ବୌଦ୍ଧ: ଛାତ ଘର ସେମାନଙ୍କ ପାଇଁ ସାତ ସପନ । ନାଁ ଭଲରେ ଖାଇବାକୁ ପାଉଛନ୍ତି, ନାଁ ରହିବାକୁ ଭଲ ଘର ଖଣ୍ଡିଏ ଅଛି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ତାଳ ପତ୍ରର ଛାଉଣି ତଳେ ପ୍ରାୟ 70 ବର୍ଷ ଧରି ପିଢ଼ି ପରେ ପିଢ଼ି ବସବାସ କରିଆସୁଛନ୍ତି । ସେମାନଙ୍କୁ ଦେଖିଲେ ଲାଗୁଛି ଯେମିତି ସରକାରଙ୍କ ବିକାଶର ନୀଳ ନକ୍ସାରୁ ସେମାନଙ୍କ ନାଁ ଲିଭିଯାଇଛି । ଅବଶ୍ୟ ନିର୍ବାଚନ ଆସିଲେ ସେମାନଙ୍କ କଥା ସମସ୍ତଙ୍କର ମନେପଡେ । ଆଉ ନେତାମାନଙ୍କଠାରୁ ବଡ଼ ବଡ଼ ପ୍ରତିଶୃତି ମଧ୍ୟ ମିଳି । ହେଲେ ନିର୍ବାଚନ ସରିଲେ 'ବାହାଘର ପରେ ବେଦୀ ମୁହଁ ପୋଡା଼' ଭଳି ଏମାନଙ୍କ ପ୍ରତି କହାର ଦୃଷ୍ଟି ପଡେନାହିଁ । ଏଭଳି ଅବହେଳିତ ଓ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ବୌଦ୍ଧ ଜିଲ୍ଲାର ବନ୍ଧାପଥର ପଞ୍ଚାୟତ ଅଞ୍ଚଳରେ ରହୁଥିବା ଖାତି ସଂପ୍ରଦାୟର ପ୍ରାୟ 40ଟି ହୀରାକୁଦ ବିସ୍ଥାପିତ ପରିବାର ।
ଅନ୍ଧକାରରେ ବିତୁଛି ହୀରାକୁଦ ଅଞ୍ଚଳରୁ ବିସ୍ଥାପିତ ଖାତି ସଂପ୍ରଦାୟର ଅଧିବାସୀଙ୍କ ଜୀବନ । ବିକାଶର ଆଲୋକଠାରୁ ଢେର ଦୂରରେ ଥିବା ଏହି ଖାତି ସଂପ୍ରଦାୟର ଅଧିବାସୀଙ୍କ ନିକଟରେ ସରକାରୀ ଯୋଜନା ସତେ ଯେପରି ଅପହଞ୍ଚ ହୋଇ ରହିଛି । ଦେଶର ସବୁଠାରୁ ଉତ୍ତପ୍ତ ଅଞ୍ଚଳର ମାନ୍ୟତା ପାଇଥିବା ଜିଲ୍ଲାରେ ବରଫ ଦେଶର ଏସ୍କିମୋ ଭଳି ତାଳ ପତ୍ରର ଛାଉଣି ତଳେ ଗୁରୁଣ୍ଡି ଗୁରୁଣ୍ଡି ଏମାନେ ସତେ ଯେପରି ମାଟିର ମଣିଷ ହୋଇ ରହିଯାଇଛନ୍ତି । ବୌଦ୍ଧ ଜିଲ୍ଲା ସଦର ବ୍ଲକ ଓ ହରଭଙ୍ଗା ବ୍ଲକର ସୀମାନ୍ତ ଅଞ୍ଚଳରେ ବନ୍ଧାପଥର ପଞ୍ଚାୟତରେ ଏହି ଖାତି ସଂପ୍ରଦାୟର ପ୍ରାୟ 40ଟି ପରିବାର ବସବାସ କରୁଛନ୍ତି ।
ବୌଦ୍ଧକୁ କିପରି ଆସିଲେ ଖାତି ସଂପ୍ରଦାୟର:- ଖାତି ସଂପ୍ରଦାୟର ଅଧିବାସୀଙ୍କ ବିଷୟରେ ଯଦି କୁହାଯାଏ, ତେବେ ସେମାନଙ୍କ ପୂର୍ବଜ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ବସବାସ କରୁଥିବା ବେଳେ ଜଳଭଣ୍ଡାର ନିର୍ମାଣ ପାଇଁ ସେମାନେ ସେଠାରୁ ବିସ୍ଥାପନ ହୋଇ କାର୍ଯ୍ୟ ଅନ୍ବେଷଣରେ ବୌଦ୍ଧ ଅଞ୍ଚଳର ଏହି ସ୍ଥାନକୁ ଚାଲିଆସିଥିଲେ । ଅନେକ ସେମାନଙ୍କର ଜୀବନ ଓ କାର୍ଯ୍ୟଶୈଳୀ ଦେଖି ସିତରା ଜାତି ବୋଲି ମଧ୍ୟ କହିଥାନ୍ତି । ଏହି ସଂପ୍ରଦାୟର ଜୀବିକା ନିର୍ବାହର ମୁଖ୍ୟ କାର୍ଯ୍ୟ ହେଉଛି ଲୁହା, ଟିଣର ଜାଲି, ଚଟୁ, ପନିକି, ଦାଆ ଓ କଟୁରା ଭଳି ବିଭିନ୍ନ ସାମଗ୍ରୀ ତିଆରି କରିବା । ସେହିପରି ମହିଳାମାନେ ଖଜୁରୀ ପତ୍ରରେ ପଟି ବା ସପ ପ୍ରସ୍ତୁତ କରିବା କାର୍ଯ୍ୟ କରିଥାନ୍ତି ।
ଖାତି ସଂପ୍ରଦାୟର ସମସ୍ୟା:- ଖାତି ସଂପ୍ରଦାୟର ଲୋକଙ୍କ ପାଇଁ କୋୖଣସି ସରକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହୋଇନାହିଁ । ସେମାନଙ୍କ ପାଇଁ ବସୁନ୍ଧରା ଯୋଜନା, ଆବାସ ଯୋଜନା, ବିଦ୍ୟୁତ, ପାନୀୟଜଳର କୈାଣସି ସୁବିଧା ପ୍ରାୟ ନାହିଁ କହିଲେ ଚଳେ । ଆଶ୍ଚର୍ଯ୍ୟର କଥା ଏହି ସଂପ୍ରଦାୟର କୌଣସି ଯୁବକ ମ୍ୟାଟ୍ରିକ ପର୍ଯ୍ୟନ୍ତ ପାଠ ପଢି ନାହାନ୍ତି କିମ୍ବା କେହି କେବେ ଚାକିରୀ ମଧ୍ୟ କରି ନାହାନ୍ତି । ସେମାନେ କୈାଣସି ଉପାନ୍ତ କିମ୍ବା ଦୁର୍ଗମ ଅଞ୍ଚଳରେ ନୁହେଁ ଜିଲ୍ଲା ସଦର ମହକୁମାଠାରୁ ମାତ୍ର 9 କିଲୋମିଟର ଦୂରରେ ବସବାସ କରୁଛନ୍ତି । ଏମାନଙ୍କ ନିଜର ବୋଲି ପାଦ ତଳେ ମାଟି ମୁଠାଏ ନାହିଁ କିମ୍ବା ପକ୍କାଘର ବୋଲି ଜାଣିପାରି ନାହାନ୍ତି । ଏଠାରେ ବସବାସ କରୁଥିବା ଏହି ଖାତି ସଂପ୍ରଦାୟର ଶିଶୁ, ମହିଳା ଓ ବୃଦ୍ଧ ଙ୍କ ଜୀବନ ଶୈଳୀ ଆମ ସମାଜର ବ୍ୟବସ୍ଥା ପ୍ରତି ଉପହାସ ଭଳି ମନେହୁଏ ।
କେବେ ପଡ଼ିବ ଜିଲ୍ଲା ପ୍ରଶାସନର କୃପାଦୃଷ୍ଟି ? : ତେବେ ନିର୍ବାଚନ ସମୟରେ ଭୋଟ ହାତେଇବାକୁ ସମସ୍ତଙ୍କର ଏହି ସଂପ୍ରଦାୟ ଲୋକଙ୍କ ମନେପଡେ । କିନ୍ତୁ ନିର୍ବାଚନ ପରେ ସେମାନେ ଏଭଳି ଅନ୍ଧକାର ମଧ୍ୟରେ ଅଜଣା ରାଇଜରେ ରହିଯାଆନ୍ତି । ଏହି ଅବହେଳିତ ସଂପ୍ରଦାୟର ଅଧିବାସୀଙ୍କ ପ୍ରତି ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଏମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ।
ଇଟିଭି ଭାରତ, ବୌଦ୍ଧ