ବ୍ରହ୍ମପୁର: ଦେଶରେ ଚତୁର୍ଥ ଏବଂ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । 5 ବର୍ଷ ପରେ ପୁଣିଥରେ ଗଣତନ୍ତ୍ରର ମହାପର୍ବ ଆସୁଥିବାରୁ ଏହାକୁ ନେଇ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହୋଇ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା । ଯାହାକୁ ନେଇ ନିଜ ବିଧାନସଭା ଓ ଲୋକସଭା ନିର୍ବାଚନ ଅଧିକାରୀଙ୍କଠାରୁ ଯୁବବର୍ଗ ସଂଗ୍ରହ କରୁଛନ୍ତି ପ୍ରାର୍ଥିପତ୍ର ଦାଖଲ ପାଇଁ ଆବଶ୍ୟକୀୟ ସମସ୍ତ ନଥିପତ୍ର । ଯାହାକି ପ୍ରଥମ ଦିନରେ ବହୁ ପ୍ରାର୍ଥୀ ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରାର୍ଥିପତ୍ର ଦାଖଲ କାଗଜପତ୍ର ସଂଗ୍ରହ କରିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।
ଗୋଟିଏ ପଟେ ଦଳୀୟ ପ୍ରାର୍ଥୀମାନେ ନିଜ ଦଳର କର୍ମୀ ଓ କର୍ମକର୍ତ୍ତାଙ୍କୁ ଟିକେଟ ଦେଉଥିବା ବେଳେ ବହୁ ଶିକ୍ଷିତ ଯୁବକ ସ୍ବାଧିନ ପ୍ରାର୍ଥୀ ଭାବରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ସ୍ଥିର କରିଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୩୨– ଗୋପାଳପୁର ବିଧାନସଭା, ୧୩୪– ଦିଗପହଣ୍ଡି ବିଧାନସଭା, ୧୩୫- ଚିକିଟି ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ସ୍ଥିର ହୋଇଥିବାବେଳେ ଏହି ଅବସରରେ ପ୍ରଥମ ଦିନରେ ବହୁ ସ୍ବାଧିନ ପ୍ରାର୍ଥୀ ଓ ଦଳୀୟ ପ୍ରାର୍ଥୀମାନେ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନିର୍ବାଚନ ଅଧିକାରୀଙ୍କଠାରୁ ସଂଗ୍ରହ କରିଛନ୍ତି ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଆବଶ୍ୟକୀୟ ସମସ୍ତ କାଗଜପତ୍ର ।
ବ୍ରହ୍ମପୁର ସହରରେ ପାର୍ଥିପତ୍ର ଦାଖଲ ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାର୍ଥିପତ୍ର ଦାଖଲ କରିବାକୁ ଥିବା ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବକ ଏବଂ ସମର୍ଥକଙ୍କ ସମେତ ମୋଟ 5 ଜଣଙ୍କୁ ନେଇ ସେହି ନିର୍ବାଚନମଣ୍ଡଳୀରେ ନିଯୁକ୍ତ ପାଇଥିବା ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବାକୁ ସ୍ଥିର ହୋଇଛି । ଗଞ୍ଜାମ ଜିଲ୍ଲାରେ ରହିଥିବା ଦୁଇଟି ଲୋକସଭା ଆସନ ମଧ୍ୟରୁ ବ୍ରହ୍ମପୁର ଲୋକସଭା ଆସନରେ ଆସନ୍ତା ମେ' ୧୩ ତାରିଖରେ ମତଦାନ ହେବାକୁ ଥିବାବେଳେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରାର୍ଥୀପତ୍ର ଦାଖଲ ଶେଷ ପରେ ୨୬ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ଏପ୍ରିଲ ୨୯ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିବାବେଳେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ଆସନ୍ତା ମେ' 13 ତାରିଖରେ ମତଦାନ ଏବଂ ଜୁନ୍ ୪ ତାରିଖରେ ଗଣତି ହୋଇ ଫଳାଫଳ ହେବ ।
ସେହିପରି ଗଞ୍ଜାମ ଜିଲ୍ଲାର ଆସିକା ନିର୍ବାଚନମଣ୍ଡଳୀର ଦ୍ବିତୀୟ ପର୍ଯ୍ୟାୟର ମତଦାନ ପାଇଁ ଆସନ୍ତା ୨୬ ତାରିଖରେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ମେ' 3 ତାରିଖରେ ଏହା ଶେଷ ହେବ । ୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୬ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହରର ଶେଷ ତାରିଖ ରହିଥିବାବେଳେ ଚୂଡାନ୍ତ ତାଲିକା ପ୍ରକାଶ ପାଇବା ସହିତ ମେ' ୨୦ ତାରିଖରେ ମତଦାନ ଏବଂ ଜୁନ ୪ ତାରିଖରେ ଗଣତି ହେବ । ସେପଟେ ଗଞ୍ଜାମ ଜିଲ୍ଲାର ଦୁଇଟି ଲୋକସଭା ସମେତ ୧୩ ଗୋଟି ବିଧାନସଭା ଆସନ ପାଇଁ ମତଦାନ ନିମନ୍ତେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର