ବଲାଙ୍ଗୀର: ପୋଲିଂ ଅଧିକାରୀଙ୍କ ଅକାଳ ମୃତ୍ୟୁ । ନିର୍ବାଚନରେ କାର୍ଯ୍ୟରତ ଶିକ୍ଷକଙ୍କ ହୃଦଘାତରେ ମୃତ୍ୟୁ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାରେ । ତେବେ ମୃତକ ଜଣକ ହେଲେ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ । ଇଭିଏମ୍ ସାମଗ୍ରୀ ଆଣିବା ବେଳେ ଅସୁସ୍ଥ ହୋଇଥିଲେ ଉକ୍ତ ଶିକ୍ଷକ ଜଣକ । ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନା ଯୋଗ୍ୟ, ବଲାଙ୍ଗୀର ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ଶିକ୍ଷକଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ । ଆସନ୍ତାକାଲି ଭୋଟ ପାଇଁ ଟିଟିଲାଗଡ଼ ଡି.ଏ. ଭି କଲେଜ ଡିସ୍ପୋର୍ଶାଳ ସେଣ୍ଟରରୁ ଭୋଟିଂ ସରଞ୍ଜାମ ସଂଗ୍ରହ କରୁଥିଲେ ପୋଲିଂ କର୍ମଚାରୀ । ଏହି ସମୟରେ ଥାର୍ଡ଼ ପୋଲିଂ କର୍ମଚାରୀ ଦାୟିତ୍ୱରେ ଥିବା ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଶୀଲ କୁମାର ଆଚାର୍ଯ୍ୟ ଛାତିରେ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇଥିଲେ ।
ତେବେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜ ଓ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଶିକ୍ଷକଙ୍କ ମୃତ୍ୟୁର ଖବର ପାଇଁ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ମୃତକ ସୁଶୀଲଙ୍କ ସମ୍ପର୍କୀୟ ଘଟଣା ସ୍ଥଳରେ ପହଞ୍ଚି ସରକାରୀ ସହାୟତା ଦାବି କରିଛନ୍ତି ।
ମୃତକଙ୍କ ବଡ଼ ଭାଇ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ କହିଛନ୍ତି ଯେ, ତାଙ୍କ ଭାଇ ବଲାଙ୍ଗୀର ବକଟି ଗ୍ରାମର ହୋଇ ଥିବାବେଳେ ସେ ପାଟୁଆ ପାଲି ସ୍କୁଲରେ ଶିକ୍ଷକ ଥିଲେ । ତାଙ୍କୁ ନିର୍ବାଚନ ଡ୍ୟୁଟି ଟିଟିଲାଗଡରେ ପଡ଼ି ଥିବାବେଳେ ସେ ସକାଳୁ ସେଠାକୁ ଯାଇଥିଲ । ତେବେ ସେଠି ପୋଲିଂ ସରଞ୍ଜାମ ନେଉଥିବା ବେଳେ ଅସୁସ୍ଥ ହୋଇଥିଲେ । ତାଙ୍କ ସହଯୋଗୀମାନେ ତାଙ୍କୁ ତୁରନ୍ତ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠି କୌଣସି ଚିକିତ୍ସା ନ କରି ତାଙ୍କୁ ବଲାଙ୍ଗୀର ସ୍ଥାନାନ୍ତରିତ କରିଥିଲେ ଡ଼ାକ୍ତର ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛି ବଲାଙ୍ଗୀର ପ୍ରାଥମିକ ଶିକ୍ଷକ ସଂଘ ।
ଇଟିଭି ଭାରତ, ବଲାଙ୍ଗୀର