କୋରାପୁଟ: ‘ଆହେ ନିଳଗିରି ତୁମ ଶ୍ରୀଭୂଜେ ଦୟଣା କିରି କରି’... ତୁଳସୀ ପ୍ରିୟ କାଳିଆ ସାଆନ୍ତେ । ତୁଳସୀ ପରି ମହାପ୍ରଭୁଙ୍କ ଅତି ପ୍ରିୟ ଦୟଣା ପତ୍ର । ଦୟଣାର ମହକରେ ମହକି ଉଠେ ଚର୍ତୁଦିଗ । ପ୍ରତିଦିନ ତୁଳସୀ ମାଳ ସହିତ ଦୟଣାର ମାଳ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପିନ୍ଧା ଯାଇଥାଏ । ମହାପ୍ରଭୁଙ୍କ ବେଶ ପ୍ରସ୍ତୁତି ସମୟରେ, ନାକ ଚଣା ତଥା ଝୁମ୍ପାରେ ଦୟଣାକୁ ବ୍ୟବହାର କରାଯାଏ । କାଳିଆର ପ୍ରିୟ ଦୟଣା ମାଳ । ଏଥିପାଇଁ ଶ୍ରୀମନ୍ଦିର ବଗିଚା ‘ନୀଳାଚଳ ଉପବନ’ରେ ଦୟଣା ଗଛ ଲଗାଯାଇଛି । ହେଲେ ତାହା ବର୍ଷର ବିଭିନ୍ନ ସମୟରେ ଶ୍ରୀମନ୍ଦିରରେ ଦୟଣା ପତ୍ରର ଆବଶ୍ୟକତା ପୂରଣ କରିପାରେନାହିଁ । ମହାପ୍ରଭୁଙ୍କ ସେବା ଲାଗି ହେବା ପାଇଁ କୋରାପୁଟରେ ଦୟଣା ଗଛ ଲଗାଯାଇଛି । ଯାହାକି ପୁରୀ ଶ୍ରୀମନ୍ଦିରକୁ ପଠାଯିବ ।
ଦୟଣା ଚାଷ ପାଇଁ କୋରାପୁଟ ମାଟି ଅନୁକୂଳ:
ମହାପ୍ରଭୁଙ୍କ ସେବାରେ ଲାଗି ହେଉଛି ଦୟଣା । ହେଲେ ଆବଶ୍ୟକ ଅନୁସାରେ ଏହା ଉପଲବ୍ଧ ହୋଇପାରୁନାହିଁ । ତେଣୁ ଓଡ଼ିଶାରେ ଦୟଣା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ ଗଠନ କରାଯାଇଛି । ସବୁ ସମୟରେ ଯେପରି ଦୟଣା ଉପଲବ୍ଧ ରହିବ ।ଏଥିପାଇଁ କେଉଁ ଅଞ୍ଚଳରେ ଏହାର ଚାଷ କରାଯାଇପାରିବ ଏହାର ଅନ୍ବେଷଣ କରୁଥିଲେ ଟ୍ରଷ୍ଟର ସଦସ୍ୟ । ପରେ ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟର ସଦସ୍ୟ ମାନେ କୋରାପୁଟ ଆସିଥିଲେ । କୋରାପୁଟର ଜଳବାୟୁ ଓ ପରିବେଶ ଦୟଣା ଉତ୍ପାଦନ ପାଇଁ ଅନୂକୁଳ ଥିବା ଜାଣିବା ପରେ ଏଠାକାର ମାଟିକୁ ପରୀକ୍ଷା କରି ଦୟଣା ଚାଷ କରିହେବ ବୋଲି ମତ ପ୍ରକାଶ କରିଥିଲେ ।
ଆରମ୍ଭ ହୋଇଛି ଦୟଣା ଚାଷ:
![dayanaa](https://etvbharatimages.akamaized.net/etvbharat/prod-images/11-12-2024/od-kpt-1-dayanaa-leaves-to-go-to-puri-srimandir-from-koraput-viz-7202788_10122024224740_1012f_1733851060_340.jpg)
ଏ ମହତ କାର୍ଯ୍ୟ ହାତକୁ ନେବାକୁ ମନ୍ଦିର ପ୍ରଶାସନ ଆଗ୍ରହ ପ୍ରକାଶ କରିଛି । ଏଥିପାଇଁ ତାମିଲନାଡୁର ସାଲେମ୍ରୁ ଦୟଣା ଚାଷର ବିଶେଷଜ୍ଞ ତଥା ଏକ ଅଗ୍ରଣୀ ଦୟଣା ଚାଷୀ ଏମ୍.ସି.ପି. ମୋହନ ସୁନ୍ଦରମ୍ କୋରାପୁଟ ଆସି ଗତ ଦୁଇଦିନ ଧରି ପଞ୍ଚବଟୀ ବଗିଚାରେ ଦୟଣା ଚାରା ଉତ୍ପାଦନ ନିମନ୍ତେ ପଟ୍ଟାଳୀ ପ୍ରସ୍ତୁତି ସହିତ ଦୟଣା ମଞ୍ଜି ବୁଣି ଏହି ବଗିଚାର ଶୁଭାରମ୍ଭ କରିଛନ୍ତି । ଦୟଣା ଗଛ ବଢ଼ିଗଲା ପରେ ଏହାର ପତ୍ରକୁ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିରରେ ଲାଗି ହେବା ସହ କୋରାପୁଟରୁ ପୁରୀ ଶ୍ରୀକ୍ଷେତ୍ରକୁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗଲାଗି ନିମନ୍ତେ ପଠାଯିବ ।
ବର୍ତ୍ତମାନ ଗୋଟିଏ ଏକର, ଆଗକୁ ବ୍ୟାପକ ଭାବେ ହେବ ଚାଷ:
![dayanaa](https://etvbharatimages.akamaized.net/etvbharat/prod-images/11-12-2024/od-kpt-1-dayanaa-leaves-to-go-to-puri-srimandir-from-koraput-viz-7202788_10122024224740_1012f_1733851060_971.jpg)
ତେବେ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଗୋଟେ ଏକର ଜମିରେ ଦୟଣା ଚାଷ କରାଯିବାର ଯୋଜନା ରହିଛି । ଏହାର ସଫଳତାକୁ ନେଇ ପଞ୍ଚବଟି ଉଦ୍ୟାନରେ ବହୁ ଏକରରେ ଦୟଣା ଚାଷ କରାଯିବ । ତେବେ ଏହା କେବଳ ଯେ ମନ୍ଦିରରେ ପୂଜା ପାଇଁ ଲାଗିବ ତାହା ନୁହେଁ । ଦୟଣା ପତ୍ରରୁ ବାହାରୁଥିବା ତେଲ ବିଶ୍ଵ ବଜାରରେ ଏକ ଅମୂଲ୍ୟ ଦ୍ରବ୍ୟ ଭାବେ ପରିଗଣିତ ହେଉଥିବା କହିଛନ୍ତି ଏମ୍.ସି.ପି ମୋହନ ସୁନ୍ଦରମ ।
ଦୟଣା କେବଳ ପତ୍ର ନୁହେଁ ବିଶ୍ବ ବଜାରରେ ଅମୂଲ୍ୟ ଦ୍ରବ୍ୟ:
![dayanaa](https://etvbharatimages.akamaized.net/etvbharat/prod-images/11-12-2024/od-kpt-1-dayanaa-leaves-to-go-to-puri-srimandir-from-koraput-viz-7202788_10122024224740_1012f_1733851060_720.jpg)
ମହାପ୍ରଭୁଙ୍କ ଅତିପ୍ରିୟ ଦୟଣା କେବଳ ଏକ ସୁଗନ୍ଧିତ ପତ୍ର ନୁହେଁ । ଏଥିରୁ ବାହାରୁ ଥିଲା ତେଲର ଚାହିଦା ବିଶ୍ବ ବଜାରରେ ଢେର୍ ରହିଛି । ପ୍ରତି ଟନ ପତ୍ରରୁ 800 ମିଲିଲିଟର ତେଲ ନିଷ୍କାସନ ହୁଏ । ଏହି ତେଲ ବଜାରରେ ଏବେ ମଧ୍ୟ ଲିଟର ପିଛା 50 ହଜାର ଟଙ୍କାରୁ ଊର୍ଦ୍ଧ୍ବ ରହିଛି । ଏହି ତେଲର ବହୁ ଉପାଦେୟ ଔଷଧୀୟ ଗୁଣ ଥିବା ଯୋଗୁଁ ବିଦେଶରେ ଏହି ତେଲର ଚାହିଦା ଅଧିକ ରହିଛି ।
ଶାବର ଶ୍ରୀକ୍ଷେତ୍ରର ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି, ‘ତୁଳସୀ ପରି ଦୟଣା ପତ୍ର ମହାପ୍ରଭୁଙ୍କ ଅତିପ୍ରିୟ । ବର୍ତ୍ତମାନ ଦୟଣା ଚାଷ ଓଡ଼ିଶାରେ ପ୍ରାୟ ହେଉନାହିଁ । ଚାଷ କମିଯାଇଥିବାରୁ ଦୟଣା ପତ୍ର ମିଳିବାରେ ଅସୁବିଧା ହେଉଛି । ଯଦି ଏଠାରୁ ଦୟଣା ହେଲା ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀକ୍ଷେତ୍ରକୁ ଦୟଣା ଯିବ । ଏଥିପାଇଁ ଗୋଟେ ପ୍ରୋଜେକ୍ଟ ଆରମ୍ଭ ହୋଇଛି । ଏହା ଯଦି ସଫଳ ହେଲା ଅନେକ ଗୌରବର କଥା । ଶ୍ରୀକ୍ଷେତ୍ର ଶାବର ଶେକ୍ଷେତ୍ର ମଧ୍ୟରେ ଗୋଟିଏ ଯୋଗସୁତ୍ର ପ୍ରତିଷ୍ଠା ହୋଇରହିପାରିବ ।’
![dayanaa](https://etvbharatimages.akamaized.net/etvbharat/prod-images/11-12-2024/od-kpt-1-dayanaa-leaves-to-go-to-puri-srimandir-from-koraput-viz-7202788_10122024224740_1012f_1733851060_451.jpg)
ତାମିଲନାଡୁ ଚାଷୀ ମୋହନ ସୁନ୍ଦରମ କହିଛନ୍ତି, ‘ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ଗୋଟେ ଏକର ଜମିରେ ଦୟଣା ଚାଷ କରାଯିବାର ଯୋଜନା ଥିବା ବେଳେ ଏହାର ସଫଳତାକୁ ନେଇ ପଞ୍ଚବଟି ଉଦ୍ୟାନରେ ବହୁ ଏକରରେ ଦୟଣା ଚାଷ କରାଯିବ । ମୁଁ ମଧ୍ୟ ମୋ ବଗିଚାରେ ଦୟଣା ପତ୍ରରୁ ତେଲ ବାହାର କରି ଟଙ୍କା ରୋଜଗାର କରୁଛି । ପ୍ରତି ଟନ ପତ୍ରରୁ 800 ମିଲିଲିଟର ତେଲ ନିଷ୍କାସନ ହେଉଥିବା ବେଳେ ଏହି ତେଲ ବଜାରରେ ଏବେ ମଧ୍ୟ ଲିଟର ପିଛା 50 ହଜାର ଟଙ୍କାରୁ ଊର୍ଦ୍ଧ୍ବ ରହିଛି ।’
![dayanaa](https://etvbharatimages.akamaized.net/etvbharat/prod-images/11-12-2024/od-kpt-1-dayanaa-leaves-to-go-to-puri-srimandir-from-koraput-viz-7202788_10122024224740_1012f_1733851060_280.jpg)
ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମାଧବ ପୂଜା ପଣ୍ଡା କହିଛନ୍ତି, ‘ଦୟଣା ଯେତେବେଳେ ମହାପ୍ରଭୁଙ୍କ ବେଶ କରାଯାଏ । ମହାପ୍ରଭୁଙ୍କ ନାକଚଣା, ଅଧରମାଳ, ଝୁମ୍ପାରେ ଦୟଣା ଦିଆଯାଏ । ଦୟଣା ଚୋରି ମହାପ୍ରଭୁଙ୍କ ଏକ ବିଶେଷ ନୀତି । ସେହି ନୀତିରେ ଦୟଣା ଦରକାର ହୁଅ । ଯଦି ଭକ୍ତ କିଛି ଦେବେ ତାହା ନିହାତି ମହାପ୍ରଭୁଙ୍କୁ ଲାଗି କରାଯିବ ।’
ଇଟିଭି ଭାରତ, କୋରାପୁଟ