ବୌଦ୍ଧ: ଦାଦନ ଖଟି ଯାଇଛି ଭୋଟର । ପେଟପାଟଣା ଆଗରେ ହାର ମାନିଛି ମତାଧିକାର ସାବ୍ୟସ୍ତ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଣ୍ଡବର ଗାଁ ଏବେ ପୁରା ଖାଁ ଖାଁ । ପରିବାର ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଇ ଯୁବକ ଶୂନ୍ୟ ହୋଇପଡିଛି ଏହି ଗାଁ । ନିର୍ବାଚନ ଭଳି ମହାପର୍ବରେ ସାମିଲ ହେବା ପରିବର୍ତ୍ତେ ନିଜର ପରିବାର ପ୍ରତିପୋଷଣ ପାଇଁ ଖଟିବାକୁ ବାଛି ନେଇଛନ୍ତି ଏଠାକାର ଯୁବକ ।
ସୋମବାରଠାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଚୂଡାନ୍ତରେ । କିନ୍ତୁ ବୌଦ୍ଧ ଜିଲ୍ଲା ଖଣ୍ଡବରରେ ନେତା ବାଛିବାକୁ ନାହାନ୍ତି ଜନତା । ନିର୍ବାଚନ ପୂର୍ବରୁ ଯୁବବର୍ଗ କାମଧନ୍ଦା ସନ୍ଧାନରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ସମସ୍ୟାରେ ଉବୁଟୁବୁ ହେଉଥିବା ଏହି ଗାଁରେ ଯୁବବର୍ଗ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇ ଥିବାରୁ ଗାଁଟି ଏକ ପ୍ରକାର ଖାଁ ଖାଁ ଲାଗୁଛି । ଆଗକୁ ସାଧାରଣ ନିର୍ବାଚନ ଥିବା ସତ୍ତ୍ବେ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ କୌଣସି ଉତ୍ସାହ ପରିଲକ୍ଷିତ ହୋଇନାହିଁ ।
ଏହାମଧ୍ୟ ପଢନ୍ତୁ... ମତଦାନ ଅଧିକାରରୁ ବଞ୍ଚିତ ଦାଦନ ଶ୍ରମିକ - Migrant Labours Vote
ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ଦଶ କିଲୋମିଟର ଦୂରରେ ଥିବା ଏହି ଖଣ୍ଡବର ଗ୍ରାମ ବ୍ୟାପକ ସମସ୍ୟା ଘେରରେ ରହିଛି । ଗାଁରେ ପାନୀୟଜଳର ଉତ୍କଟ ଅଭାବ ସାଙ୍ଗକୁ ବର୍ତ୍ତମାନ ଗ୍ରୀଷ୍ମପ୍ରବାହ ସମୟରେ ପୋଖରୀ କୂଅ ସବୁ ଶୁଖିଲା ପଡ଼ିଛି । ଗାଁରେ ଆବାସ ଯୋଜନା ଠିକରେ ପହଞ୍ଚି ପାରୁନଥିବା ବେଳେ ସରକାରୀ ଯୋଜନା ଏଠାରେ ବାଟବଣା ଭଳି ମନେ ହେଉଛି । ଏହି ଅଞ୍ଚଳରେ କାମଧନ୍ଦାର ଘୋର ଅଭାବ ଯୋଗୁଁ ଯୁବବର୍ଗ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।
ଏପରିକି ଆଗକୁ ସାଧାରଣ ନିର୍ବାଚନ ଥିବା ସତ୍ତ୍ବେ ଆଜି ଦିନରେ ମଧ୍ୟ କାମଧନ୍ଦା ଅନ୍ବେଷଣରେ ଯୁବବର୍ଗ ମତଦାନ ଅପେକ୍ଷା ପେଟପାଟଣାକୁ ଅଧିକ ଗୁରୁତ୍ବ ଦେଇ ଦାଦନ ଖଟିବାକୁ ଚାଲିଯାଉଛନ୍ତି । ଗାଁରେ ବର୍ତ୍ତମାନ ଅଧିକାଂଶ ମହିଳା ଓ ବୟୋଜ୍ୟେଷ୍ଠ ନାଗରିକ ଘର ଜଗିଲା ଭଳି ମନେ ହେଉଛି । ଆଉ ଯେଉଁମାନେ ଖଣ୍ଡବର ଗାଁରେ ରହିଛନ୍ତି ସେମାନେ କାମଧନ୍ଦା ନପାଇ ମହୁଲ ଗୋଟାଇ, କେନ୍ଦୁପତ୍ର ଓ ଶାଳପତ୍ର ସଂଗ୍ରହ କରି ଜୀବିକା ନିର୍ବାହ କରୁଛନ୍ତି । ସମସ୍ୟା ଘେରରେ ଛନ୍ଦି ହୋଇପଡିଥିବା ଖଣ୍ଡବର ଗ୍ରାମରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ କୈାଣସି ଉତ୍ସାହ ଭୋଟରଙ୍କ ମଧ୍ୟରେ ପରିଲକ୍ଷିତ ହୋଇନଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, ବୌଦ୍ଧ