ଭୁବନେଶ୍ବର: ଓଡିଶାରେ ପହଞ୍ଚିଲା କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡିଆ ଶ୍ରମିକଙ୍କ ମୃତଦେହ । ଆଜି ପୂର୍ବାହ୍ନରେ କେରଳର କୋଚିରୁ ଏକ ସ୍ବତନ୍ତ୍ର ବିମାନରେ 2 ମୃତଦେହ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛି । ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଓ ପ୍ରଭାତୀ ପରିଡାଙ୍କ ସହ କାମଚଳା ବାଚସ୍ପତି ରାଜା ସ୍ବାଇଁ ମଧ୍ୟ ବିମାନ ବନ୍ଦରରେ ପହଞ୍ଚି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ସହ ରାଜ୍ୟ ସରକାର 4ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ମଧ୍ୟ ଘୋଷଣା କରିଛନ୍ତି । ଦୁଇଜଣ ମୃତ ଶ୍ରମିକଙ୍କ ଘର କଟକ ଓ ଗଞ୍ଜାମ ଜିଲ୍ଲାରେ । ଆବଶ୍ୟକ ପ୍ରକ୍ରିୟା ଶେଷ କରାଯାଇ ଆମ୍ବୁଲାନ୍ସ ଯୋଗେ ସେମାନଙ୍କ ପୈତୃକ ଗ୍ରାମକୁ ମୃତଦେହ ପଠାଯାଇଛି । କୁଏତର ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡରେ 45 ଭାରତୀୟଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଦୁଇ ଓଡିଆ ଶ୍ରମିକ ମଧ୍ୟ ଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ଦକ୍ଷିଣ ଭାରତୀୟ ରାଜ୍ୟରୁ ରହିଛନ୍ତି । ଗତକାଲି ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ସମସ୍ତ 45 ମୃତଦେହ କୋଚିରେ ପହଞ୍ଚିଥିଲା ।
ସୂଚନା ଅନୁସାରେ, ଜଣେ ମୃତକ କଟକ ଜିଲ୍ଲା ତିଗିରିଆ ଅଞ୍ଚଳର ମହମ୍ମଦ ଜାହୁର ଓ ଅନ୍ୟ ଜଣେ ଗଞ୍ଜାମ ରଣଝାଲ୍ଲୀ ଗ୍ରାମର ସନ୍ତୋଷ କୁମାର ଗୌଡ଼ ବୋଲି ଜଣାପଡ଼ିଛି । ଅଗ୍ନିକାଣ୍ଡରେ 45 ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ 23ଜଣ ମୃତକ କେରଳର ରହିଥିବା ବେଳେ 7ଜଣ ତାମିଲନାଡୁ, ଆନ୍ଧ୍ର ପ୍ରଦେଶର ତିନି ଜଣ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ହରିୟାଣା, ପଞ୍ଜାବ ଏବଂ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଶ୍ରମିକ ରହିଛନ୍ତି । ଗତକାଲି ବାୟୁସେନା ବିମାନ ସମସ୍ତ ମୃତଦେହ ଧରି କୋଚିରେ ଅବତରଣ କରିବା ପରେ ମୃତଦେହଗୁଡିକୁ ସେମାନଙ୍କ ରାଜ୍ୟ ଅଭିମୁଖେ ପଠାଯାଇଥିଲା ।
କୁଏତ ସରକାର ଏହି ଘଟଣାରେ ଗଭୀର ଦୁଖଃ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ଜାରି ରଖିଛନ୍ତି । ଏକ ପ୍ରକଳ୍ପରେ କାର୍ଯ୍ୟରତ ଥିବା ବିଦେଶୀ ଶ୍ରମିକମାନେ ରହୁଥିବା ବହୁତଳ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିଲା । ଉଦ୍ଧାର କାର୍ଯ୍ୟ ସେତେ ପ୍ରଭାବୀ ହୋଇପାରି ନଥିବା କାରଣରୁ ନିଆଁରେ ଜଳି ଓ ଶ୍ବାସରୁଦ୍ଧ ହୋଇ 45ରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ସର୍ବାଧିକ 45 ଜଣ ଭାରତୀୟ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ