ନିମାପଡ଼ା: ପୁରୀ ଜିଲ୍ଲା ପିପିଲିରେ ଦଳିତଙ୍କ ମେଳି ରାଜନୈତିକ ପାଣିପାଗରେ ଭରିଛି ଉଷ୍ମତା । ନିର୍ବାଚନ ତାରିଖ ଘୋଷଣା ହେଉ ହେଉ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଜିଲ୍ଲାର ଦଳିତ ବର୍ଗ । ପିପିଲି ବ୍ଲକର ରିପଦେଇପୁର, ତେଇସିପୁର, ରଥ ପୁରୁଷୋତ୍ତମପୁର ଏବଂ ପୁବା ପଞ୍ଚାୟତ ଆଦିର ଦୁଇ ଶହରୁ ଊର୍ଦ୍ଧ୍ବ ପରିବାର ଆନ୍ଦୋଳନରେ ନିଜକୁ ସାମିଲ କରି ଭୋଟ ବର୍ଜନ କରିବାର ଧମକ ଦେଇଛନ୍ତି । ତେବେ ସରକାର ମିଛ ପ୍ରତିଶ୍ରୁତି ଦେଇ ସେମାନଙ୍କ ଠାରୁ ଭୋଟ ହାତଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ନିଜର ଅଭିଯୋଗ ଜଣାଇଛନ୍ତି ।
ଆଗରୁ ମଧ୍ୟ ପୁରୀ ଜିଲ୍ଲାରେ ଅନେକ ଥର ବିଭିନ୍ନ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ସାମ୍ନାକୁ ଆସିଛି । ଗ୍ରାମକୁ ପକ୍କା ରାସ୍ତା, ସ୍ବାସ୍ଥ୍ୟସେବା ଏବଂ ପାନୀୟ ଜଳ ଯୋଗାଣ ପରି ଅନେକ ସମସ୍ୟା ନେଇ ବହୁବାର ଲୋକେ ସରକାରଙ୍କ ଦ୍ବାରସ୍ତ ହୋଇ ନିରାଶ ହୋଇଛନ୍ତି । ରାଜଧାନୀ ଠାରୁ ଅଳ୍ପ ଦୂରରେ ଥିବା ଅଞ୍ଚଳର ଯଦି ଏହିଭଳି ଅବସ୍ଥା ତେବେ ଦୂରରେ ଥିବା ଜିଲ୍ଲାର କଥା ତ ନକହିବା ଭଲ । ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ‘‘ନେତାମାନେ କେବଳ ମିଛ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ଜାଣିଛନ୍ତି । ଆଉ ନିର୍ବାଚନ ସରିଲା ପରେ ପ୍ରତାରଣା କରୁଛନ୍ତି । ଏବେ ଆମେ ଆଉ ତାଙ୍କ ମିଛ ଅଭିନୟରେ ଆସିବୁନି । ଆମକୁ ଆମର ହକ୍ ଦରକାର । ହକ୍ ନମିଳିଲେ ଭୋଟ ବର୍ଜନ କରିବୁ ।’’
ଏହି ଆନ୍ଦୋଳନକାରୀ ମହିଳାମାନଙ୍କ ମଧ୍ୟରେ ଅନେକଙ୍କ ପକ୍କା ଘର ନଥିବାବେଳେ ରାସନ କାର୍ଡ, ଭତ୍ତା ମିଳୁନଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ନମିଳିବାରୁ ସେମାନେ ଏହିଭଳି ଆନ୍ଦୋଳନ ପନ୍ଥା ଅବଲମ୍ବନ କରିଥିବା କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ପାଣି ପାଇଁ ସଙ୍ଘର୍ଷ, କେବେ ସରକାର ଶୁଣିବେ ଗୁହାରୀ
ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତର ପାଞ୍ଚଣା ଗ୍ରାମରେ ଦୀର୍ଘ ବର୍ଷ ଧରି ପାଣି ପାଇଁ ଅହରହ ସଂଘର୍ଷ କରିଆସୁଛନ୍ତି ଗ୍ରାମବାସୀ l ସରକାର ପାନୀୟ ଜଳ ଯୋଗାଇ ଦେବା ପାଇଁ ଅନେକ ଯୋଜନା କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ଦୀର୍ଘ ବର୍ଷର ପାନୀୟ ଜଳର ସମସ୍ୟା ନେଇ ପଞ୍ଚଣା ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା । ସେହିଭଳି ପୁରୀ ଜିଲ୍ଲା ନିମାପଡା ବ୍ଲକ ଠାରୁ ମାତ୍ର 5 କିଲୋମିଟର ଦୂରରେ ଅବସ୍ଥିତ ସାତକାଳିଆ ଗାଁକୁ ଯିବା ପାଇଁ ଏଠି ଭଲ ରାସ୍ତା ନଥିବା ବେଳେ ସମସ୍ତ ପ୍ରକାର ସୁବିଧାରୁ ବଞ୍ଚିତ ଅଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଏହିଭଳି ଅନେକ ଗ୍ରାମ ବିକାଶର ପ୍ରକୃତ ଦୃଶ୍ୟକୁ ଦେଖାଉଛି । ତେବେ କେବଳ ପୁରୀ ନୁହେଁ ଓଡ଼ିଶାରେ ଏହିଭଳି ଅନେକ ଗ୍ରାମ ତଥା ଅଞ୍ଚଳ ଅଛି ଯାହା ଏବେ ମଧ୍ୟ ବିକାଶ ଖୋଜୁଛି । ଯେଉଁଠାରେ ଲୋକ ତାଙ୍କ ମୌଳିକ ଅଧିକାର ପାଇଁ ଏବେ ବି ସଂଘର୍ଷ କରୁଛନ୍ତି ।
ଇଟିଭି ଭାରତ, ନିମାପଡ଼ା