ଭଦ୍ରକ: ଆଗାମୀ ଲୋକସଭା ଏବଂ ଓଡ଼ିଶା ବିଧାନସଭା ସାଧାରଣ ନିର୍ବାଚନ 2024 ଉପଲକ୍ଷେ ଜୁନ 1 ତାରିଖରେ ଭଦ୍ରକ ଜିଲ୍ଲା ପାଇଁ ମତଦାନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ସେମାନଙ୍କ ପ୍ରାର୍ଥୀ ପତ୍ର ଦାଖଲ ପାଇଁ ମଙ୍ଗଳବାର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଆବଶ୍ୟକ ଫର୍ମ ଏବଂ କାଗଜାଦି ସମ୍ପର୍କରେ ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇଛି ବୋଲି କହିଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ।
ପ୍ରକାଶଥାଉକି, ମଙ୍ଗଳବାର ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା 14 ତାରିଖରେ ଶେଷ ହେବ । ସମସ୍ତ ସରକାରୀ ଛୁଟି ଦିବସ ବ୍ୟତୀତ ଉକ୍ତ ଅବଧି ମଧ୍ଯରେ ସମସ୍ତ ସରକାରୀ କାର୍ଯ୍ୟ ଦିବସରେ ପୂର୍ବାହ୍ନ 11 ଘଟିକାରୁ ଅପରାହ୍ନ 3 ଘଟିକା ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଗ୍ରହଣ କରାଯିବ । 15 ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ 17 ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରଖାଯାଇଛି । ଜୁନ 4 ତାରିଖ ଦିନ ଭୋଟ ଗଣତି ସହ ଜୁନ 6 ତାରିଖ ଗୁରୁବାର ସୁଦ୍ଧା ନିର୍ବାଚନର ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: ଭଦ୍ରକରେ ନବାଗତ ବନାମ ଭେଟେରାନ ଲଢେଇ, ରାଜନୀତି ସମୀକରଣକୁ କରୁଛି ଗୋଳମାଳ ! - BHADRAK POLITICS
ଅନ୍ୟପଟେ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ଆବଶ୍ୟକ ବିଭିନ୍ନ ଡକ୍ୟୁମେଣ୍ଟ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ନିର୍ବାଚନ ମଣ୍ଡଳୀର ନାମ, ପ୍ରାର୍ଥୀଙ୍କ ନାମ, ପ୍ରାର୍ଥୀପତ୍ର ଦାଖଲର ତାରିଖ ଏବଂ ସମୟ, ନୋମିନେସନ ପେପରର କ୍ରମାଙ୍କ ନମ୍ବର ଆଦି ପୂରଣ କରିବାକୁ ହେବ ବୋଲି ଜଣାପଡିଛି । ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ, ନୋଟାରୀ ପବ୍ଲିକ କିମ୍ବା ଓଥ କମିଶନରଙ୍କ ନିକଟରେ ସତ୍ୟପାଠ ହୋଇଥିବା ଆବଶ୍ୟକ । ପ୍ରାର୍ଥୀ ଭିନ୍ନ ନିର୍ବାଚନ ମଣ୍ଡଳୀର ଭୋଟର ହୋଇଥିଲେ ଭୋଟର ତାଲିକାର ପ୍ରମାଣିକୃତ ପ୍ରାର୍ଥୀ ପତ୍ର ସହ ଦାଖଲ କରିବାକୁ ହେବ । ପ୍ରାର୍ଥୀ ଅନୁସୂଚୀତ ଜାତି ଏବଂ ଅନୁସୂଚୀତ ଜନଜାତିର ହୋଇଥିଲେ ସଂପୃକ୍ତ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରାପ୍ତ ଜାତିଗତ ପ୍ରମାଣ ପତ୍ର ଦେବାକୁ ପଡ଼ିବ । ଅମାନତ ଜମା ସହ ଶପଥ ପାଠ ମଧ୍ୟ ପ୍ରାର୍ଥୀପତ୍ର ସହ ପ୍ରଦାନ କରାଯିବ ।
ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ସମୟରେ ଲୋକସଭା ଆସନ ପାଇଁ ଫର୍ମ 2 (A) ଏବଂ ବିଧାନସଭା ଆସନ ପାଇଁ ଫର୍ମ 2 (B)ରେ ଆବେଦନ କରିପାରିବେ । ନାମାଙ୍କନ ପତ୍ର ଦାଖଲ କରିବାର ଅନ୍ୟୁନ ଏକ ଦିନ ପୂର୍ବରୁ ବ୍ୟାଙ୍କରେ ଥିବା ଅଲଗା ବ୍ୟାଙ୍କ ଆକାଉଣ୍ଟ ପ୍ରାର୍ଥୀ ଖୋଲାଯିବା ଆବଶ୍ୟକ ବୋଲି ଜଣାପଡିଛି । ଏଥିସହ କୌଣସି ସରକାରୀ ଗୃହ ଅଧୂଗ୍ରହଣ କରିଥିଲେ ତାହାର କୌଣସି ବକେୟା ନଥିବା ପ୍ରମାଣପତ୍ର ପ୍ରଦାନ କରିବେ । ଯଦି କୌଣସି ରାଜନୈତିକ ଦଳ (ଜାତୀୟ/ରାଜ୍ୟ) ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଏ ତେବେ ସଂପୃକ୍ତ ନିର୍ବାଚନ ମଣ୍ଡଳୀରେ ଜଣେ ଭୋଟର ପ୍ରସ୍ତାବକ ରହିବେ।
ଇଟିଭି ଭାରତ, ଭଦ୍ରକ