ଭୁବନେଶ୍ବର: ଆଜିଠାରୁ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ । ଫୋକସରେ ରହିଛି ଓଡ଼ିଶାର 7 ଟି ଜିଲ୍ଲା । ଦେଶର 11ଟି ରାଜ୍ୟରେ ମାସ୍ ଡ୍ରଗ ଆଡମିନିଷ୍ଟ୍ରେସନ ଆରମ୍ଭ ହୋଇଛି । ଯାହା ଫେବୃଆରୀ 19 ତାରିଖ ଯାଏଁ ଚାଲିବ । ଓଡ଼ିଶାର 7ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ କରାଯାଉଛି । ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନସିଂ ଜରିଆରେ ମିଳିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ।
ଓଡି଼ଶାର ବଲାଙ୍ଗୀର, ଖୋର୍ଦ୍ଧା, କଟକ, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ ଓ ରାୟଗଡ଼ା ଆଦି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ସାମୂହିକ ଔଷଧ ସେବନ (MDA) କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି 7 ଜିଲ୍ଲାର 56 ବ୍ଳକ ତଥା ସହରାଞ୍ଚଳରେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଯେଉଁଠି ବାତଜ୍ବରର ଅଧିକ ପ୍ରଭାବ ରହିଛି, ସେହି ସ୍ଥାନମାନଙ୍କରେ ହେବ ଔଷଧ ସେବନ । ସେହିପରି 3ଟି ଜିଲ୍ଲା ଯଥା ବଲାଙ୍ଗୀର, କଳାହାଣ୍ଡି ଓ ରାୟଗଡ଼ାରେ ୩ ପ୍ରକାର ବଟିକା ଦିଆଯିବ । ଡିଇସି, ଆଲବେଣ୍ଡାଜୋଲ ଓ ଆଇଭରମେକ୍ଟିନ ଔଷଧ ସେବନ କରିବାକୁ ଦିଆଯିବ । ଏହାସହ 4ଟି ଜିଲ୍ଲା ଯଥା କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳରେ ଦୁଇ ପ୍ରକାରର ଔଷଧ (ଡିଇସି ଓ ଆଲବେଣ୍ଡାଜୋଲ) ଦିଆଯିବ ।
ସୂଚନା ଅନୁସାରେ, 7ଟି ଜିଲ୍ଲାରେ ପ୍ରାୟ 45 ଲକ୍ଷ 89 ହଜାର 794 ଲୋକଙ୍କୁ ଏହି ଔଷଧ ଖାଇବାକୁ ଦିଆଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପାଇଁ 16 ହଜାର 747 ଡ୍ରଗ ଆଡମିନିଷ୍ଟ୍ରେଟର ବା ସ୍ୱେଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ନିୟୋଜିତ କରାଯାଇଛି । କାର୍ଯ୍ୟକ୍ରମକୁ ସଠିକ୍ ଭାବରେ ତଦାରଖ କରିବା ପାଇଁ 1 ହଜାର 712 ଜଣ ତଦାରଖକାରୀ ବା ସୁପରଭାଇଜର ନିୟୋଜିତ ହୋଇଛନ୍ତି । ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ଘରକୁ ଘର ଯାଇ ଏହି ଔଷଧ ସେବନ କରାଇବେ ।
ଏହା ମଧ୍ୟ ପଢନ୍ତୁ...ଜାତୀୟ କୃମି ନାଶକ ଦିବସ: ୧୨ ନିୟୁତ ମହିଳା ଏବଂ ଶିଶୁଙ୍କୁ ଦିଆଯିବ ଔଷଧ
ଭ୍ରାମ୍ୟମାଣ ଟିମ୍ ଗୁଡିକ ସ୍କୁଲ, କଲେଜ ଓ ଅଫିସକୁ ଯାଇ ଔଷଧ ସେବନ କରାଇବେ । ୨ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଲୋକମାନଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଆଶା ତଥା ସ୍ୱେଚ୍ଛାସେବୀଙ୍କ ସାମ୍ନାରେ ଫାଇଲେରିଆ ନିରାକରଣ ଔଷଧଗୁଡିକ ସେବନ କରିବାକୁ ହେବ । ଆଇଭରମେକ୍ଟିନ ବଟିକା 6 ବର୍ଷରୁ ଉର୍ଦ୍ଧ ବୟସର ଲୋକମାନଙ୍କୁ ଉଚ୍ଚତା ଅନୁଯାୟୀ ଦିଆଯିବ। "ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଓଡି଼ଶା ସରକାରଙ୍କ ବିଭିନ୍ନ ବିଭାଗ ସହିତ ସମନ୍ୱୟ ଲୋଡ଼ାଯାଇଛି । ଏହି ଅଞ୍ଚଳର ଲୋକମାନେ ଫାଇଲେରିଆ ନିରୋଧ ଔଷଧ ସେବନ କରିବା ସହ 'ଫାଇଲେରିଆ ମୁକ୍ତ ଓଡିଶା ଗଠନ' ପାଇଁ ଆହ୍ୱାନ ଦିଆଯାଇଛି" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ।
ଇଟିଭି ଭାରତ, ଭୁବନେଶ୍ବର