ଜଗତସିଂହପୁର: ସଦର ଥାନାକୁ ଆସୁଥିବା ଲୋକଙ୍କୁ ଜଗତସିଂହପୁର ପୋଲିସ ଉଚିତ ବ୍ୟବହାର ଦେଖାଉନଥିବା ଅଭିଯୋଗ ହୋଇଛି। ଯଦି କୌଣସି ଅସୁବିଧାରେ ପଡି ଲୋକେ ଥାନାକୁ ଅଭିଯୋଗ କରିବା ପାଇଁ ଆସୁଛନ୍ତି, ପୋଲିସ ବାବୁ ତାଙ୍କୁ ନାଲି ଆଖି ଦେଖାଉଥିବା ବାରମ୍ବାର ଅଭିଯୋଗ ହେଉଛି । ଗତ ଗୁରୁବାର ରାତିରେ ଜଣେ ଅଭିଯୋଗକାରିଣୀ ଜଗତସିଂହପୁର ଥାନାକୁ ଅଭିଯୋଗ କରିବା ପାଇଁ ଆସିଥିଲେ । ଜଗତସିଂହପୁର ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏଫଆଇଆର ଲେଖିବାକୁ କହିଥିଲେ । ମହିଳା ଜଣଙ୍କ କାଗଜ ମାଗିବାରୁ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଫଳରେ ମହିଳା ଜଣଙ୍କ ଜଗତସିଂହପୁର ନବ ନିର୍ବାଚିତ ବିଧାୟକ ଅମରେନ୍ଦ୍ର ଦାସଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ।
ଏହି ଖବର ପାଇବା ପରେ ତୁରନ୍ତ ଥାନାରେ ପହଞ୍ଚିଥିଲେ ଅମରେନ୍ଦ୍ର ଦାସ । ଅମରେନ୍ଦ୍ର ୪ ପ୍ୟାକେଟ କାଗଜ ଓ ୨୦ଟି କଲମ ଧରି ଜଗତସିଂହପୁର ଥାନାରେ ପହଞ୍ଚିଥିଲେ । ଥାନା ଅଧିକାରୀ ଛୁଟିରେ ଥିବାରୁ ବିଧାୟକଙ୍କୁ ଦେଖି SDPO ଅଫିସକୁ ଡାକିଥିଲେ । କିନ୍ତୁ ଥାନା ବାରଣ୍ଡାରେ ବସିଥିଲେ ବିଧାୟକ ଅମରେନ୍ଦ୍ର ଦାସ । ସରକାର ଥାନାରେ ଲୋକମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ବାରମ୍ବାର ନିର୍ଦ୍ଦେଶ ଦେଉଛନ୍ତି । ଲୋକେ FIR ଦେବାକୁ ଥାନାକୁ ଆସିଲେ କାଗଜ, କଲମ ଯୋଗାଇଦେବା ଓ ଯଦି ସମ୍ପୃକ୍ତ ବ୍ୟକ୍ତି ଏଫଆଇଆର ଲେଖିବାରେ ଅସମର୍ଥ ହୁଅନ୍ତି ତେବେ ତାଙ୍କୁ ସହାୟତା କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । କିନ୍ତୁ ଜଗତସିଂହପୁର ଥାନାରେ ଏହାର ବୀପରିତ ଚିତ୍ର ଦେଖିବାକୁ ମିଳୁଛି । ଯଦି କୌଣସି ଲୋକ ଅସୁବିଧାରେ ପଡି ଥାନାକୁ ଆସୁଛନ୍ତି ତାଙ୍କୁ ଦୁର୍ବ୍ୟବହାର କାରାଯାଉଥିବା ଅଭିଯୋଗ ହୋଇଛି ।
ଜଗତସିଂହପୁର ଥାନାରେ ଏସବୁ କ'ଣ ପାଇଁ କରାଯାଉନାହିଁ ବୋଲି ବିଧାୟକ ପ୍ରଶ୍ନ କରିଥିଲେ । ଲୋକଙ୍କୁ ପୋଲିସ ନ୍ୟାୟ ଦେବା ବଦଳରେ ନାଲି ଆଖି ଦେଖାଉଛି ବୋଲି କହିଛନ୍ତି ବିଧାୟକ । ଲୋକଙ୍କୁ ବସିବା ପାଇଁ ଚେୟାର ମଧ୍ୟ ଦିଆଯାଉନାହିଁ । ଏଭଳି ଆଚରଣ ବରଦାସ୍ତ କରାଯିବ ନାହିଁ ବୋଲି ରୋକ ଠୋକ ଶୁଣାଇଥିଲେ ବିଧାୟକ । ଏହି ଘଟଣା ଜଗତସିଂହପୁର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଆଗକୁ ପୋଲିସର ବ୍ୟବହାରରେ ସୁଧାର ଆସୁଛି ନା ସ୍ଥିତି ପୂର୍ବ ଭଳି ରହୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଇଟିଭି ଭାରତ, ଜଗତସିଂହପୁର