ଭୁବନେଶ୍ବର: ଓଡ଼ିଶାର ନାର୍ଯ୍ୟ ଦାବିକୁ କେନ୍ଦ୍ର ସରକାର ଲଗାତାର ଅବହେଳା କରି ଆସିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି । ଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କା କରିବାକୁ ଓଡ଼ିଶାର ଦାବିକୁ କେନ୍ଦ୍ର ଅଗ୍ରାହ୍ୟ କରିଛି । ସେହିପରି ୧୦ ବର୍ଷ ହେବ କୋଲ ରୟାଲ୍ଟି କେନ୍ଦ୍ର ବଢ଼ାଇ ନାହିଁ । ସେମିତି ମହାନଦୀ ପ୍ରସଙ୍ଗରେ ଛତିଶଗଡ଼କୁ ସାହାଯ୍ୟ କରିଛି କେନ୍ଦ୍ରରେ ଥିବା ବିଜେପି ସରକାର ।ଏହା କହିଛନ୍ତି ବିଜେଡ଼ିର ରାଜ୍ୟସଭା ସାଂସଦ ମମତା ମହନ୍ତ ।
ବିଜେଡ଼ିର ରାଜ୍ୟସଭା ସାଂସଦ ମମତା ମହନ୍ତ ଓଡ଼ିଶାର ବିଭିନ୍ନ ନାର୍ଯ୍ୟ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରି ଆସୁଥିବାର ଅଭିଯୋଗ କରି ବର୍ଷିଛନ୍ତି । ସେ କହିଛନ୍ତି ଯେ, ଦେଶର ଅନ୍ୟ ରାଜ୍ୟ ଭଳି ବିକାଶ ଧାରାରେ ସାମିଲ କରିବା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାରୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରି ଆସୁଛନ୍ତି । ଏଥିପାଇଁ ୨୦୧୨ରେ ବିଜୁ ଜନତା ଦଳ ପକ୍ଷରୁ ଦିଲ୍ଲୀର ରାମଲୀଲା ମଇଦାନରେ ବିଶାଳ ସମାବେଶର ଆୟୋଜନ କରାଯାଇଥିଲା । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପି ମଧ୍ୟ ଏହାର ନିର୍ବାଚନୀ ଇସ୍ତାହାରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ୧୦ ବର୍ଷ ହେଲା କେନ୍ଦ୍ରରେ ବିଜେପିର ସରକାର ରହିଥିଲେ ମଧ୍ୟ ରାଜ୍ୟ ବିଜେପି ଆଉ ଏ ନେଇ ପାଟି ଫିଟାଉ ନାହିଁ ।
ଓଡ଼ିଶାର ଚାଷୀଙ୍କ ଆର୍ଥିକ ଉନ୍ନତି ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କ ଉନ୍ନତି ଚାହୁଁନାହାନ୍ତି । ସ୍ୱାମୀନାଥନ କମିଶନ ସୁପାରିସ ଅନୁସାରେ ଧାନର ଏମଏସପି କୁଇଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ମାତ୍ର ୫ ବର୍ଷ ପରେ ବି କେନ୍ଦ୍ରର ବିଜେପି ସରକାର ଏହା ନକରି ଓଡ଼ିଶାର ଚାଷୀକୂଳକୁ ଧୋକା ଦେଇ ଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ୮୦ ଲକ୍ଷ ଚାଷୀଙ୍କ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରିମିୟମ ଅର୍ଥ ପ୍ରଦାନ କରୁଛନ୍ତି । ମାତ୍ର କେନ୍ଦ୍ର ସରକାରଙ୍କ ସହ ସଲାସୁତୁରା କରି ବୀମା କମ୍ପାନିମାନେ ଓଡ଼ିଶା ଚାଷୀଙ୍କ ପ୍ରାପ୍ୟ ଅର୍ଥ ଠିକ ସମୟରେ ପ୍ରଦାନ କରୁନାହାନ୍ତି । ୨୦୨୨ ସୁଦ୍ଧା ଦେଶର ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିଲା କେନ୍ଦ୍ରର ବିଜେପି ସରକାର । କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତି ଯୋଗୁଁ ଚାଷୀର ଆୟ ବଢ଼ିବା ବଦଳରେ ଚାଷୀକୂଳ ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଉଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏମଏମଡିଆର ଆକ୍ଟ ଅନୁସାରେ ପ୍ରତି ତିନି ବର୍ଷରେ ଥରେ କୋଇଲା ରୟାଲଟି ରିଭିଜନ ହେବାର ନିୟମ ରହିଛି । ହେଲେ ରୟାଲଟି ବଢ଼ାଇ ନାହିଁ କେନ୍ଦ୍ର । ଫଳରେ ଓଡ଼ିଶା ସରକାର କୋଇଲା ରୟାଲଟି ବାବଦକୁ ଶହ ଶହ କୋଟି ଟଙ୍କାର ନାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ ହେଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ବାରମ୍ୱାର ଚିଠି ଲେଖିଛନ୍ତି । ବିଜେଡି ସାଂସଦମାନେ ସଂସଦ ଭିତରେ ଅନେକ ଥର ଏହି ପ୍ରସଙ୍ଗ ଉଠାଇଛନ୍ତି । ମାତ୍ର କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ଧୋକା ଦେଇ ଚାଲିଛି । ସେହିପରି କ୍ଲିନ ଏନର୍ଜି ସେସ ବାବଦରେ କେନ୍ଦ୍ର ସରକାର ଓଡ଼ିଶାରୁ ୬୦ ହଜାର କୋଟି ଟଙ୍କା ସଂଗ୍ରହ କରିଥିଲେ ମଧ୍ୟରୁ ଏଥିରୁ ଟଙ୍କାଟିଏ ମଧ୍ୟ ଓଡ଼ିଶାକୁ ପ୍ରଦାନ କରୁନାହିଁ ।
କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତି ଯୋଗୁଁ ବ୍ୟାଙ୍କ ସେବା ଓ ଇଣ୍ଟରନେଟ ସଂଯୋଗ ପାଇବା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ବହୁତ ପଛରେ ରହିଛି । ରାଜ୍ୟର ପାଖାପାଖି ଅଧା ଗ୍ରାମପଞ୍ଚାୟତରେ ବ୍ୟାଙ୍କର ଶାଖା ନଥିବାରୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ହିତାଧିକାରୀମାନେ ଅର୍ଥ ପାଇବାରେ ହଇରାଣ ହେଉଛନ୍ତି । ଦେଶରେ ହାରାହାରି ଟେଲିକମ ଘନତ୍ୱ ୮୫ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ୭୫ ପ୍ରତିଶତରେ ସୀମିତ ରହିଛି । ରାଜ୍ୟର ୬୨୭୮ ଗାଁରେ ଏବେବି ମୋବାଇଲ ଓ ଇଣ୍ଟରନେଟ ସେବା ଉପଲବ୍ଧ ନାହିଁ ।
ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି କେନ୍ଦ୍ରରେ ସରକାରକୁ ଆସିଥିଲା ବିଜେପି । ମାତ୍ର ଦେଶରେ ଡାଲି, ଚାଉଳ, ଅଟା ତେଲ, ପେଟ୍ରୋଲ, ଡିଜେଲ ପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । ମାତ୍ର କେନ୍ଦ୍ର ସରକାର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ମହିଳାଙ୍କୁ ଚୁଲି ଧୂଆଁର କୁପ୍ରଭାରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଉଜ୍ଜ୍ୱଳା ଯୋଜନା । ମାତ୍ର କେନ୍ଦ୍ର ଗ୍ୟାସ ସିଲିଣ୍ଡରର ଦାମ ପ୍ରାୟ ୩୦୦ ପ୍ରତିଶତ ବଢ଼ାଇଥିବାରୁ ଉଜ୍ଜ୍ୱଳା ଯୋଜନା ଏବେ ଅନ୍ଧାରି ଯୋଜନାରେ ପରିଣତ ହୋଇଛି । କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ତାର ନାର୍ଯ୍ୟ ଦାବିକୁ ଲଗାତାର ଅଣଦେଖା କରି ଆସୁଛି । ଓଡ଼ିଶାବାସୀଙ୍କ ଭୋଟ ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ ମିଥ୍ୟା ଓ ଅପପ୍ରଚାର କରୁଛନ୍ତି । ଓଡ଼ିଶାବାସୀ ବିଜେପିର ଦୋମୁହାଁ ନୀତି ସହ ବେଶ ପରିଚିତ । ତେଣୁ ଓଡ଼ିଶାବାସୀ ଚଳିତ ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ।
ଇଟିଭି ଭାରତ, ଭୁବନେଶ୍ବର