ସମ୍ବଲପୁର: ନଭେମ୍ବର ୨୨ରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥର ଜିଲ୍ଲାରେ ମୋଟ 129 ଟି ବଜାର ପ୍ରାଙ୍ଗଣ ବା ମଣ୍ଡି ବ୍ୟବସ୍ଥା କରିଛି ଜିଲ୍ଲା ଯୋଗାଣ ବିଭାଗ । ପ୍ରଥମ ଦିନରେ ଧାନ ଉଠାଣ ପାଇଁ 34ଟି ମଣ୍ଡି ଖୋଲିଥିବା ବେଳେ ସେଥିମଧ୍ୟରୁ 7ଟି ମଣ୍ଡିରେ 29 ଚାଷୀଙ୍କଠାରୁ 4,199 ପକେଟ୍ ଧାନ ସଂଗ୍ରହ କରାଯାଇଥିବା ଯୋଗାଣ ବିଭାଗ ସୂଚନା ଦେଇଛି । ଅନ୍ୟପଟେ ନିର୍ଦ୍ଧାରିତ ଗାଇଡଲାଇନ ଅନୁସାରେ, ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ନଥିବା ଚାଷୀ ଅଭିଯୋଗ କରିଛନ୍ତି ।
- ଚାଷୀ-ମିଲର୍ସ-ପ୍ରଶାସନ ବୈଠକ
ଗତକାଲି(ଶୁକ୍ରବାର) ପୂର୍ବାହ୍ନ 11ଟାରେ ବରେଇପାଲି ମାର୍କେଟ ୟାର୍ଡ଼ରେ ପ୍ରଥମେ ଚାଷୀମାନଙ୍କ ସହ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଓ ମିଲର୍ସ ଓ ଚାଷୀମାନଙ୍କ ମଧ୍ୟରେ ଏକ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଧାନ କିଣା ପରିଚାଳନାରେ ଯେପରି ଜିଲ୍ଲା ପ୍ରଶାସନ କୌଣସି ତ୍ରୁଟି ନକରେ ସେନେଇ ଦାୟିତ୍ବଶୀଳ ହେବାକୁ ଚାଷୀ ଜୋର ଦେଇଥିଲେ ।
- ୩୪ ମଣ୍ଡିରୁ ଉଠିଲା ଧାନ:-
ପ୍ରଥମ ଦିନରେ ସମ୍ବଲପୁର ଉପଖଣ୍ଡରେ ଥିବା 55ଟି ମଣ୍ଡି ମଧ୍ୟରୁ 34ଟି ମଣ୍ଡିରୁ ଧାନ ସଂଗ୍ରହ ଆରମ୍ଭ ହେଇଥିଲା । ପ୍ରଥମ ଦିନରେ 29 ଚାଷୀଙ୍କଠାରୁ 4199 ପକେଟ ଧାନ ସଂଗ୍ରହ ହୋଇଛି । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବଜାର ପ୍ରାଙ୍ଗଣ ବା ମଣ୍ଡିରୁ ଧାନ ସଂଗ୍ରହ କରାଯିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ଖରିଫ ଋତୁରେ ଧାନ ବିକ୍ରି କରିବା ପାଇଁ ଜିଲ୍ଲାର ମୋଟ 59 ହଜାର 895 ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାଷ ହୋଇନଥିବା କିମ୍ବା ଅନ୍ୟ କୌଣସି ସମସ୍ୟା କାରଣରୁ 77ଜଣ ଚାଷୀଙ୍କୁ ସମବାୟ ବିଭାଗ ପକ୍ଷରୁ ବାଦ ଦିଆଯାଇଛି l
![ସମ୍ବଲପୁରରୁ ଆରମ୍ଭ ହେଲା ଧାନ କିଣା, ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଚାଷୀ](https://etvbharatimages.akamaized.net/etvbharat/prod-images/23-11-2024/od-sam-01-paddy-procurement-started-avb-7202776_22112024181242_2211f_1732279362_403.jpg)
ଏହା ମଧ୍ୟ ପଢ଼ନ୍ତୁ- ସମ୍ବଲପୁରରେ ୨୨ରୁ ଖରିଫ ଧାନ କିଣା, ଟୋକନ ପରିଚାଳନାରେ ଜିଲ୍ଲାପାଳ |
- ଏଥର ୫୯ ହଜାର ପଞ୍ଜିକୃତ ଚାଷୀ
ବର୍ତ୍ତମାନ ମୋଟ 59 ହଜାର 818 ଜଣ ଚାଷୀ ଧାନ ବିକ୍ରି କରିବେ । ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ 45ଟି ପ୍ୟାକ୍ସ/ଲେମ୍ପ ଏବଂ 14ଟି ସ୍ୱୟଂ ସହାୟିକା ଗୋଷ୍ଠୀ ଦାୟିତ୍ୱରେ ରହିଛନ୍ତି । ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମୋଟ 129ଟି ବଜାର ପ୍ରାଙ୍ଗଣ ଓ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡି ପ୍ରସ୍ତୁତ କରାଯାଇଛି । ଚାଷୀଙ୍କଠାରୁ ଯେଭଳି ସୁରୁଖୁରୁରେ ଧାନ ସଂଗ୍ରହ ହୋଇପାରିବ ଏନେଇ ପ୍ରଥମ କରି 123 ଜଣ ମଣ୍ଡି ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ସମବାୟ ନିରୀକ୍ଷକ, ଯୋଗାଣ ନିରୀକ୍ଷକ, ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, କୃଷି ଗ୍ରାମ ସେବକଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ଦିଆଯାଇଛି । ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୯ଜଣ ମଣ୍ଡି ସୁପର୍ଭାଇଜିଂ ଅଫିସରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି ।
![ସମ୍ବଲପୁରରୁ ଆରମ୍ଭ ହେଲା ଧାନ କିଣା, ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଚାଷୀ](https://etvbharatimages.akamaized.net/etvbharat/prod-images/23-11-2024/od-sam-01-paddy-procurement-started-avb-7202776_22112024181242_2211f_1732279362_442.jpg)
- ୪୬ ମିଲର ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ:-
ଚଳିତ ବର୍ଷ 46 ଜଣ ମିଲର ଧାନ ସଂଗ୍ରହ ବ୍ୟବସ୍ଥାରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମେ ହୋଇଥିବା ବୈଠକ ପରେ ରୀତିନୀତି ଅନୁସାରେ ପୂଜା ହୋଇଥିଲା । ଏହାପରେ ପ୍ରଥମେ ମଣ୍ଡି କଣ୍ଟାକୁ ଆସିଥିବା ଧାନ ଗାଡିକୁ ଚାଷୀ ପୂଜା କରିଥିଲେ । ତେବେ ପ୍ରଥମ ଦିନରେ ମଣ୍ଡିକୁ ଖୁବ କମ ଧାନ ଆସିଥିଲା । ତେବେ ନୂଆ ସରକାର ଗଠନ ପରେ ଧାନ କିଣାବିକାରେ ମଧ୍ୟ କିଛି ନୂତନତ୍ବ ଆସିବା ସହ କିଛି ପରିବର୍ତନ ର ଆଶା କରୁଥିଲେ ସାଧାରଣ ଚାଷୀ l ହେଲେ ବ୍ୟବସ୍ଥା ରେ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି l ଜଳ ସେଚିତ ଅଞ୍ଚଳରେ ଚାଷୀଙ୍କର ଭଲ ଶସ୍ୟ ଉତ୍ପାଦନ ହୋଇଥିବା ବେଳେ କିନ୍ତୁ ସରକାର ଏକର ପିଛା କେବଳ 19 କ୍ୟୁଣ୍ଟାଲ ଧାନ କିଣିବେ ବୋଲି କହିଛନ୍ତି ଯାହାକୁ ନେଇ ଚାଷୀ ଅସନ୍ତୋଷ ଜାହିର କରିଛନ୍ତି ।
![ସମ୍ବଲପୁରରୁ ଆରମ୍ଭ ହେଲା ଧାନ କିଣା, ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଚାଷୀ](https://etvbharatimages.akamaized.net/etvbharat/prod-images/23-11-2024/od-sam-01-paddy-procurement-started-avb-7202776_22112024181242_2211f_1732279362_786.jpg)
- ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ନେଇ ଚାଷୀ ଅସନ୍ତୁଷ୍ଟ:-
![ସମ୍ବଲପୁରରୁ ଆରମ୍ଭ ହେଲା ଧାନ କିଣା, ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଚାଷୀ](https://etvbharatimages.akamaized.net/etvbharat/prod-images/23-11-2024/od-sam-01-paddy-procurement-started-avb-7202776_22112024181242_2211f_1732279362_798.jpg)
ମଣ୍ଡିରେ ଧାନ ଉଠାଣ ଗାଇଡଲାଇନ ଅନୁସାରେ ପ୍ରଶାସନ ଆବଶ୍ୟକ ବ୍ୟବସ୍ଥା କରିନଥିବା ଚାଷୀ ଅଭିଯୋଗ କରିଛନ୍ତି । ‘ପଶ୍ଚିମ-ଓଡିଶା କୃଷକ ସଂଗଠନ ସମନ୍ମୟ ସମିତି’ର ସଭାପତି ଅଶୋକ ପ୍ରଧାନ ଏହି ଅବସର ରେ କହିଛନ୍ତି, ‘‘ଧାନ ସଂଗ୍ରହ ପ୍ରକ୍ରିୟାରେ କିଛିଟା ପରିବର୍ତ୍ତନ ଆଣିବାକୁ ପଡିବ । ଏହି ପ୍ରକ୍ରିୟାକୁ ବିକେନ୍ଦ୍ରୀକରଣ କରିବାକୁ ପଡିବ । ଜିଲ୍ଲା ସ୍ତରରେ କ୍ରପ-କଟିଂ ଅନୁସାରେ କେଉଁ ଜିଲ୍ଲାରେ ଏକର ପ୍ରତି କେତେ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବ, ତାହା ଜିଲ୍ଲାସ୍ତରର ‘DLPC’ ବୈଠକରେ ନିଷ୍ପତ୍ତି ହେଉ ।’’ ଏହା ସହ ମଣ୍ଡିଗୁଡିକରେ ଭିତ୍ତିଭୂମିର ବିକାଶ ନକରି ବ୍ୟବସ୍ଥାକୁ ମିଲରମାନଙ୍କ ପ୍ରଭାବରୁ କେମିତି ରୋକା ଯାଇପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି l
![ସମ୍ବଲପୁରରୁ ଆରମ୍ଭ ହେଲା ଧାନ କିଣା, ମଣ୍ଡି ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଚାଷୀ](https://etvbharatimages.akamaized.net/etvbharat/prod-images/23-11-2024/od-sam-01-paddy-procurement-started-avb-7202776_22112024181242_2211f_1732279362_746.jpg)
ଇଟିଭି ଭାରତ, ସମ୍ବଲପୁର