ଭୁବନେଶ୍ବର: ନିର୍ବାଚନ ପାଇଁ ଜୋରଦାର ହୋଇଛି ପୋଲିସ ଚେକିଂ । ବ୍ଲକିଂ ବେଳେ ଧରାପଡ଼ିଛି ଚୋରା ଗାଡି଼ ଓ ଟଙ୍କା । ଚନ୍ଦ୍ରଶେଖରପୁରରେ ସାଢେ ୩ ଲକ୍ଷ ଟଙ୍କା ସହ ତମାଣ୍ଡୋରେ ଚୋରା ମୋରମ ବୋଝେଇ ଟ୍ରକ ଜବତ ହୋଇଛି । ଏନେଇ ସୂଚନା ଦେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ରାତ୍ରିକାଳୀନ ଚେକିଂ ଜୋରଦାର କରାଯାଇଛି । ଶନିବାର ରାତିରେ ଚେକିଂ ବେଳେ ନଗଦ ଟଙ୍କା ଯାଉଥିବା ଗାଡି ସହ ୫ଟି ଚୋରା ମୋଟର ସାଇକେଲ ଜବତ କରାଯାଇଛି । ତମାଣ୍ଡୋ ଥାନା ଅଞ୍ଚଳରେ ୫ଟି ଚୋରା ମୋରମ ବୋଝେଇ ଟ୍ରକ ମଧ୍ୟ ଜବତ କରାଯାଇଛି । ମୋଟ ୬୦ଟି ଗାଡ଼ି ଜବତ ହୋଇଛି, ଯାହାର ଡ୍ରାଇଭର ମଦ୍ୟପାନ କରି ଡ୍ରାଇଭ କରୁଥିବା ବେଳେ ଧରାପଡିଛନ୍ତି ।"
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ବ୍ଲକିଂ, ଚେକିଂ ବେଳେ ଓମଫେଡ ଛକରେ ଧରାପଡ଼ିଥିଲା ଏକ ଗାଡ଼ି । ଚନ୍ଦକାରୁ ପୁରୀ ସାତଶଙ୍ଖ ଅଭିମୁଖେ ଏକ ପାଣି କମ୍ପାନୀର ମ୍ୟାନେଜର ଯାଉଥିବାବେଳେ ଚେକିଂ ହୋଇଥିଲା । ସେହି ସମୟରେ ଗାଡିରୁ ୩ ଲକ୍ଷ ୬୦ହଜାର ଟଙ୍କା ଜବତ ହୋଇଥିଲା । ୫ ଶହ ଟଙ୍କିଆ ୬୩୫ଟି, ଶହେ ଟଙ୍କିଆ ୪୧୭ଟି ଓ ୨ ଶହ ଟଙ୍କିଆ ୪ ଖଣ୍ଡ ଜବତ ନୋଟ୍ ହୋଇଥିଲା । ଯାହାର ଲିଗାଲ ସୋର୍ସ କ'ଣ, କେଉଁଠୁ ଟଙ୍କା ଆଣିଥିଲେ ପଚରାଯିବାକୁ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ କମ୍ପାନୀ ମ୍ୟାନେଜର । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଟଙ୍କାର ସୋର୍ସ ନେଇ ଖୋଳତାଡ଼ ଚାଲିଛି ।
ସେହିପରି ମୈତ୍ରି ବିହାର ଥାନା ପକ୍ଷରୁ ଚେକିଂ ଚାଲିଥିବାବେଳେ ୧୦ଟି ଚୋରା ବାଇକ ଜବତ କରାଯାଇଛି । ଗାଡି଼ ଗୁଡ଼ିକର ନମ୍ବର ପ୍ଲେଟ୍ ସହ ଗାଡ଼ିର କାଗଜପତ୍ର ସଠିକ ନଥିବାବେଳେ ଜବତ କରଯାଇଛି । ତମାଣ୍ଡୋ ଥାନା ଅଞ୍ଚଳରେ ମଧ୍ୟ ରାତ୍ରି ଚେକିଂ ବେଳେ ୨ଟି ଚୋରା ମୋରମ ବୋଝେଇ ଟ୍ରକ ଜବତ କରାଯାଇଥିଲା । ଟ୍ରାଫିକ ଥାନା ପକ୍ଷରୁ ଚେକିଂବେଳେ ୨୫ଟି ଉର୍ଦ୍ଧ୍ବ ଚାରି ଚକିଆ କାର୍ ମଧ୍ୟ ଡ୍ରଙ୍କନ ଡ୍ରାଇଭ୍ ମାମଲାରେ ଧରାପଡିଛି । ମୋଟ ୬୦ଟି ଗାଡି ଜବତ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ବି ପଢନ୍ତୁ...ଆଚରଣ ବିଧି ଉଲ୍ଲଙ୍ଘନ ଉପରେ କଡା ନଜର, କାରରୁ ମିଳିଲା ଲକ୍ଷାଧିକ ଟଙ୍କା - Money Seized IN Boudh
ବିଭିନ୍ନ ଥାନା ଅଞ୍ଚଳ ସମେତ ଟ୍ରାଫିକ ଥାନା ପୋଲିସ ଚେକିଂ ଜାରି ରଖିଛନ୍ତି । ବିଶେଷ କରି ରାତ୍ରିକାଳୀନ ଚେକିଂ ବେଳେ ଟଙ୍କା କାରବାର, ମଦ କାରବାର, ଅସ୍ତ୍ରଶସ୍ତ୍ର କାରବାର ଓ ବେଆଇନ ସାମଗ୍ରୀ ତଥା ଗିଫ୍ଟ ଆଇଟମ ଭଳି ଜିନିଷ ଆଦିକୁ ନଜରରେ ରଖାଯାଇଛି । ଏନେଇ ସନ୍ଦେହ ହେଲେ ସେସବୁ ଜବତ କରାଯାଉଛି ଓ ପରେ ପ୍ରମାଣ ଆଧାରରେ ତଦନ୍ତ କରାଯାଉଛି । ଆଚରଣବିଧି ଲାଗୁ ସମୟରେ ଯେପରି କୌଣସି ନିୟମର ଉଲଂଘନ କରାନଯାଏ, ସେଥିପ୍ରତି ସଜାଗ ରହିଛି କମିଶନରେଟ୍ ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର