ଖୋର୍ଦ୍ଧା: ଜେଲରେ ଅନ୍ତେବାସୀଙ୍କୁ ସଂଘବଦ୍ଧ ଆକ୍ରମଣ । ପୋଲିସ ଇନଫର୍ମର ସନ୍ଦେହରେ ଖୋର୍ଦ୍ଧା ଜେଲରେ ଜଣେ ଅନ୍ତେବାସୀଙ୍କୁ କିଛି ଅନ୍ତେବାସୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ନେଇ ସୂଚନା ରହିଛି । ଏନେଇ ଥାନା ଅଧିକାରୀ 7ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଜେଲରୁ ମୋବାଇଲ ମିଳିବା ପରେ ଜେଲ ପରିସରରେ ଅନ୍ତେବାସୀଙ୍କ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗତକାଲି (ରବିବାର) ଖୋର୍ଦ୍ଧା ଜେଲରେ ମଧ୍ୟରେ ଥିବା ଏକ ଅପରାଧି ଗୋଷ୍ଠୀ ଜଣେ ଅନ୍ତେବାସୀଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣ ଶିକାର ହୋଇଥିବା ଆସାମୀ ଜଣକ ପ୍ରକାଶ ନାୟକ ହୋଇଥିବାବେଳେ ସେ କୋରେକ୍ସ କଫସିରପ୍ ବେପାର ଘଟଣାରେ ଗିରଫ ହୋଇ ଜେଲରେ ସଜା କାଟୁଛି । ତେବେ କିଛିଦିନ ତଳେ ଜେଲରୁ ମୋବାଇଲ ଓ ବ୍ରାଉନ ସୁଗାର ଜବତ ଘଟଣାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବା ସୂଚନା ରହିଛି । ପୋଲିସ ଇନଫର୍ମର ସନ୍ଦେହରେ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି । ଅନ୍ୟପଟେ ଏହି ମାମଲାରେ 7ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଏହାମଧ୍ୟ ପଢନ୍ତୁ.. ଜେଲରୁ ବ୍ରାଉନସୁଗାର କାରବାର ମାମଲା: ୭ ଗିରଫ, ୯ ମୋବାଇଲ ଜବତ
ସୂଚନା ଥାଉ, ଗତ କିଛିଦିନ ତଳେ ଖୋର୍ଦ୍ଧା ଜେଲ ଭିତରେ ବ୍ରାଉନସୁଗାର ଓ ମୋବାଇଲ କାରବାର ଚାଲୁଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ଅପରାଧୀମାନେ ଜେଲରେ ଥାଇ ବି ମୋବାଇଲ ଜରିଆରେ ଧଳା ଜହର କାରବାର କରୁଥିଲେ । ଜେଲ ଭିତରୁ ଗୋଟିଏ ମୋବାଇଲ ଧରାପଡିବା ପରେ ପୂରା ଘଟଣାର ହୋଇଥିଲା ପର୍ଦ୍ଦାଫାସ । ଏହି ବ୍ରାଉନସୁଗାର କାରବାର ମାମଲାରେ ପୋଲିସ ଜଣେ ମହିଳାଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହିତ ପୋଲିସ ଜେଲରୁ ଆଉ ୯ଟି ମୋବାଇଲ ସମେତ ବହୁ କମ୍ପାନୀର ସିମ କାର୍ଡ ଜବତ କରିଛି । ତେବେ ଏହି ମାମଲାରେ ପୂର୍ବରୁ ୪ ଜଣ ଗିରଫ ହୋଇଥିବା ବେଳେ ଏବେ ପୁଣି ୭ ଜଣ ଗିରଫ ହୋଇଛନ୍ତି । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।
ଅନ୍ୟପଟେ ଖୋର୍ଦ୍ଧା ଜେଲରେ ଏଭଳି ଅପରାଧିକ କାର୍ଯ୍ୟ ବୃଦ୍ଧି ପାଉଥିବା ବେଳେ ଜେଲ ଭିତରେ ଏକାଧିକ ଅପରାଧୀଙ୍କ ପାଇଁ ବାରମ୍ବାର ଏଭଳି ଘଟଣା ଘଟୁଥିବା କହିଛନ୍ତି ଜେଲ ଅଧିକାରୀ । ବିଶୃଙ୍ଖଳା ସୃଷ୍ଟି କରୁଥିବା ଏକାଧିକ ଅପରାଧୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବା ପାଇଁ ଖୋର୍ଦ୍ଧା ଜେଲର କୃଷ୍ଣଚନ୍ଦ୍ର ରାଉତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି ।
ଇଟିଭି ଭାରତ ଖୋର୍ଦ୍ଧା