ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ନେଇ ଆଜି 10ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ୱାର୍ଣ୍ଣିଂ:
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଉତ୍ତର ଓଡିଶାରେ ରହିବ । ଲଘୁଚାପ ଅଧିକ ଘନୀଭୂତ ହୋଇ 2 ଦିନ ଭିତରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଉପକୂଳରେ ପହଞ୍ଚିବ । ଫଳରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ତେବେ ଆଜି କଟକ, ସୋନପୁର, ବରଗଡ଼, ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର ଆଦି 10ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ 30 ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣ ଓ କିଛି ସ୍ଥାନରେ ପ୍ରବଳ ବର୍ଷା ରହିବ । ସେପଟେ 31 ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇଁ । ବିଶେଷ କରି ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ । ଲଘୁଚାପକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯିବା ସହ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।
ନିଅଣ୍ଟିଆ ବର୍ଷା ଭରଣା:
ଆଜି ରାତି ମଧ୍ୟରେ ରାଜ୍ୟରେ ଭାରି ବର୍ଷା ଅର୍ଥାତ୍ ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, କଟକ, ଢେଙ୍କାନାଳ, ଜଗତସିଂପୁର, କେନ୍ଦ୍ରାପଡ଼ା ଓ ଭଦ୍ରକକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଜୁଲାଇ ମାସରେ ସୃଷ୍ଟି ହୋଇଥିବା ସିରିଜ୍ ଲଘୁଚାପ ପ୍ରଭାବରେ ଭରଣା ହୋଇଛି ନିଅଣ୍ଟିଆ ବର୍ଷା । ବର୍ତ୍ତମାନ ରାଜ୍ୟରେ 437.2 ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ସେହିପରି ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡହୋଇଥିବା ବେଳେ ବାକି ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ସର୍ବାଧିକ ୯୮.3 ମିମି ବର୍ଷା ରେକର୍ଡ ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର