ପୁରୀ: ଶ୍ରୀମନ୍ଦିର ମେଘନାଦ ପ୍ରାଚୀରରେ ଫାଟ ସୃଷ୍ଟି ହେବା ଓ ପାଣି ଗଳିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି । ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ପ୍ରଶାସନିକ ସମନ୍ୱୟ ଅଭାବରୁ ମରାମତି ବିଳମ୍ବ ହୋଇ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ସହ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଏନେଇ ପାଚେରିର ତୁରନ୍ତ ସ୍ଥାୟୀ ମରାମତି ଏବଂ ପୁନଃରୁଦ୍ଧାର ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ‘ASI’କୁ ଅନୁରୋଧ କରି ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ । ଏଥିସହ ସହ ପ୍ରାଚୀରର ଏକ ସାମଗ୍ରିକ ବୈଜ୍ଞାନିକ ସର୍ଭେ କରିବାକୁ ମଧ୍ୟ ‘ASI’ ଅଧିକ୍ଷକଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି । ଏନେଇ ASI ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ କହିଛନ୍ତି, "ଆମେ ଶ୍ରୀମନ୍ଦିର ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ଅଛୁ । ଆବଶ୍ୟକ ଅନୁସାରେ, ପଦକ୍ଷେପ ଗ୍ରହଣ କରାଯିବ ।"
- ଶିଉଳୀ ଛଡା କାମ ଆରମ୍ଭ କରିଛି ପ୍ରଶାସନ:-
ମେଘନାଦ ପ୍ରାଚୀରରେ ବିଭିନ୍ନ ସ୍ଥାନରେ କେତେକ ଫାଟ ହୋଇଥିବା ନଜରକୁ ଆସିଛି । ଫଳରେ ଭିତରପଟୁ ପାଣି ଝରୁଛି । ଶ୍ରୀମନ୍ଦିର ପ୍ରଶାସନର ନିର୍ମାଣ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ଶିଉଳୀ ଛଡା କାମ ସହ ପାଣି ଝରିବା ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି । ଆନନ୍ଦ ବଜାରର ଡ୍ରେନେଜ୍ ବ୍ୟବସ୍ଥାରେ ଥିବା ତ୍ରୁଟି ସୁଧାରିବା ପାଇଁ ଇତିମଧ୍ୟରେ ଟେଣ୍ଡର ପ୍ରକିୟା ମଧ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ଏହି ମରାମତି କାମ ଆରମ୍ଭ ହେବ । ଆନନ୍ଦ ବଜାରରେ ଥିବା ଡ୍ରେନେଜ, ଅନ୍ୟ ନଳା ଓ ଶ୍ରଦ୍ଧାଳୁଙ୍କ ହାତଧୁଆ ସ୍ଥାନର ପାଣି ଦୁର୍ବଳ ହୋଇପଡିଥିବା ପାଚେରି ଦେଇ ବାହାରକୁ ଝରୁଥିବା ଦେଖିବାକୁ ମିଳୁଛି । ଭିତରର ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବା ସହ ପାଚେରିରେ ଥିବା ଫାଟ ମରାମତି ଉପରେ ଧ୍ୟାନ ଦିଆଯାଉଛି ।
- ASIକୁ ସମସ୍ତ ସହଯୋଗ କରିବ ଶ୍ରୀମନ୍ଦିର ପ୍ରଶାସନ:-
ଏବେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପ୍ରାଚୀର ମରାମତି ତଥା ପୁନଃରୁଦ୍ଧାର କାର୍ଯ୍ୟ ଅତିଶୀଘ୍ର ହାତକୁ ନେବାକୁ ‘ASI’ କୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ । ଏହା ସହ ଏହି କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ‘ASI’କୁ ପୂର୍ଣ୍ଣ ସହଯୋଗ ଯୋଗାଇଦେବା ନେଇ ମୁଖ୍ୟ ପ୍ରଶାସକ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
ଇଟିଭି ଭାରତ, ପୁରୀ