ନିମାପଡ଼ା: ଚନ୍ଦ୍ରଭାଗା ବେଳାଭୂମିରେ ଅଘଟଣ । ସମୁଦ୍ରରେ ଗାଧୋଇବା ହେଲା କାଳ । ଭାସିଗଲେ ୫ ପର୍ଯ୍ୟଟକ । ଏଥିରେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଗତକାଲି (ସୋମବାର) କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଏହି ଅଘଟଣ ଘଟିଛି । ମୃତକ ଜଣକ ହେଲେ ସୁଦାମା ପ୍ରସାଦ ଶାହା(୧୮) ଏବଂ ତାଙ୍କ ଘର ମଧ୍ୟପ୍ରଦେଶ ସିଙ୍ଗ୍ରାଉଲି ଜିଲ୍ଲାରେ ବୋଲି ଜଣାପଡ଼ିଛି । ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରି ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ସିଙ୍ଗ୍ରାଉଲି ଜିଲ୍ଲାର ସୁଦାମା ପ୍ରସାଦ ଶାହା ନିଜ ପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ । ହେଲେ ସୋମବାର ଦିନ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ପରିବାର ସମସ୍ତ ସଦସ୍ୟ ସମୁଦ୍ରରେ ଗାଧୋଇଥିଲେ । ହେଲେ ଅସାବଧାନତା ଯୋଗୁଁ ସମୁଦ୍ର ଭିତରକୁ ଟାଣି ହୋଇ ଯାଇଥିଲେ । ସ୍ଥାନୀୟ ଲାଇଫ ଗାର୍ଡ ଏମ୍ ରାମଙ୍କ ଦ୍ଵାରା ୪ ଜଣ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ସମସ୍ତଙ୍କୁ ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକମାନେ ଆସି ନିଜ ପରିବାର ଓ ସାଙ୍ଗସାଥିଙ୍କ ସହ ଚନ୍ଦ୍ରଭାଗା ବେଳାଭୂମିରେ ମଉଜ ମଜଲିସ କରୁଛନ୍ତି । ସାଧାରଣତଃ ଲୋକେ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ଆସିଥାନ୍ତି । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିବା ସହ ଖୁସି ମନାଇଥାନ୍ତି । ହେଲେ ନିଜର ଅସାବଧାନତା ଯୋଗୁଁ ଏଭଳି ଦୁଃଖଦ ଘଟଣା ଘଟିଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ...ଜେଜେ ମା’ର ଶୁଦ୍ଧିକ୍ରିୟା ପାଇଁ ଚାଲିଗଲା ନାତୁଣୀର ଜୀବନ
ଏହା ମଧ୍ୟ ପଢନ୍ତୁ...ଭୋଜି ହେଲା କାଳ, ନଦୀରେ ବୁଡ଼ି ଗୋଟିଏ ପରିବାରର ୩ ମୃତ
ଗ୍ରୀଷ୍ମ ଋତୁ ଚାଲିଥିବାରୁ ପର୍ଯ୍ୟଟକମାନେ କୋଣାର୍କ ସମୁଦ୍ରରେ ଗାଧୋଇ ପରିବାର ସହିତ ବେଶ୍ ମଜା ନେଇଥାନ୍ତି । ସାମାନ୍ୟ ଅସାବଧାନତା ପାଇଁ ଅନେକ ସମୟରେ ଚାଲିଯାଇଥାଏ ଜୀବନ । ସ୍ଥାନୀୟ ପୋଲିସର ଆବଶ୍ୟକ ସଂଖାରେ ପୋଲିସ କର୍ମଚାରୀ ନିୟୋଜିତ ନହେବା ଓ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ଗଭୀର ସମୁଦ୍ରକୁ ଗାଧୋଇବା ପାଇଁ ନଯିବା ଉପରେ ଆବଶ୍ୟକ ସଚେତନ ନ କରିବାରୁ ଅକାଳରେ ଜୀବନ ଚାଲିଯାଉଛି ।
ଇଟିଭି ଭାରତ, ନିମାପଡ଼ା