କେନ୍ଦ୍ରାପଡା: ସିନେମା ଷ୍ଟାଇଲରେ କାର ଲୁଟ୍ ଘଟଣାର ପର୍ଦ୍ଦାଫାସ । ଅଭିନବ ଉପାୟରେ କାର୍ ଲୁଟ କରି ଧରା ପଡ଼ିଲେ ଦୁଇ ଭାଇ । ସିମେଣ୍ଟ କିଣିବା ବାହାନାରେ ଆସି ଦୋକାନରୁ କାର୍ ନେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ ।ଏଭଳି ଏକ ଅଭିନବ ଚୋରି ଘଟଣା ଘଟିଥିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଏହି ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ଦୁଇ ଭାଇକୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ବିରାଜ ମହମଦ ଏବଂ ସିରାଜ ମହମ୍ମଦ ।
କିଭଳି ଲୁଟ୍ ହୋଇଥିଲା କାର:
କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ କହିଛନ୍ତି,' ଗତ ୨୯ ତାରିଖ ଦିନ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ । ଯେ ତାଙ୍କ ସ୍ୱାମୀଙ୍କର ପଟ୍ଟାମୁଣ୍ଡାଇ କଷଣଅଣ୍ଟା ନିକଟରେ ଏକ ଦୋକାନ ଅଛି । ଜଣେ ଯୁବ ଗ୍ରାହକ ବେଶରେ ଦୋକାନରେ ପହଞ୍ଚି କିଛି ସାମଗ୍ରୀ ନେବା ପାଇଁ କହିଥିଲା । ଏହି ସମୟରେ ତାଙ୍କ ସ୍ବାମୀଙ୍କ କାର୍ଯ୍ୟବ୍ୟସ୍ତତାର ସୁଯୋଗ ନେଇ ଯୁବକ ଜଣଙ୍କ ଚଞ୍ଚକତା କରି ଦୋକାନ ଟେବୁଲ ଉପରୁ କାର୍ ଚାବି ନେଇ ଚମ୍ପଟ ମାରିଥିଲା । କିଛି ସମୟ ପୁଣି ଅଭିଯୁକ୍ତ ଜଣକ ସେଠାକୁ ଆସି ସୁବିଧା ସୁଯୋଗ ଦେଖି ଦୋକାନ ଆଗରୁ କାରଟିକୁ ନେଇ ଫେରାର ହୋଇଯାଇଥିଲା । "
ଅଭିଯୁକ୍ତ ପାଖରେ କେମିତି ପହଞ୍ଚିଲା ପୋଲିସ:
ସେ ଆହୁରି ମଧ୍ୟ କହିଛନ୍ତି," ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିଥିଲା । ଅଭିଯୁକ୍ତ ଜଣକ ଉକ୍ତ କାରକୁ ନେଇ ଭୁବନେଶ୍ୱରର ବଡଗଡ଼ ଥାନା ଅଞ୍ଚଳରେ ଏକ ଗ୍ୟାରେଜରେ ରଖିଥିଲା । ଏହି ଚୋରି ଘଟଣାରେ ସିସିଟିଭି ଫୁଟେଜକୁ ଆଧାର କରି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଅଭିଯୁକ୍ତକୁ ଧରିଥିଲା । ପଟ୍ଟାମୁଣ୍ଡାଇ ବସ୍ତି ଅଞ୍ଚଳର ଜଣେ ଯୁବକ ସେହି ଚାବି ଚୋରି କରିଥିବା ଜଣାପଡ଼ିଥିଲା । ଏହାପରେ ପୋଲିିସ ତାକୁ ଉଠାଇ ଆଣି ଖୋଳତାଡ ବେଳେ ଜଣାପଡ଼ିଥିଲା ଯେ ସେହି ଗାଡିକୁ ଭୁବନେଶ୍ୱରରେ ରଖାଯାଇଛି । ପୋଲିସ ଉକ୍ତ ସ୍ଥାନରେ ଚଢାଉ କରି କାରଟିକୁ ଉଦ୍ଧାର କରିଥିଲା । ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।"
ଇଟିଭି ଭାରତ, କେନ୍ଦ୍ରାପଡା