ପୁରୀ: ରତ୍ନଭଣ୍ଡାର ପାଇଁ ବସିଲା ଉଚ୍ଚସ୍ତରୀୟ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ଏବଂ ମରାମତି ନେଇ ଗଠନ ହୋଇଥିବା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପୂର୍ବତନ ବିଚାରପତି ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ରତ୍ନଭଣ୍ଡାର ଯାଞ୍ଚକୁ ଆଲୋଚନା କରାଯାଇଥିଲା । ଏଥିରେ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଜଷ୍ଟିସ ଅରଜିତ ପଶାୟତ ।
ବୈଠକରେ ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ୧୯୭୮ ମସିହାର ରତ୍ନ ଅଳଙ୍କାରର ତାଲିକା ଅନୁଧ୍ୟାନ କରାଯିବ । ତାଲିକା ଅନୁସାରେ କେତେ ଅଳଙ୍କାର ରହିଛି । କେତେ ଅଳଙ୍କାର ନାହିଁ ଏବଂ ୧୯୭୮ ମସିହା ପରେ କେତେ ଅଧିକ ଅଳଙ୍କାର ରତ୍ନଭଣ୍ଡାରରେ ରଖାଯାଇଛି । ତାହା ସମ୍ପୂର୍ଣ୍ଣ ଯାଞ୍ଚ ହେବ । ତେବେ ରଥଯାତ୍ରା ସମୟରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହ ନଥିବା ସମୟରେ ରତ୍ନ ଅଳଙ୍କାର ଗଣତି ଏବଂ ମରାମତି ପାଇଁ ପ୍ରକୃଷ୍ଟ ସମୟ ବୋଲି ଜଷ୍ଟିସ ଅରଜିତ ପଶାୟତ ମତ ରଖିଛନ୍ତି । ସେହିପରି ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାର ଭିତରକୁ ଅତ୍ୟାଧୁନିକ କ୍ୟାମେରା ପଠାଯାଇ ଅଳଙ୍କାର ଯାଞ୍ଚ ହୋଇପାରିବ କି ନାହିଁ । ସେ ନେଇ ମଧ୍ୟ ତର୍ଜମା କରାଯିବ । ୧୯୭୮ ମସିହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ତାଲିକା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ପ୍ରଦାନ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଷ୍ଟିସ ଅରଜିତ ପଶାୟତ । ଆଜି 2ଟାରେ ଏହି ବୈଠକ ଆୟୋଜନ ହୋଇଥିଲା ।
ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ନେଇ ଗଠିତ ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତଙ୍କ ସୂଚନା ଅନୁସାରେ, ସ୍ବାଧିନତା ପୂର୍ବରୁ ବ୍ରିଟିଶ ସରକାର ସମୟରେ ୧୯୨୬ ମସିହାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମରାମତି ହୋଇଥିଲା । ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନ ଅଳଙ୍କାର ଗଣତି ମରାମତି କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେହିପରି ୧୯୮୨ ଏବଂ ୧୯୮୫ ମସିହାରେ ମଧ୍ୟ ରତ୍ନ ଅଳଙ୍କାରର ତାଲିକା ଯାଞ୍ଚ କରାଯାଇଥିଲା । ୧୯୭୮ ମସିହାରେ ପ୍ରତ୍ୟେକ ଅଳଙ୍କାରର ଓଜନ କେତେ ଏବଂ ତାହା କିଭଳି ଅବସ୍ଥାରେ ରହିଛି ସେଥିପାଇଁ ଯାଞ୍ଚ କରିବାକୁ ଦୀର୍ଘ ୪ ମାସ ସମୟ ଲାଗିଥିଲା । ସେପଟେ ଅତ୍ୟାଧୁନିକ କ୍ୟାମେରା ମାଧ୍ୟମରେ ରତ୍ନଭଣ୍ଡାର ଅଳଙ୍କାରର ସ୍ଥିତି ବିଷୟରେ ଜାଣିବା ସେତେଟା ସମ୍ଭବ ନୁହେଁ ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ କହିଛନ୍ତି । ଏଏସଆଇକୁ ସରକାରଙ୍କ ପକ୍ଷରୁ ଅନୁମତି ମିଳିଲେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଯିବ ବୋଲି ଏଏସଆଇ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ......ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ବଡ଼ ଦେଉଳ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସହ ମନୋନୀତ ସେବାୟତ ପ୍ରତିନିଧି ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଆଗାମୀ ଦିନରେ କେବେ ଦ୍ବିତୀୟ ବୈଠକ ଅନୁଷ୍ଠିତ ହେବ ଏବଂ କ'ଣ ନିଷ୍ପତ୍ତି ନିଆଯିବ ତା'କୁ ହିଁ ସମସ୍ତଙ୍କ ଅପେକ୍ଷା । ଗତ ଫେବୃଆରୀ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ।
ଇଟିଭି ଭାରତ, ପୁରୀ