ହାଇଦ୍ରାବାଦ: ସନାତନ ଧର୍ମର ଚାରି ଆଦିପୀଠ ମଧ୍ୟରୁ ଅନ୍ୟତମ ଭାରତର ପୂର୍ବ-ଉପକୂଳରେ ଅବସ୍ଥିତ ଶ୍ରୀକ୍ଷେତ୍ର ପୁରୀ । ଐତିହାସିକଙ୍କ ମତରେ 12ଶହ ଖ୍ରୀଷ୍ଟାବ୍ଦରେ ଉତ୍କଳରେ ରାଜତ୍ବ କରୁଥିବା ଗଙ୍ଗବଂଶୀୟ ରାଜାଙ୍କ ଦ୍ବାରା ନିର୍ମିତ ହୋଇଥିଲା ଏହି ଭବ୍ୟ ମନ୍ଦିର । ପୁରା ବିଶ୍ବକୁ ସନାତନ ସଂସ୍କୃତି ଓ ଉତ୍କଳୀୟ ଭାସ୍କର୍ଯ୍ୟ କଳାର ପରିଚୟ ଦେଉଥିବା ଏହି ମନ୍ଦିର ଭଗବାନ ଶ୍ରୀବିଷ୍ଣୁଙ୍କର ଏକ ଅଂଶ ଭାବେ ଭଗବାନ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସମର୍ପିତ । ସମୟକ୍ରମେ ଉତ୍କଳୀୟ ପରମ୍ପରାରୁ ସୃଷ୍ଟି ହୋଇଥିବା ଜଗନ୍ନାଥ ସଂସ୍କୃତି ଓ ଚେତନା ବିଶ୍ବର କୋଣ ଅନୁକୋଣକୁ ପ୍ରଚାରିତ ହୋଇଛି । ମାତ୍ର ଏହି ଭବ୍ୟ ମନ୍ଦିର ବିଦେଶୀ ଶାସକଙ୍କ ଆକ୍ରମଣ ଓ ଲୁଣ୍ଠନରୁ ବାଦ ପଡିନଥିଲା । ହିନ୍ଦୁଧର୍ମର ଅନ୍ୟତମ ଆସ୍ଥାକେନ୍ଦ୍ର ଶ୍ରୀମନ୍ଦିର ନିର୍ମାଣ ହେବା ପରଠାରୁ 18ଥର ଅଣହିନ୍ଦୁ ଶାସକଙ୍କ ଆକ୍ରମଣର ଶିକାର ହୋଇଛି ।
ଏହି ଆକ୍ରମଣ ସମୟରେ କେତେବେଳେ ମନ୍ଦିର ବନ୍ଦ ରଖାଯାଇଛି, ତ କେତେବେଳେ ଶ୍ରୀବିଗ୍ରହଙ୍କୁ ଲୁଚାଯାଇଛି । ଏପରିକି ରତ୍ନବେଦୀରୁ ସ୍ଥାନାନ୍ତରଣ ମଧ୍ୟ କରିବାରକୁ ପଡିଛି । ଶ୍ରୀବିଗ୍ରହ ଏକାଧିକ ଥର ସ୍ଥାନାନ୍ତିରତ ହୋଇ ଅନ୍ୟତ୍ର ଅବସ୍ଥାପିତ ହୋଇଛନ୍ତି । ଶହ ଶହ ବର୍ଷ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ତେବେ ବିଭିନ୍ନ ପାଞ୍ଜି ଓ ଐତିହାସିକଙ୍କ ବର୍ଣ୍ଣନା ଅନୁସାରେ, ପ୍ରାୟ 18ଥର ଆକ୍ରମଣର ଶିକାର ହୋଇଛି ଶ୍ରୀମନ୍ଦିର । ସବୁଥର ଇସଲାମୀୟ ଶାସକମାନେ ଆକ୍ରମଣ କରିଛନ୍ତି ।
ପ୍ରଥମ ଆକ୍ରମଣ:-
ମାଦଳାପାଞ୍ଜିର ବର୍ଣ୍ଣନା ଅନୁସାରେ, ପ୍ରଥମଥର ରକ୍ତବାହୁ ନାମକ ଶାସକ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା । ସମୁଦ୍ର ପଥରେ ବିଶାଳ ସେନା ଧରି ରକ୍ତବାହୁ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ଶ୍ରୀମନ୍ଦିରରୁ ଶ୍ରୀବିଗ୍ରହମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ସୋନପୁର ଜିଲ୍ଲାରେ ତିନିଠାକୁରଙ୍କ ବିଗ୍ରହକୁ ପାତାଳି କରାଯାଇଥିଲା । ପ୍ରାୟ 146 ବର୍ଷ ପର୍ଯ୍ୟନ୍ତ ଶ୍ରୀବିଗ୍ରହ ଶ୍ରୀକ୍ଷେତ୍ର ଫେରିନଥିଲେ । ପରେ ସୋମବଂଶୀ ରାଜା ଯଜାତି (ପ୍ରଥମ)ଙ୍କ ଶାସନ କାଳରେ ଶ୍ରୀବିଗ୍ରହଙ୍କୁ ପାତାଳୀରୁ ପୁନରୁଦ୍ଧାର କରାଯାଇ ଶ୍ରୀକ୍ଷେତ୍ର ଅଣାଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାତାଳି କରାଯାଇଥିବା ସ୍ଥାନର ସୋନପୁର ଜିଲ୍ଲାର ଗୋପାଳିକୁ ପାତାଳି ଶ୍ରୀକ୍ଷେତ୍ର ବୋଲି ମାନ୍ୟତା ରହିଛି । ହେଲେ ଏହି ସମୟ ସମ୍ପର୍କରେ ସେପରି କିଛି ନିର୍ଦ୍ଦିଷ୍ଟ ତଥ୍ୟ ଉଲ୍ଲେଖ କରାଯାଇନା ହିଁ ।
ଦ୍ବିତୀୟ ଆକ୍ରମଣ:-
1340 ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ବଙ୍ଗର ନବାବ ଆଲିଆସ ଶାହ ପୁରୀ ଆକ୍ରମଣ କରିଥିଲେ । ସେତେବେଳେ ପୁରୀରେ ନରସିଂହ ଦେବ-ତୃତୀୟଙ୍କର ଶାସନ ଥିଲା । ନବାବଙ୍କ ବିଶାଳ ସେନା ପୁରୀ ସହରରେ ପ୍ରବେଶ କରିବା ପୂର୍ବରୁ ପୂର୍ବଥର ପରି ଶ୍ରୀବିଗ୍ରହଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ନବାବଙ୍କ ସେନା ପୁରୀରେ ନରସଂହାର କରିବା ସହ ମନ୍ଦିରରୁ ଲୁଣ୍ଠନ କରି ଫେରିଯାଇଥିଲେ । ହେଲେ ସେଥର ମଧ୍ୟ ଶ୍ରୀବିଗ୍ରହଙ୍କୁ ସୁରକ୍ଷିତ ରଖିବାରେ ସେବାୟତମାନେ ସଫଳ ହୋଇଥିଲେ ।
3ୟ ଆକ୍ରମଣ:-
2ୟ ଆକ୍ରମଣର ଠିକ 20ବର୍ଷ ପରେ ତୃତୀୟ ଆକ୍ରମଣ ଦେଖିଥିଲା ଶ୍ରୀକ୍ଷେତ୍ର । ସେତେବେଳେ ଗଙ୍ଗବଂଶର ରାଜା ଭାନୁଦେବ ପ୍ରଥମ ପୁରୀର ରାଜା ଥିଲେ । ଦିଲ୍ଲୀର ଶାସକ ଫିରୋଜ ଶାହା ତୋଗଲକ ପୁରୀ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶ୍ରୀମନ୍ଦିରର ବ୍ୟାପକ କ୍ଷତି ହୋଇଥିଲା । ଏପରିକି ଇସଲାମ ଶାସକଙ୍କ ସେନା ଶ୍ରୀମନ୍ଦିରରୁ ଶ୍ରୀବିଗ୍ରମାନଙ୍କୁ ନେଇ ସମୁଦ୍ରରେ ଫିଙ୍ଗି ଦେଇଥିବା ମଧ୍ୟ ଶୁଣିବାକୁ ମିଳେ । ମାତ୍ର ସେପରି କୌଣସି ଐତିହାସିକ ପ୍ରମାଣ କିମ୍ବା ଉଲ୍ଲେଖ ଏସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।
4ର୍ଥ ଆକ୍ରମଣ
1509 ମସିହାରେ ବଙ୍ଗର ତତ୍କାଳୀନ ଶାସକ ଇସମଲାଇ ଶାହ ମଧ୍ୟ ପୁରୀ ଆକ୍ରମଣ କରିଥିବାର ଉଲ୍ଲେଖ ରହିଛି । ସେତେବେଳେ ପୁରୀରେ ସୂର୍ଯ୍ୟବଂଶୀ ରାଜା ପୁରୁଷୋତ୍ତମ ଦେଶଙ୍କ ରାଜତ୍ବ ଥିଲେ । ରାଜା ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ଯ ଅଭିଯାନରେ ଥିବା ବେଳେ ବଙ୍ଗ ଶାସକଙ୍କ ସେନାରେ ପୁରୀରେ ଅତର୍କିତ ଆକ୍ରମଣ କରିଥିଲା । ସେତେବେଳେ ଶ୍ରୀବିଗ୍ରହଙ୍କୁ ଚିଲିକା ହ୍ରଦ ନିକଟବର୍ତ୍ତୀ କୌଣସି ସ୍ଥାନରେ ଗୋପନରେ ରଖାଯାଇଥିଲା । ପୁରୁଷୋତ୍ତମ ଦେବଙ୍କ ସେନା ଇସମଲାଇ ଶାହଙ୍କ ସେନାକୁ ପରାସ୍ତ କରିବାରେ ସଫଲ ହୋଇଥିଲେ ବୋଲି କିଛି ଗ୍ରନ୍ଥ ସୂଚନା ଦିଅନ୍ତି ।
5ମ ଆକ୍ରମଣ:-
1558 ଖ୍ରୀଷ୍ଟାବ୍ଦରେ ସର୍ବାଧିକ ଚର୍ଚ୍ଚିତ ‘କଳାପାହାଡର ଆକ୍ରମଣ’ ଦେଖିଥିଲା ଶ୍ରୀକ୍ଷେତ୍ର । ଖୋର୍ଦ୍ଧାରେ ମୁକୁନ୍ଦଦେବଙ୍କ ଶାସନ କାଳରେ ଏହି ଆକ୍ରମଣ ହୋଇଥିଲା । ବଙ୍ଗର ଇସଲାମିକ ଶାସକଙ୍କର ସେନାପତି ଥିଲା କଳାପାହାଡ । ଏହି ଯୁଦ୍ଧରେ କଳାପାହାଡ ସେନା ସମ୍ମୁଖରେ ରାଜା ମୁକୁନ୍ଦଦେବ ଆତ୍ମସମର୍ପଣ କରିଥିବା ମଧ୍ୟ କୁହାଯାଏ । କଳାପାହାଡ ସେନା ଶ୍ରୀମନ୍ଦିରକୁ ଧ୍ବଂସ କରିବା ସହ ଶ୍ରୀବିଗ୍ରହମାନଙ୍କୁ ହାତୀ ପିଠିରେ ନେଇଯାଇଥିବା ଓ ନଷ୍ଟ କରିଦେଇଥିବା ମଧ୍ୟ କିଛି ବର୍ଣ୍ଣନରେ ଉଲ୍ଲେଖ ରହିଛି । 1575 ରେ ରାମଚନ୍ଦ୍ର ଦେବଙ୍କ ସମୟରେ ପୁଣି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କୁ ସ୍ଥାପନ କରାଯାଇଥିଲା । କଳାପାହାଡ ନଷ୍ଟ କରିଦେଇଥିବା ଶ୍ରୀବ୍ରିହଙ୍କ ମୂର୍ତ୍ତିରୁ ବ୍ରହ୍ମ ଅଣାଯାଇ ପୁନର୍ବାର ନୂତନ ବିଗ୍ରହରେ ସଂସ୍ଥାପିତ କରାଯାଇଥିବା ଉଲ୍ଲେ ରହିଛି । 1572ରେ ଇସଲାମିକ ଶାସକ କୁଥୁ ଖାନଙ୍କ ପୁଅ ସୁଲେମାନ ପୁରୀରେ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣର ମନ୍ଦିରର ସମସ୍ତ ଧନସମ୍ପତ୍ତି ଲୁଟ ହୋଇଥିଲା । ଠାକୁରଙ୍କୁ ଅଣହିନ୍ଦୁ ଆକ୍ରମଣକାରୀମାନେ ନଷ୍ଟ କରିଦେଇଥିଲେ ।
1601 ଖ୍ରୀଷ୍ଟାବ୍ଦରେ ବଙ୍ଗର ମୁସଲିମ ଶାସକଙ୍କ ଦ୍ବାରା ପୁଣିଥରେ ପୁରୀ ଉପରେ ଆକ୍ରମଣ ହୋଇଥିଲା । ଏହି ସମୟରେ ଖୋର୍ଦ୍ଧାର ରାଜା ପୁରୁଷୋତ୍ତମ ଦେବ ଓ ବଙ୍ଗର ନଓ୍ବାବ ଇସଲାମ ଖାନଙ୍କ ସେନାପତି ମିର୍ଜାଖୁରୁମଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ସେତେବେଳେ ମଧ୍ୟ ଠାକୁରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ଭାର୍ଗବୀ ନଦୀକୂଳରେ କପିଳେଶ୍ବର ଗ୍ରାମରେ ଠାକୁରଙ୍କୁ ଲୁଚାଯାଇଥିଲା । ଶ୍ରୀମନ୍ଦିରରୁ ମସସ୍ତ ସମ୍ପତ୍ତି ଲୁଟ କରି ଆକ୍ରମଣକାରୀ ସେନା ବଙ୍ଗ ଫେରିଯାଇଥିଲା ।
ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଓଡିଶାର ସୁବେଦାର ହାସିମ ଖାନ ପୁରୀ ଉପରେ ଆକ୍ରମଣ କରିଥିଲା । ଏହା ଥିବା ଶ୍ରୀକ୍ଷେତ୍ରରେ ଅଷ୍ଟମ ଆକ୍ରମଣ । ସେତେବେଳେ ମଧ୍ୟ ଠାକୁରଙ୍କୁ ସ୍ଥାନାନ୍ତର କରିବାକୁ ପଡିଥିଲା । ପୁରୁଷୋତ୍ତମ ଦେବଙ୍କ ଦ୍ବାରା 1608 ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ରରେ ପୁଣି ଥରେ ଶ୍ରୀବିଗ୍ରହଙ୍କୁ ସସ୍ଥାପିତ କରାଯାଇଥିଲା ।
1610 ମସିହାରେ ଏକ ଭିନ୍ନ ଆକ୍ରମଣ ଦେଖିଥିଲା ପୁରୀ । ଅଣହିନ୍ଦୁ ଶାସକ ନୁହନ୍ତି ବରଂ ପ୍ରଥମ ଥର କୌଣସି ହିନ୍ଦୁ ଶାସକ ଲୁଣ୍ଠନ ଲୋଭରେ ପୁରୀ ଉପରେ ଆକ୍ରମଣ କରିଥିଲେ । ମୁସଲମାନ ଶାସକ ହାସିମ ଖାନଙ୍କ ନିୟନ୍ତ୍ରଣରେ ଥିବା ଜାଗିରଦାର କେଶୋଦାସମାରୁ ପୁରୀରେ ଆକ୍ରମଣ କରିଥିଲା । ସେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଶ୍ରୀବିଗ୍ରହଙ୍କୁ ଗୁଣ୍ଡିଚା ମନ୍ଦିରରେ ରଖାଯାଇଥିଲା । ପ୍ରାୟ 8ମାସ କାଳ ସେଠାରେ ହିଁ ଶ୍ରୀବିଗ୍ରହ ରହିଥିବା ତଥ୍ୟ କହେ । ମନ୍ଦିରରୁ ସମସ୍ତ ସମ୍ପତ୍ତି ଲୁଟ କରିବା ପରେ ଆକ୍ରମଣକାରୀ ସେନା ଦିଲ୍ଲୀ ଫେରିଯାଇଥିଲା । ପୁରୁଷୋତ୍ତମ ଦେବଙ୍କ ଶାସନରେ ଆଉ ଏକ କୁଖ୍ୟାତ ପୁରୀ ଆକ୍ରମଣ ହୋଇଥିଲା କଲ୍ୟାଣ ମଲଙ୍କ ଦ୍ବାରା । ଏହି ସମୟରେ ଚିଲିକା କୂଳରେ ଶ୍ରୀବିଗ୍ରଙ୍କୁ ରଖାଯାଇଥିଲା । କିଛି ବର୍ଷ ପରେ ଠାକୁରମାନେ ଶ୍ରୀକ୍ଷେତ୍ରକୁ ଫେରିଥିଲେ । 1612 ଖ୍ରୀଷ୍ଟାବ୍ଦରେ 11ତମ ଆକ୍ରମଣ ଦେଖିଥିଲା ଶ୍ରୀକ୍ଷେତ୍ର କଲ୍ୟାଣ ମଲ ପୁଣି ଥରେ ଶ୍ରୀକ୍ଷେତ୍ର ଆକ୍ରମଣ କରି ସମ୍ପତ୍ତି ଲୁଟ କରିଥିଲା ।
1917 ରେ ମୋଗଲ ଶାସକ ଜାହାଙ୍ଗୀର ମକରମ ଖାନକୁ ଓଡିଶାର ସୁବେଦାର ଭାବେ ନିଯୁକ୍ତ କରିବା ପରେ ସେହି ବର୍ଷ ମକରମ ସେନା ଶ୍ରୀମନ୍ଦିର ଲୁଟିବାକୁ ଆକ୍ରମଣ କଲେ । ଏହା ଥିଲା ଶ୍ରୀକ୍ଷେତ୍ର ଓ ଖୋର୍ଦ୍ଧା ରାଜ୍ୟ ଉପରେ 12ତମ ଆକ୍ରମଣ । ଏଥିରେ ମଧ୍ୟ ବିପୁଳ ସଂଖ୍ୟାରେ ସମ୍ପତ୍ତି ଲୁଟ କରାଯାଇଥିଲା । 1620 ରେ ଠାକୁରଙ୍କୁ ପୁଣି ପୁରୀ ଅଣାଯାଇଥିବା ବିଭିନ୍ନ ଗ୍ରନ୍ଖଥରେ ଉଲ୍ଲେଖ ରହିଛି ।
1621 ରେ ମିର୍ଜା ଅହମ୍ମଦ ବେଗ ପୁରୀ ଉପରେ ଆକ୍ରମଣ କରିଥିଲା । 1641, 1645, 1647, 1692 ରେ ମଧ୍ୟ ପୁରୀ ଉପରେ କ୍ରମାଗତ ଆକ୍ରମଣ ଓ ଲୁଣ୍ଠନ ଜାରି ରହିଥିଲା । 1692 କ୍ରୁର ମୋଗଲ ଶାସକ ଔରଙ୍ଗଜେବ ଶ୍ରୀମନ୍ଦିର ଧ୍ବଂଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବୋଲି କୁହାଯାଏ । ଔରଙ୍ଗଜେବର ଓଡିଶା ସୁବେଦାର ଅକରମ ଖାନ ଓ ତାର ଭାଈ ମସ୍ତରମ ଖାନ ପୁରୀରେ ଆକ୍ରମଣ କରିଥିଲେ । ଖୋର୍ଦ୍ଧାରେ ରାଜା ଥିବା ଦିବ୍ୟସଂହ ଦେବ ସେମାନଙ୍କୁ ସାମ୍ନା କରିପାରନଥିଲେ । ହେଲେ ଶ୍ରୀମନ୍ଦିରରୁ ସମସ୍ତ ସମ୍ପତ୍ତି ଲୁଟ ହେଇଥିଲେ ସୁଦ୍ଧା ଠାକୁରମାନଙ୍କୁ ଅଜ୍ଞାତ ସ୍ଥାନରେ ସୁରକ୍ଷିତ ରଖାଯାଇଥିଲା । 1699 ଓ 1733 ରେ ମଧ୍ୟ ଶ୍ରୀମନ୍ଦିରରେ ଆକ୍ରମଣ ହୋଇଥିଲା । ଏହା ଥିଲା ଶେଷ ଆକ୍ରମଣ । ପ୍ରତ୍ୟେକ ଆକ୍ରମଣରେ ଶ୍ରୀମନ୍ଦିର ଲୁଣ୍ଠନ ହୋଇଛି । ଠାକୁରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିଛି ।
ବାରମ୍ବାର ମୋଗଲ ଓ ଇସଲାମ ଶାସକଙ୍କ ଆକ୍ରମଣ ପରେ ବ୍ରିଟିଶ ଶାସନ ନିୟନ୍ତ୍ରଣରେ ରହିଥିଲା ଶ୍ରୀମନ୍ଦିର । ସ୍ବାଧୀନତା ପରେ 1995 ରେ ଶ୍ରୀମନ୍ଦିର ଆକ୍ଟ ପ୍ରଣୟନ ହୋଇଥିଲା । ଏହି ଆକ୍ଟ ଅନୁସାରେ, ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳିତ ହେଉଛି । ଏବେ ସାରା ବିଶ୍ବରେ ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର ହେବାରେ ଲାଗିଛି । କୋଟି କୋଟି ହିନ୍ଦୁଙ୍କ ବିଶ୍ବବ୍ୟାପୀ ବିଭିନ୍ନ ଧର୍ମର ଲୋକେ ଏବେ ଜଗନ୍ନାଥ ସଂସ୍କୃତିରେ ବିଶ୍ବାସ ରଖିବା ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ