ହାଇଦ୍ରାବାଦ/ଭୁବନେଶ୍ବର: ପୁରୀରେ ଗତକାଲି (ସୋମବାର) ବିଜେପିର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କ ଦର୍ଶନ ପରେ ବଡଦାଣ୍ଡରେ ବିଶାଳ ରୋଡ ସୋ’ରେ ଶକ୍ତି ପ୍ରଦର୍ଶନ କରିଛନ୍ତି । କିନ୍ତୁ ଦଳୀୟ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବେପରୁଆ ଓ ଦାୟିତ୍ବହୀନ ମନ୍ତବ୍ୟ ପାଇଁ ‘ଜଗନ୍ନାଥ ସଂସ୍କୃତି’ ଓ ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇଥିବା ବିଜେପି ଏବେ ନିଜେ ବିବାଦ ଘେରରେ ଫସିଛି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ଅବସରରେ ସମ୍ବିତ ଦେଇଥିବା ମନ୍ତବ୍ୟକୁ ସବୁଆଡେ କଡା ଭାଷାରେ ନିନ୍ଦା କରାଯାଇଛି ।
ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଏହାକୁ ନିନ୍ଦା କରିବା ସହ ଜାତୀୟ ସ୍ତରରେ ମଧ୍ୟ ଏହି ପ୍ରସଙ୍ଗ ଚର୍ଚ୍ଚା ସୃଷ୍ଟି କରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରମୁଖ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହା ପରେ ବିଜେପି ଓ ସମ୍ବିତ ବ୍ୟାକଫୁଟରେ ନଜର ଆସିଛି । ଏପର୍ଯ୍ୟନ୍ତ ସମ୍ବିତଙ୍କ ସପକ୍ଷରେ ଦଳ ବିଜେପି ସାମ୍ନାକୁ ଆସିନଥିବା ବେଳେ ସମ୍ବିତ କିନ୍ତୁ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ତ୍ରୁଟିବଶତଃ ତାଙ୍କ ମୁଖରେ ଏପରି ଶବ୍ଦ ବାହାରିଯାଇଛି । ସେ ଏଥିପାଇଁ ଅନୁତପ୍ତ ଓ କ୍ଷମା ପ୍ରାର୍ଥନା କରୁଛନ୍ତି । ଆସନ୍ତା 3ଦିନ ପର୍ଯ୍ୟନ୍ତ ଏହାର ପ୍ରାୟଶ୍ଚିତ ସ୍ବରୂପ ଉପବାସ ରଖିବେ ବୋଲି ସମ୍ବିତ କହିଛନ୍ତି ।
କ’ଣ କହିଥିଲେ ସମ୍ବିତ:-
ଗତକାଲି ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ସମ୍ବିତ କହିଥିଲେ, ‘ଜଗନ୍ନାଥ ମୋଦିଙ୍କ ଭକ୍ତ’ । ଏହା ପର ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ସେହି ପ୍ରତିକ୍ରିୟାର ଭିଡିଓ କ୍ଲିପକୁ ବିଜେଡି ଓ କଂଗ୍ରେସ ନେତାମାନେ ସୋସିଆଲ ମିଡିଆରେ ସେୟାର କରି କଡା ସମାଲାଚନାତ୍ମକ ଟିପ୍ପଣୀ ଲେଖିଥିଲେ । ନିସର୍ତ୍ତ କ୍ଷମା ପ୍ରାର୍ଥନା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ମଧ୍ୟ ଘଟଣାକୁ ନିନ୍ଦା କରାଯାଇଥିଲା । ଜଗନ୍ନାଥ ବିଶ୍ବର ଦେବତା, ସେ ଜଣେ ବ୍ୟକ୍ତିଙ୍କର ଭକ୍ତ କେମିତି ହେବେ । ଏହା ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ଓ ବିଶ୍ବର ବିଭିନ୍ନ କୋଣରେ ଥିବା ଓଡିଆ ଓ ଜଗନ୍ନାଥପ୍ରେମୀଙ୍କ ଭାବାବେଗ ପ୍ରତି ଆଘାତ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟରେ ଲେଖିଥିଲେ । ଏହାକୁ ରିଟ୍ବିଟ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲେଖିଛନ୍ତି, ବିଜେପିର ଅହଂକାର ଚରମ ସୀମାରେ ପହଞ୍ଚିଛି । ସେମାନେ ନିଜକୁ ଇଶ୍ବରଙ୍କ ଠାରୁ ମଧ୍ୟ ଊର୍ଦ୍ଧ୍ବରେ ବୋଲି ଭାବୁଛନ୍ତି । ଏହା ଭଗବାନଙ୍କ ପ୍ରତି ଅପମାନ । କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗରେ ନାମ ନେଇ ‘ଏକ୍ସ’ରେ ସମାଲୋଚନାମୂଳକ ପୋଷ୍ଟ କରିଛନ୍ତି । ପାପର ମାତ୍ରା ବଢିଛି, ଲଙ୍କାଦହନ ନିକଟବର୍ତ୍ତୀ ହେଲାଣି । କୋଟି କୋଟି ଲୋକଙ୍କ ବିଶ୍ୱାସକୁ ଆଘାତ ଦେବା ପାଇଁ ହାତଗଣତି କିଛି ବିଜେପି ଲୋକଙ୍କୁ କି’ଏ ଅଧିକାର ଦେଇଛି ବୋଲି ଟ୍ବିଟରେ ପ୍ରଶ୍ନ କରିଛନ୍ତି ରାହୁଲ ।
ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସମ୍ବିତଙ୍କ କୁଶପୁତ୍ତଳିକା ଦାହ କରିଛି କଂଗ୍ରେସ । ସମ୍ବିତ କ୍ଷମା ମାଗନ୍ତୁ, ନହେଲେ ଦୃଢ଼ ବିରୋଧ କରାଯିବ । ରାସ୍ତାରେ ଚାଲିବାକୁ ଦିଆଯିବ ନାହିଁ ବୋଲି ଦଳ ଖୋଲା ଚେତାବନୀ ଦେଇଛି । ଗତକାଲି ରାତିରେ ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବ କଂଗ୍ରେସର ଶତାଧିକ କର୍ମୀ ସମ୍ବିତଙ୍କ କୁଶପୁତଳିକା ଦାହ କରିବା ସହ ନାରାବାଜି କରିଥିଲେ । ଦଳ ଏହା ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ