ଭୁବନେଶ୍ବର: ଚର୍ଚ୍ଚିତ ଆଇଏଏସ ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ପୂର୍ବରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତ ହୋଇଥିବା ବେଳେ ଏବେ ବ୍ୟକ୍ତିଗତ ସଚିବ ଭାବେ ଗୁରୁତ୍ବପୂର୍ଣ୍ଣ ନିଯୁକ୍ତି ପାଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ ମହାନ୍ତିଙ୍କ ପକ୍ଷରୁ ଆଜି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
- ନିକଟରେ ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ
ବିଜ୍ଞପ୍ତି ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ମନୋଜ କୁମାର ସାହୁ । ୨୦୦୬ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ମନୋଜ । ଗତ ମାସରୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ମନୋଜ ଆଜି ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରବିନ୍ଦ ଡାକୁଆଙ୍କୁ ଜାନୁଆରୀ ୨ ତାରିଖରେ ନଗର ଉନ୍ନୟନ ବିଭାଗକୁ ବଦଳି କରାଯାଇଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦ ଫାଙ୍କା ଥିଲା । ଆଜି ମନୋଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି । ଡାକୁଆଙ୍କ ବଦଳି ପରେ ମନୋଜଙ୍କ ନାମ ଚର୍ଚ୍ଚାରେ ଥିଲା ।
- ୨୦୦୬ ବ୍ୟାଚର IAS ହେଉଛନ୍ତି ମନୋଜ
2006 ବ୍ୟାଚର ‘AGMUT’ କ୍ୟାଡରର ଅଧିକାରୀ ହେଉଛନ୍ତି ମନୋଜ । ପୂର୍ବରୁ ସେ କେନ୍ଦ୍ର ଉପ-ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଥିଲେ ।ରାଜ୍ୟ ସରକାରଙ୍କ ଅନୁରୋଧରେ ନିକଟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଡେପୁଟେସନରୁ ମନୋଜଙ୍କୁ ଓଡିଶା ପଠାଇଥିଲେ । ତାଙ୍କୁ ଡିସେମ୍ବର ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା । ମନୋଜ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ସିଙ୍ଗାରପୁର ଗ୍ରାମର ବାସିନ୍ଦା । ସେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ଜିଲ୍ଲାପାଳ ଦାୟିତ୍ଵ ଗ୍ରହଣ କରିବା ସହ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟରେ ହର ଘର୍ ଜଲ୍ରେ କାମ କରି ଖୁବ ପ୍ରଶଂସିତ ହୋଇଛନ୍ତି ।
ନିକଟରେ ଆଇଏଏସ ସ୍ତରରେ ଅଦଳବଦଳ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରବିନ୍ଦ ଡାକୁଆଙ୍କୁ ହଟାଇଥିଲେ ସରକାର । ଗୃହ ନଗର ଉନ୍ନୟନ ବିଭାଗ ସଚିବ ଭାବେ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଥିଲା । ଟି ୱାପଙ୍ଗ ରାଓଙ୍କୁ ଯୋଜନା ବିଭାଗର ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ସେହିପରି ଏନବିଏସ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଥିଲା ।
ଇଟିଭି ଭାରତ, ଭୁବନେଶ୍ବର