ସୁବର୍ଣ୍ଣପୁର: ପ୍ରାକୃତିକ ନୈସର୍ଗିକ ଅପରୂପା ସୌନ୍ଦର୍ଯ୍ୟର ଅନନ୍ୟ ଗନ୍ତାଘର ହେଉଛି ସୁବର୍ଣ୍ଣପୁର । ଏହି ସହରଟି ନିଜର ନିଆରା କଳା, ସଂସ୍କୃତି ଓ ଐତିହ୍ୟ ପାଇଁ ବେଶ ପରିଚିତ । ସୋନପୁର ଗଡଜାତର ପ୍ରତୀକ ମଲ୍ଲୀ ଫୁଲ । ଛୋଟିଆ ହେଲେ ବି ସୁବାସିତ ଏହି ଫୁଲଟି ସମସ୍ତଙ୍କର ଅତିପ୍ରିୟ । ଗ୍ରୀଷ୍ମର ଆରମ୍ଭରେ ବିଶେଷକରି ଚୈତ୍ର ମାସରୁ ଜ୍ୟେଷ୍ଠ ମାସ ପର୍ଯ୍ୟନ୍ତ ବ୍ୟାପକ ପରିମାଣରେ ମଲ୍ଲୀ ଫୁଲ ଫୁଟୁଥିବା ବେଳେ ସହରରେ ଏହାର ଚାହିଦା ବି ବେଶ ଅଧିକ । ହେଲେ ଚାହିଦା ତୁଳନାରେ ଉତ୍ପାଦନ ହୋଇପାରୁନାହିଁ । ଏନେଇ ସରକାରୀ ସ୍ତରରେ ମଲ୍ଲୀଫୁଲ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି ।
ଏହି ଗଡଜାତ ସହରରେ ଥିବା ଅଷ୍ଟୋତ୍ତର 108 ମନ୍ଦିରରେ ଗ୍ରୀଷ୍ମରେ ଲୋଡ଼ା ହୁଏ ମଲ୍ଲୀ ଫୁଲ । ଶୈବ, ଶାକ୍ତ ,ବୈଷ୍ଣବ ,ନାଥ ତଥା ମହିମା ଧର୍ମର ଏହି ଭୂଖଣ୍ଡରେ ମଲ୍ଲୀ ଫୁଲ ପ୍ରତିଟି ମନ୍ଦିରରେ ଲାଗି ହୁଏ । ଜାତି ଜାତିକା ଫୁଲ ଭିତରେ ମହମହ ଚହଟଭରା ମଲ୍ଲୀ ଫୁଲର ଆଦର ସହରରେ ବେଶ ଅଧିକ । ବିଭିନ୍ନ ଦେବା ଦେବୀ ପାଇଁ ଭିନ୍ନ ଭିନ୍ନ ପ୍ରକାରର ଫୁଲର ଆବଶ୍ୟକତା ପଡୁଥିବା ବେଳେ ମଲ୍ଲୀ ଫୁଲ କିନ୍ତୁ ସବୁ ଦେବାଦେବୀଙ୍କ ଆରାଧନାରେ ସମର୍ପିତ ହୋଇଥାଏ । ଏପରି କି ଏହି ଅଞ୍ଚଳର ଖିଆଲି ଓ ଶାନ୍ତି ପ୍ରିୟ ମଣିଷମାନଙ୍କ ସହିତ ଗୃହିଣୀମାନଙ୍କ ପାଖରେ ମଲ୍ଲୀଫୁଲର ଚାହିଦା ଅଧିକ ।
ଏହା ମଧ୍ୟ ପଢନ୍ତୁ-ତରଭୁଜ ଚାଷ ଉପରୁ ମୁହଁ ଲେଉଟାଇଲେଣି ଚାଷୀ, ମିଳୁନି ସରକାରୀ ପ୍ରୋତ୍ସାହନ
ଏହା ମଧ୍ୟ ପଢନ୍ତୁ-ଅଦିନିଆ ଝଡ଼ ବର୍ଷା ଉଜାଡି ଦେଲା ରବି ଫସଲ, ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ
ଗଡଜାତ ଶାସନ ସମୟରେ ଦେବାଳୟ ଗୁଡିକୁ ଫୁଲ ଯୋଗାଇ ଦେବା ପାଇଁ ବ୍ୟାପକ ପରିମାଣରେ ମଲ୍ଲୀ ଫୁଲ ଚାଷ କରାଯାଉଥିଲା । ବଣ ମଲ୍ଲୀ, ଲତା ମଲ୍ଲୀ, ବସୁମତୀ ତଥା ଧରିତ୍ରୀ ଆଦି ବିଭିନ୍ନ ପ୍ରଜାତିର ମଲ୍ଲୀଫୁଲ ଏହି ଅଞ୍ଚଳରେ ଦେଖିବାକୁ ମିଳୁଥିଲା । ମାତ୍ର ଏବେ ବଜାରରେ ମଲ୍ଲୀଫୁଲ ମାଳଟିଏ ପାଇବା କଷ୍ଟ ହୋଇ ପଡୁଛି । ଶ୍ରଦ୍ଧାଳୁ ତଥା ଜନସାଧାରଣଙ୍କ ପାଖରେ ମଲ୍ଲୀଫୁଲର ଆଦର ଓ ଚାହିଦା ବଢିଛି କିନ୍ତୁ ଚାହିଦା ତୁଳନାରେ ଉତ୍ପାଦନ ହୋଇ ପାରୁ ନଥିବାରୁ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଇଟିଭି ଭାରତ, ସୁବର୍ଣ୍ଣପୁର