ଭୁବନେଶ୍ବର: ଭାରତର ପ୍ରତିରକ୍ଷାକୁ ମିଳିବ ବଡ଼ ଶକ୍ତି । ଓଡ଼ିଶାର ଶିଳ୍ପ କ୍ଷେତ୍ର ଓ ନିଯୁକ୍ତି କ୍ଷେତ୍ରକୁ ଦେବ ଗତି । ଏଥିପାଇଁ ଆଜି କଲ୍ୟାଣି ଷ୍ଟିଲ ସହ ଓଡ଼ିଶା ସରକାର କରିଛନ୍ତି ଚୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ଏହି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ପ୍ରାୟ ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ବାରା ରାଜ୍ୟରେ ୧୦ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ ।
ଆଗାମୀ ଦିନରେ ଓଡ଼ିଶାରେ ପ୍ରସ୍ତୁତ ହେବ ଦେଶର ପ୍ରତିରକ୍ଷା ଓ ବିମାନର ଯନ୍ତ୍ରାଂଶ । ଏଥିପାଇଁ କଲ୍ୟାଣି ଷ୍ଟିଲ ସହ ଏମଓୟୁ ସ୍ବାକ୍ଷରିତ କରିଛନ୍ତି ଓଡିଶା ସରକାର । ଲୋକସେବା ଭବନର କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷର ହୋଇଛି । ରାଜ୍ୟ ସରକାରଙ୍କ ଇଡକୋ ଏମଡି ଭୁପିନ୍ଦର ସିଂ ପୁନିଆ ଓ କଲ୍ୟାଣି ଷ୍ଟିଲର ନିର୍ଦ୍ଦେଶକ ଅମିତ ବି କଲ୍ୟାଣି ଚୁକ୍ତି ସ୍ବାକ୍ଷର କରିଛନ୍ତି । ଚୁକ୍ତି ଅନୁସାରେ ଢେଙ୍କାନାଳ ଜିଲ୍ଲାର ଗଜମରାରେ ପ୍ରତିଷ୍ଠା ହେବ ପ୍ରକଳ୍ପ । ଏଥିପାଇଁ ୧୧ ଶହ ଏକର ଜମି ଚିହ୍ନଟ ହୋଇଥିବାବେଳେ ଆସନ୍ତା ସେପ୍ଟେମ୍ବରରୁ ପ୍ରକଳ୍ପ କାମ ଆରମ୍ଭ ହୋଇ ୨୪ ମାସ ମଧ୍ୟରେ ଉତ୍ପାଦନ ଆରମ୍ଭ ହେବ । ଏହା ଦ୍ବାରା ୧୦ ହଜାର କର୍ମନିଯୁକ୍ତି ସୃଷ୍ଟି ହେବ । ୧୧ ହଜାର ୭୫୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ ।
ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି ଯେ, ସ୍ପେସିଆଲିଟି ଷ୍ଟିଲ, ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ନିର୍ମାଣ ପାଇଁ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ଯାହା ଆଜି ସଫଳ ହୋଇଛି । ଓଡ଼ିଶା ପାଇଁ ଆଜି ଏକ ବଡ଼ ଦିନ । ଓଡିଶା ସରକାର କଲ୍ୟାଣି ଷ୍ଟିଲ ସହ ଚୁକ୍ତି ସ୍ବାକ୍ଷର କରିଛନ୍ତି । କଲ୍ୟାଣି ଷ୍ଟିଲ ଓଡ଼ିଶାରେ ଦୁଇଟି ପ୍ରକଳ୍ପ କରିବ । ପ୍ରଥମ ପ୍ରକଳ୍ପ ହେଉଛି ପ୍ରତିବର୍ଷ ୭ ଲକ୍ଷ ଟନ ସ୍ପେସିଆଲିଟି ଷ୍ଟିଲ, ଏଲୋଏଜ, ଯାନବାହନ ଯନ୍ତ୍ରପାତି, ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ନିର୍ମାଣ ପାଇଁ ପ୍ଲାଣ୍ଟ କରିବେ । ଦ୍ଵିତୀୟରେ ଟାଇଟେନିୟମ, ଟାଇଟେନିୟମ ଏଲୋଏଜ, ଟାଇଟେନିୟମ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ ନିର୍ମାଣ ପ୍ରତିବର୍ଷ ୧୦ ହଜାର ଟନ ବିଶିଷ୍ଟ ପ୍ଲାଣ୍ଟ କରିବେ ।
ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଢେଙ୍କାନାଳ ଗଜମରାରେ ସ୍ପେସିଆଲାଇଜ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏହା ସାଧାରଣ ଷ୍ଟିଲ ନୁହେଁ । ଉଡାଜାହାଜ ଓ ମିଜାଇଲ ବ୍ୟବହୃତ ଯନ୍ତ୍ରପାତି ତିଆରି ହେବ । ଏ କ୍ଷେତ୍ରରେ ଏହା ପୂର୍ବ ଭାରତରେ ପ୍ରଥମ ଶିଳ୍ପ ହେବ । କଞ୍ଚାମାଲ, ଭିତ୍ତିଭୂମି ଓ କୁଶଳୀ ଯୁବବର୍ଗ ଥିବାରୁ ଶିଳ୍ପ ପାଇଁ ସେମାନେ ଓଡିଶାକୁ ବାଛିଛନ୍ତି । କଲ୍ୟାଣି ଷ୍ଟିଲର ନିର୍ଦ୍ଦେଶକ ଅମିତ ବି କଲ୍ୟାଣି କହିଛନ୍ତି ଯେ, ଓଡିଶା ସରକାରଙ୍କ ସହିତ ଚୁକ୍ତି ସ୍ବାକ୍ଷର ଆମ ପାଇଁ ଏହା ଏକ ଖୁସିର ମୁହୂର୍ତ୍ତ । ଦୁଇଟି ପର୍ଯ୍ୟାୟରେ ଏହି ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବାବେଳେ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ବ ଦିଆଯିବ । ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଆମେ ଦେଖିଛୁ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଭିନ୍ନ ବିଭାଗର ସଚିବ ଓ ଅଧିକାରୀ ଶିଳ୍ପ ପ୍ରତିଷ୍ଠା ପାଇଁ ଭରପୁର ସହଯୋଗ କରିଛନ୍ତି ।
ଅଧିକ ପଢନ୍ତୁ- ‘ଭବିଷ୍ୟତ ଲାଗି ଯୁବପିଢ଼ିକୁ ପ୍ରସ୍ତୁତ କରିବାକୁ ହେବ’: ମୁଖ୍ୟମନ୍ତ୍ରୀ
କାର୍ଯ୍ୟକ୍ରମରେ ୫ଟି ଏବଂ ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ଶାସକ ସଚିବ ସତ୍ୟବ୍ରତ ସାହୁ, ଦେଓ ରଞ୍ଜନ କୁମାର ସିଂ ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର