାଚୀନ ପର୍ଯ୍ୟଟନ ପୀଠର ବିକାଶ କରିବା ଆଦି ସମ୍ପର୍କରେ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ଜିଲ୍ଲାବାସୀଙ୍କ ଦାବି ପୂରଣ ପାଇଁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଗକୁ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ ଆସୁଥିବାରୁ ମନ୍ତ୍ରୀ ବେଶ କିଛି ସମୟ ବ୍ଲକ ଛକରେ ଅଟକି ଜିଲ୍ଲାବାସୀଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଜିଲ୍ଲାର ବିକାଶ ପାଇଁ ଜିଲ୍ଲାବାସୀଙ୍କ ଦାବି ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହିତ ଅନ୍ୟ ବିଭାଗ ଗୁଡିକୁ ଜିଲ୍ଲାବାସୀଙ୍କ ଦାବି ପ୍ରତି ଅବଗତ କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ ନିକଟରେ ପାଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିବା ସହିତ ବେଶ ଉତ୍ସାହିତ ଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର