ଜଗତସିଂହପୁର: ଶିକ୍ଷା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ରାଜ୍ୟର ଅଗ୍ରଣୀ ଜିଲ୍ଲା ଭାବରେ ବେଶ ପରିଚିତ । ହେଲେ ବର୍ତ୍ତମାନ ରାଜ୍ୟରେ ଏହି ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି । କିନ୍ତୁ ଶିକ୍ଷାର ଅଗ୍ରଗତିକୁ ନେଇ ଏହି ଜିଲ୍ଲାକୁ ବାରମ୍ବାର ଅବହେଳା ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ ହୁଏ । ଫଳରେ ଛାତ୍ରଛାତ୍ରୀମାନେ ପାଠପାଢା ପାଇଁ କଟକ ଉପରେ ନିର୍ଭର କରି ଆସୁଛନ୍ତି । ସେହିପରି 33 ବର୍ଷ ପୂର୍ବେ ଜିଲ୍ଲାରେ ଏକ ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ ହୋଇଥିଲା । ହେଲେ ଆଜି ବି ଅଧପନ୍ତରିଆ ହୋଇ ପଡିଛି ଜଗତସିଂହପୁର ଆଇନ ମହାବିଦ୍ୟାଳୟ ।
ସୂଚନା ମୁତାବକ, 1991-92 ମସିହାରେ ଏକ ଅସ୍ଥାୟୀ ଭାବେ ଆଇନ ମହାବିଦ୍ୟାଳୟ ଖୋଲିଥିଲା । ଏହି କଲେଜରୁ ଶିକ୍ଷା ନେଇ କେତେକ ଆଇନଜୀବୀ ବର୍ତ୍ତମାନ ଜିଲ୍ଲା କୋର୍ଟ ଓ ହାଇକୋର୍ଟରେ ମଧ୍ୟ କାର୍ଯ୍ୟରତ ରହିଛନ୍ତି । ତେବେ ସେ ସମୟରେ ଏହି ମହାବିଦ୍ୟାଳୟଟି ଏକ ଭଡାଘରେ ଆରମ୍ଭ କରାଯାଇଥିଲା । ପରେ ଏହାକୁ ଜଗତସିଂହପୁରର ସ୍ୱାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଗଲା । ସେ ସମୟରେ ଆଇନ ପାଠ ପଢିବା ପାଇଁ 80ଟି ସିଟ ରଖାଯାଇଥିଲା । ଏଥିରେ ପିଲା ଆଡମିସନ କରି 1995 ମସିହାରେ ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ହେଲେ ସେ ସମୟରେ ମହାବିଦ୍ୟାଳୟର ନିଜସ୍ୱ ଗୃହ ଆବଶ୍ୟକତା ପଡିବାରୁ ପରିଚାଳନା କମିଟିର ଅନୁରୋଧ କ୍ରମେ ତତ୍କାଳୀନ ଜଗତସିଂହପୁର ସାଂସଦ କଲେଜ ଗୃହ ନିର୍ମାଣ ପାଇଁ 2 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ । ଏହି ଅର୍ଥରେ ଜଗତସିଂହପୁର ହାଟପୋଲ ନିକଟରେ ଏକ ଜାଗା ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମହାବିଦ୍ୟାଳୟ ପରିଚାଳନା କମିଟିକୁ ହସ୍ତାନ୍ତର କରାଗଲା । ସାଂସଦଙ୍କ ପାଣ୍ଠି ସେଠାରେ ବିନିଯୋଗ କରାଯାଇ କଲେଜର ଗୃହ ନିର୍ମାଣ ଆରମ୍ଭ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ- ଅଧାପନ୍ତରିଆ ନନ୍ଦନବନ ପ୍ରକଳ୍ପ, କେବେ ପୂରଣ ହେବ ଇକୋ ପାର୍କର ସ୍ୱପ୍ନ ?
ହେଲେ ଏହାରି ମଧ୍ୟରେ ବିତି ଯାଇଛି 24 ବର୍ଷ । କଂକ୍ରିଟ ଖମ୍ବ ଗୁଡିକ 24 ବର୍ଷ ହେଲା ଆକାଶକୁ ଚାହିଁ ପଡିରହିଛି । ଅଖିଳ ଭାରତୀୟ ବାର କାଉନ୍ସିଲର ଅନୁମତି ପ୍ରଦାନ କରିବାରେ ବିଳମ୍ବ ହେବାରୁ କଲେଜର ଭାଗ୍ୟ ଶୀତଳ ଭଣ୍ଡାରକୁ ଚାଲି ଯାଇଥିଲା । ଫଳରେ ଜିଲ୍ଲା ପ୍ରଶାସନ ଆଇନ ମହାବିଦ୍ୟାଳୟ ନାମରେ ଥିବା ସରକାରୀ ଜମିକୁ ଦୁର୍ନୀତି ନିବାରଣ ବିଭାଗକୁ ଦେଇଦେଲେ । ସେହିପରି ଅଧା ପନ୍ତରିଆ ଭାବରେ ପଡି ରହିଥିବା ଆଇନ ମହାବିଦ୍ୟାଳୟ ସମ୍ମୁଖରେ ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଅଫିସ ହୋଇ ସାରିଥିବା ବେଳେ କଲେଜର ପଛପଟେ ପିଏଚଡି କାର୍ଯ୍ୟାଳୟ ଚାଲୁଛି । ସେପଟେ ଜଗତସିଂହପୁରରେ ଏକ ଆଇନ ମହାବିଦ୍ୟାଳୟ ଖୋଲିବା ପାଇଁ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଆନ୍ତରିକତା ଓ ଉଦ୍ୟମ ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର