ETV Bharat / state

୨୫ବର୍ଷ ପରେ ପଡିଲା ମହାବାରୁଣୀ ଯୋଗ, 3 ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ - MahaBaruni Snana

MahaBaruni Snana: ଦୀର୍ଘ 25ବର୍ଷ ପରେ ପଡିଲା ମହାବାରୁଣୀ ଯୋଗ । 3 ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 6, 2024, 5:41 PM IST

Updated : Apr 6, 2024, 6:13 PM IST

MahaBaruni Snana
MahaBaruni Snana
୨୫ବର୍ଷ ପରେ ପଡିଲା ମହାବାରୁଣୀ ଯୋଗ, 3 ନଦୀର ସଙ୍ଗମ ସ୍ଥଳରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

କେନ୍ଦ୍ରାପଡ଼ା: ପ୍ରତିବର୍ଷ ହୁଏ ବାରୁଣୀ ସ୍ନାନ, କିନ୍ତୁ ପ୍ରାୟ ୨୨-୨୫ ବର୍ଷରେ ଥରେ ପଡିଥାଏ ମହାବାରୁଣୀ ଯୋଗ । ଯେଉଁଥିପାଇଁ କେନ୍ଦ୍ରାପଡ଼ା ବ୍ଲକ ଉପକଣ୍ଠ ତଥା ଯାଜପୁର ଜିଲ୍ଲା ସୀମାରେ ଥିବା ଏହି ତିନି ନଦୀର ସଙ୍ଗମ ସ୍ଥଳରେ ଅଧିକରୁ ଅଧିକ ଭିଡ଼ ଲାଗିଥାଏ । ଦୀର୍ଘ ୨୦୦ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ପରମ୍ପରା ଏବଂ ଦୁଇ ଜିଲ୍ଲାର ସୀମାରେ ଅବସ୍ଥିତ ତିନୋଟି ନଦୀର ସଙ୍ଗମସ୍ଥଳୀରେ ବୁଡ଼ ପକାଇ ଜନ୍ମ ଜନ୍ମାନ୍ତର ପାପରୁ ମୋକ୍ଷ ପାଇବା ପାଇଁ ବିନତି କରିଥାନ୍ତି ଭକ୍ତ ଓ ମାନସିକଧାରୀ ।

ପ୍ରତିବର୍ଷ ଚୈତ୍ର କୃଷ୍ଣ ଦ୍ଵାଦଶୀ ଅଥବା ତ୍ରୟୋଦଶୀ ତିଥିରେ ଏହି ବାରୁଣୀ ସ୍ନାନ ପଡ଼ିଥାଏ । ଏହି ସମୟରେ କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ହୋଇଯାଏ ଉତ୍ସବମୁଖର । କେନ୍ଦ୍ରାପଡ଼ା ନିକିରାଇ ଥାନା ଅଧିନ ଇନ୍ଦୁପୁରର ଅଧିଷ୍ଠାତ୍ରୀ ଦେବୀ ମା' ଚଣ୍ଡୀଦେବୀଙ୍କୁ ରାତ୍ରର ଚତୁର୍ଥ ପ୍ରହର ସମୟରେ ସ୍ନାନ କରାଯିବା ପରେ ଭକ୍ତମାନେ ଆରମ୍ଭ କରିଥାନ୍ତି ଏହି ବାରୁଣୀ ସ୍ନାନ । ଜିଲ୍ଲାର କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଡେରାବିଶ ବ୍ଲକ ସମେତ ପଡୋଶୀ ଯାଜପୁର ଜିଲ୍ଲାର ବରୀ ଓ ବିଞ୍ଝାରପୁର ଅଞ୍ଚଳରୁ ବାରୁଣୀରେ ବୁଡ଼ ପକାଇବା ପାଇଁ ଭିଡ଼ ଲାଗିଥାଏ । ବ୍ରାହ୍ମଣୀ, ବିରୂପା ଓ କେଲୁଅ ନଦୀର ସଙ୍ଗମ ସ୍ଥଳୀ ଇନ୍ଦୁପୁରର ଗୋଟିଏ ପଟେ ମା' ଚଣ୍ଡୀଦେବୀ ଅନ୍ୟପଟେ ମା' ବିରଜାଙ୍କ ଦର୍ଶନ କରି ଧନ୍ୟ ହୋଇଥାଏ ଜୀବନ । ଆଉ ଶହେ ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ବାସ ରଖି ଏଠାରେ ବୁଡ଼ ପକାଇଥାନ୍ତି ଭକ୍ତ ।

ରାତ୍ରର ଚତୁର୍ଥ ପ୍ରହରରେ ଏହି ତ୍ରିନଦୀ ସଙ୍ଗମ ସ୍ଥଳରୁ ପବିତ୍ର ଜଳକୁ ଚଣ୍ଡୀଦେବୀଙ୍କ ପୂଜକ ଆଣି ମା'ଙ୍କୁ ସ୍ନାନ କରାଇବା ପରେ ଅପେକ୍ଷାରତ ଭକ୍ତମାନେ ବୁଡ଼ ପକାଇଥାନ୍ତି । ଏହାପରେ ମା'ଙ୍କର ସର୍ବାଙ୍ଗ ଶରୀର ଲାଗି କରାଯାଇ ମା'ଙ୍କର ନବଦୁର୍ଗା ବେଶ କରାଯାଇଥାଏ । ସ୍ନାନ ସାରି ମା'ଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବା ପାଇଁ ଭକ୍ତ ଅପଲକ ନୟନରେ ଚାହିଁ ରହିଥାଏ । ତେବେ ଚଳିତବର୍ଷ ପ୍ରାୟ ୨୩ ବର୍ଷ ପରେ ମହା ବାରୁଣୀ ଯୋଗ ପଡ଼ିଥିବାରୁ ଏଥର ଶ୍ରଦ୍ଧାଳୁମାନଙ୍କର ଭିଡ ଅଧିକ ହୋଇଛି । ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଶନିବାର ଅବା ମଙ୍ଗଳବାର ପଡିଲେ ଏହି ଦିନକୁ ମହାବାରୁଣୀ ଯୋଗ କୁହାଯାଇଥାଏ । ଚଳିତବର୍ଷ ଶନିବାର ଦିନ ଏହି ବାରୁଣୀ ଯୋଗ ପଡ଼ିଥିବାରୁ ଏହାକୁ ମହାବାରୁଣୀ କୁହାଯାଇଛି ।

ଏହା ବି ପଢନ୍ତୁ- କରୋନା ପ୍ରକୋପରେ ବନ୍ଦ ହେଲା ମହାବାରୁଣୀ ସ୍ନାନ

କେବଳ ସ୍ନାନ ନୁହେଁ, ନୂଆ କରି ବିବାହ କରିଥିବା ଦମ୍ପତ୍ତି ଏହି ବାରୁଣୀ ବୁଡ଼ ପକାଇ ବିବାହ କର୍ମରେ ବ୍ୟବହାର ହୋଇଥିବା ପଉଡ ମସିଣା, ବିବାହ ମୁକୁଟ ଆଦି ବିସର୍ଜନ କରିଥାଆନ୍ତି । ସେପଟେ ଏହି ନଦୀ ଭିତରକନିକା ସହ ସଂଯୋଗ ହୋଇଥିବାରୁ ଅନେକ ସମୟରେ କୁମ୍ଭୀର ମାନେ ନଦୀରେ ଆସିଥାନ୍ତି ଯେଉଁଥିପାଇଁ କି ନଦୀ କୂଳରେ କୁମ୍ଭୀର ପ୍ରତି ସାବଧାନ ରହିବା ପାଇଁ ସଚେତନ କରାଯାଇଛି । ସେହିପରି ସ୍ନାନ ପାଇଁ ଦୁଇଟି ପୃଥକ ଘାଟ କରାଯାଇଛି । ମହିଳାଙ୍କ ପାଇଁ ଅସ୍ଥାୟୀ ଶାଢ଼ୀ ବଦଳ କରିବା ପାଇଁ ପ୍ରକୋଷ୍ଠ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମଟର ଚାଳିତ ବୋଟ ସହିତ ଲାଇଫ ସପୋର୍ଟ ଜ୍ୟାକେଟ ମଧ୍ୟ ମହଜୁଦ ରଖାଯାଇଥିବା ବେଳେ ଆଜି ସ୍ନାନ ବେଳେ ଜଣେ ଯୁବକ ବୁଡି ଯାଉଥିବା ସମୟରେ ଏହି ଯନ୍ତ୍ରଚାଳିତ ଡଙ୍ଗା କାମ ନକରିବାରୁ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଦ୍ବାରା ପହଁରି ପହଁରି ଉଦ୍ଧାର କରାଯାଇଥିଲା ।

ଆସନ୍ତାକାଲିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଓଲିଉଡ ଜଗତର ନାମିଦାମି କଳାକାର ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ ତଥା ବାରୁଣୀ ମହୋତ୍ସବ କମିଟିର ସଭାପତି । ଅପରପକ୍ଷରେ ଲୋକ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ରହିଛି। ଶନିବାର ପଡୁଥିବା ବାରୁଣୀକୁ ମହାବାରୁଣୀ, ମଙ୍ଗଳବାର ପଡୁଥିବା ବାରୁଣୀକୁ ଯୋଗ ବାରୁଣୀ ଓ ଅନ୍ୟ ପାଞ୍ଚ ଦିନରେ ପଡୁଥିବା ବାରୁଣୀକୁ ମଧୁ ବାରୁଣୀ କୁହାଯାଉଥିବା ବେଳେ ଆଜି ଶନିବାର ପଡିଥିବା ଏହି ବାରୁଣୀକୁ ମହା ବାରୁଣୀ କୁହାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

Last Updated : Apr 6, 2024, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.