ଭଦ୍ରକ: ବୁଥ୍ ନିକଟରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଉପୁର ପଞ୍ଚାୟତ ମୁକ୍ତାଡ଼ିହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା 4 ନମ୍ବର ବୁଥ୍ ପରିସୀମା ଭିତରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ତେବେ ପାରିବାରିକ କଳହ ପାଇଁ ଗୋଟେ ନିଷ୍ପାପ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀ ପ୍ରଭାକରକୁ ଅଟକ ରଖିଥିବା ସୂଚନା ମିଳିଛି । ଭଦ୍ରକ ଚିକିତ୍ସାଳୟରେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ପହଞ୍ଚି ମୃତକଙ୍କ ପରିବାରକୁ ସମାବେଦନା ଜଣାଇଥିଲେ ।
ସୂଚନା ଅନୁଯାୟୀ, ଆଜି ଭୋଟ ଦେବାକୁ ରଶ୍ମିରେଖା ଯାଇଥିଲେ । ସେଠାରେ ସେ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍ ତାଙ୍କ ସ୍ବାମୀ ପ୍ରଭାକର କେଉଁଠୁ ଆସି ତାଙ୍କୁ ଧକ୍କା ମାରିଥିଲେ । ଫଳରେ ରଶ୍ମିରେଖା ଧାଡ଼ିରୁ ତଳକୁ ଖସି ଯାଇଥିଲେ । ସେ ତଳେ ପଡ଼ି ଯିବା ପରେ ପ୍ରଭାକର ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ବେକ, ହାତ ଏବଂ ମୁହଁକୁ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ର କାରଣରୁ ରଶ୍ମିରେଖାଙ୍କ ଦେହ ମୁହଁ ହାଣି ହୋଇଯାଇଥିଲା । ସେଠାରେ ଉପସ୍ଥିତ ଥିବା ରଶ୍ମିରେଖାଙ୍କ ଦାଦା ଅଭିଯୁକ୍ତ ପ୍ରଭାକର ଉପରକୁ ଟେକା ଫୋପାଡ଼ିବା କାରଣରୁ ସେ ତାଙ୍କ ଅସ୍ତ୍ର ଫୋପାଡ଼ି ଦେଇଥିଲେ । ସେଠାରୁ ରଶ୍ମିରେଖାଙ୍କୁ ତୁରନ୍ତ ବରପଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହି ମରଣାନ୍ତକ ଆକ୍ରମଣ ପରେ ସେଠାରେ ହିଁ ଲିଭିଯାଇଥିଲା ରଶ୍ମିରେଖାଙ୍କ ଜୀବନ ଦୀପ ।
ଏହା ମଧ୍ୟ ପଢ଼ନ୍ତୁ.. ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ, ଅଭିଯୁକ୍ତ ବାପା ଗିରଫ - Father KILLED Son Sundargarh
ତେବେ ପ୍ରକାଶ ଥାଉକି, ଭଦ୍ରକ ଜିଲ୍ଲା ଜିରାଗୁମୁରି ଗ୍ରାମର ଧନେଶ୍ୱର ବେହରାଙ୍କ ଝିଅ ରଶ୍ମିରେଖା ବେହେରା । ରଶ୍ମିରେଖା ବୈଦିକ ରୀତିନୀତି ଅନୁସାରେ ମୁକ୍ତାଡ଼ି ଗ୍ରାମର ପ୍ରଭାକର ରାଉତଙ୍କୁ ବିବାହ କରିଥିଲେ । ତେବେ ରଶ୍ମିରେଖା 6 ମାସ ଅନ୍ତସ୍ୱତା ଥିଲାବେଳେ ନିଜ ବାପା ଘରେ ରହି ଆସୁଥିଲେ । ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ରଶ୍ମିରେଖା ଆଉ ଶଶୁର ଘରକୁ ନଯାଇ ବାପ ଘରେ ରହିଆସୁଥିଲେ । ଆସନ୍ତା 5 ତାରିଖ ଦିନ ମହିଳା କମିଶନ ଦ୍ୱାରା କେସ ଫାଇନାଲ ହେବାର ଥିଲା । ତେବେ ରଶ୍ମିରେଖାଙ୍କ ଏପରି ଏକ ଲୋମଟାଙ୍କୁରା ହତ୍ୟା ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ନିରିହ ଶିଶୁ କନ୍ୟାଟି ମା’ ଛେଉଣ୍ଡ ହୋଇଯାଇଛି ।
ଇଟିଭି ଭାରତ, ଭଦ୍ରକ