ରାଇରଙ୍ଗପୁର: ବାରିପଦାରେ ବଲିଉଡ ଷ୍ଟାର ଗୋବିନ୍ଦା । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ପାରମ୍ପରିକ ଲୋକକଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଆଦିର ବିକାଶ ଲକ୍ଷ୍ୟରେ ଅନୁଷ୍ଠିତ 'ଆଦି ଫେଷ୍ଟ-୨୦୨୪' କାର୍ଯ୍ୟକ୍ରମରେ ଯୋଗଦେଇ ଧୁମ ମଚାଇଛନ୍ତି ଗୋବିନ୍ଦା । ଫିଲ୍ମି ଡାଇଲଗ ସହ ତାଙ୍କ ୟୁନିକ ଡ୍ୟାନ୍ସ ମାଧ୍ୟରେ ଦର୍ଶକଙ୍କୁ ଦିୱାନା କରିଛନ୍ତି । ସେପଟେ ଏହି ବଲିଉଡ ଷ୍ଟାରଙ୍କୁ ଦେଖିବା ପାଇଁ ଜନସମୁଦ୍ର ପାଲଟିଥିଲା ବାରିପଦା ସହର ସ୍ଥିତ ଐତିହାସିକ ଛଉ ପଡ଼ିଆ ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଐତିହାସିକ ଛଉ ପଡ଼ିଆରେ ଦୁଇ ଦିନ ଧରି ଜନଜାତି ସାଂସ୍କୃତିକ ସମ୍ମିଳନୀ 'ଆଦି ଫେଷ୍ଟ' ଅନୁଷ୍ଠିତ ହୋଇଥିବା ବେଳେ ଗତକାଲି(ରବିବାର) ଉଦଯାପିତ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଭାବେ ବଲିଉଡ ଅଭିନେତା ଗୋବିନ୍ଦା ଯୋଗ ଦେଇଥିଲେ । ବାରିପଦାରେ ବଲିଉଡ ଷ୍ଟାର ଗୋବିନ୍ଦା ଧମାକେଦାର ଏଣ୍ଟ୍ରି କରିବା ସହ କାର୍ଯ୍ୟକ୍ରମରେ ଧୁମ ମଚାଇଥିଲେ । ତାଙ୍କ ଫିଲ୍ମି ଡାଇଲଗ ଓ ଡ୍ୟାନ୍ସ ଦର୍ଶକଙ୍କୁ ଦିୱାନା କରିଥିଲା । ବଲିଉଡ୍ ଷ୍ଟାର ଗୋବିନ୍ଦାଙ୍କ ଝଲକ ପାଇବା ପାଇଁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାର ପାରମ୍ପରିକ ଲୋକକଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଓ ଆର୍ଥିକ ବିକାଶ ସହିତ ଓଡ଼ିଶାର ପୂରାତନ ଗୌରବକୁ ବଜାୟ ରଖିବା ପାଇଁ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଲୋକକଳାର ପ୍ରଦର୍ଶନ ସହିତ କଳା ସହ ଜଡ଼ିତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସରକାରଙ୍କ ତରଫରୁ ପାରମ୍ପରିକ ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ କଳାକାର ଯୋଗ ଦେଇଥିଲେ । ବଲିଉଡ କଣ୍ଠଶିଳ୍ପୀ ଜୁନ ଦାସ, ଅଭିନେତ୍ରୀ ସଞ୍ଜୟ ସିଂ ବାରି, ମିରଣ୍ଡା ଦାସ, ପାର୍ଶୀ ମାରାଣ୍ଡି, ଲିପ୍ସା ଦାସ ଏବଂ ସ୍ଥାନୀୟ କଳାକାରମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଦର୍ଶକମାନଙ୍କ ପାଇଁ ଆକର୍ଷିତ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ.....କେନ୍ଦୁଝରରେ ଆଦି ମହୋତ୍ସବ, ୩ ଦିନ ଧରି ଚାଲିବ ଆଦିବାସୀ କଳାସଂସ୍କୃତି ପ୍ରଦର୍ଶନ
ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାନ୍ସଦା, ମରୋଡା ବିଧାୟକ ରାଜକିଶୋର ଦାସ, ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡା ଦେବାଶିଷ ମାରାଣ୍ଡି, ଉପାଧ୍ୟକ୍ଷା କମଳା ତିରିଆ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ମୟୂରଭଞ୍ଜ