ଭୁବନେଶ୍ବର: ଛତିଶଗଡରେ ବଡ଼ ଧରଣର ମାଓ ଅପରେସନ ପରେ ରକ୍ତମୁଖା ମାଓବାଦୀ । ଜୀବନ ବଞ୍ଚାଇବାକୁ ଛତ୍ରଭଙ୍ଗ ଦେଉଛନ୍ତି ମାଓ ସଂଗଠନ । କାରଣ ଓଡ଼ିଶା ସୀମାନ୍ତ ଛତିଶଗଡ଼ ବସ୍ତର ଅଞ୍ଚଳରେ ଜୋରଦାର ଚାଲିଛି ମାଓ ଅପରେସନ । ଜୋରଦାର ଅପରେସନ ପରେ ମାଓବାଦୀମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ରହିଛି । ଆଗକୁ ନିର୍ବାଚନ ଥିବାରୁ ପରିସ୍ଥିତି ମଧ୍ୟ ବିଗାଡିବାର ଭୟ ରହିଛି । ଏନେଇ ପୋଲିସ ପ୍ରସ୍ତୁତ ରହିଥିବାବେଳେ ମାଓବାଦୀଙ୍କ ଉପରେ କଡା ନଜର ରଖିଛି । ପୂର୍ବରୁ ୨ଟି ବୈଠକ କରି ମାଓ ସମ୍ପର୍କିତ ଆଲୋଚନା କରିସାରିଛି ଓଡ଼ିଶା ପୋଲିସ । ଏନେଇ ସୀମାନ୍ତ ରାଜ୍ୟ ଛତିଶଗଡ଼ ସହ ପଶ୍ଚିମବଙ୍ଗ ଓ ପରେ ଆନ୍ଧ୍ର, ତେଲେଙ୍ଗାନା ଭଳି ରାଜ୍ୟ ପୋଲିସ ସହ ଏନେଇ ଆଲୋଚନା କରାଯାଇଛି ।
ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି,"ଆନ୍ଧ୍ର ଓଡିଶା ବର୍ଡରରେ ଯେପରିକି କୋରାପୁଟ-ରାୟଗଡା-ମାଲକାନଗିରିରେ ମାଓବାଦୀ ଉପଦ୍ରବ ତିନିବର୍ଷ ହେବ କମିଯାଇଛି । ସ୍ବାଭିମାନ ଅଞ୍ଚଳରେ ପୋଲିସ ଦଖଲ ପରେ । ସୁରକ୍ଷାକର୍ମୀଙ୍କ କ୍ୟାମ୍ପ ଓ ମାଓବାଦୀଙ୍କ ଘର ବାପସି କାର୍ଯ୍ୟକ୍ରମ ପରେ ସେମାନେ ଅଧିକାଂଶ ମୁଖ୍ୟସ୍ରୋତକୁ ଫେରିଆସିଛନ୍ତି । ସେ ଗ୍ରୁପ ଯେଉଁ ସବୁ ସକ୍ରିୟ ଥିଲେ ଛତିଶଗଡ ଅଞ୍ଚଳକୁ ଚାଲିଯାଇଥିଲେ । ସୁକମା ଓ ବସ୍ତର ଅଞ୍ଚଳକୁ ଚାଲିଯାଇ ସେଠାରେ ରହୁଛନ୍ତି । ତେବେ ସେମାନେ ଆଗାମୀ ଦିନରେ ନିଶ୍ଚୟ ଚେଷ୍ଟା କରିବେ ଆଉ ଥରେ ଓଡ଼ିଶାକୁ ଆସିବା ପାଇଁ । ଅଥବା ଓଡ଼ିଶା ଦେଇ ଆନ୍ଧ୍ରକୁ ଯିବା ପାଇଁ । ଏ ପ୍ରକ୍ରିୟା ଜାରି ରହିଥାଏ ବା ରହିବ । ତେଣୁ ପୋଲିସ ପକ୍ଷରୁ ମଧ୍ୟ ସେମାନଙ୍କୁ ମୁକାବିଲା ପାଇଁ କାଉଣ୍ଟର ପ୍ରଚେଷ୍ଟା କରାଯିବ । ତେଣୁ ମାଓ ଉପଦ୍ରବ ହିଂସା କମିଛି ବା ଆଦୌ ନାହିଁ କହିଲେ ଚଳେ ।’’
ତେବେ ସୀମାନ୍ତରେ କିଛି ମାଓବାଦୀ ସକ୍ରିୟ ହୋଇଛନ୍ତି । ଆନ୍ଧ୍ର ଓଡ଼ିଶା ଷ୍ଟେଟ୍ ବର୍ଡର ଜୋନାଲ କମିଟି ସେମାନଙ୍କର ସଂଗଠନର ମଧ୍ୟ ଗତିବିଧି ରହିଛି । ଏପରିକି ମାଓବାଦୀଙ୍କ ଛୋଟ ଛୋଟ ଟିମ୍ ଗଠନ କରି ସୀମାନ୍ତରେ ବୁଲୁଛନ୍ତି । ବିଶେଷ କରି ଆନ୍ଧ୍ର-ଓଡିଶା ବର୍ଡରରେ ମଧ୍ୟ ସେମାନଙ୍କ ଗତିବିଧି ଥିବା ପୋଲିସ ସୂଚନା ପାଇଛି । ଛତିଶଗଡ,ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଯେଉଁ ଟ୍ରାଇ ଜଙ୍କସନ ରହିଛି ସେହି ଅଞ୍ଚଳରେ ସେମାନଙ୍କ ଗତିବିଧି ରହିଛି । ଦୁର୍ଗମ ଅଞ୍ଚଳ ବା ମାଓ ସକ୍ରିୟ ଅଞ୍ଚଳରେ ସେମାନେ ପଶିବା ପାଇ ଯୋଜନା ଚଳାଇଛନ୍ତି । ଟପ୍ କ୍ୟାଡ଼ରଙ୍କ ସହ ସବ କ୍ୟାଡ଼ର ଅଲଗା ଅଲଗା ଟିମ୍ କରି ସେମାନେ ଗତିବିଧି ହେଉଥିବା ପୋଲିସ ଜାଣିବାକୁ ପାଇଛି ।
ଏହାକୁ ନଜରରେ ରଖି ସମସ୍ତ ବର୍ଡର ଚେକ୍ ପୋଷ୍ଟରେ କଡାକଡି ଚେକିଂ ଓ ଯାଞ୍ଚ କରାଯାଉଛି । ସନ୍ଦେହ ଘେରରେ ଥିବା ମାଓବାଦୀଙ୍କ ଫଟୋ ବା ଲିଷ୍ଟ ମଧ୍ୟ ପୋଲିସ ସୀମାନ୍ତ ରାଜ୍ୟର ପୋଲିସ ସହ ସେୟାରିଂ କରାଯାଉଛି । ତେଣୁ ଯେପରି ନିର୍ବାଚନ ସମୟରେ କିଛି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେନେଇ ସମସ୍ତ ପ୍ରକାର ପ୍ରଚେଷ୍ଟା କରିଛି ପୋଲିସ । ନିର୍ବାଚନ ପାଇଁ ନୋଡାଲ ଅଫିସର ଓ କଣ୍ଟ୍ରୋଲ ରୁମ୍ ତଥ୍ୟ ଆଦାନ ପ୍ରଦାନ ପାଇଁ ମଧ୍ୟ ଆଲୋଚନା ଜାରି ରହିଛି । ଗୋଟିଏ ସମୟରେ ଆନ୍ଧ୍ର ଓ ଓଡ଼ିଶା ନିର୍ବାଚନ ଥିବାରୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଛତିଶଗଡ ବର୍ଡର ଉପରେ ମଧ୍ୟ ବିଶେଷ ନଜର ରଖିଛନ୍ତି ସୁରକ୍ଷା କର୍ମୀ । କାରଣ ଗତ ଥର ସାଧାରଣ ନିର୍ବାଚନ ସମୟରେ ପୋଲିଂ ପାର୍ଟିକୁ ଗୁଳିମାଡ଼ ସହ ପୋଲିସର ଗାଡି ପୋଡିବା ଭଳି ଘଟଣା ନଜିର ରହିଛି । ତେଣୁ ଏଥର ସେସବୁକୁ ଦୃଷ୍ଟିରେ ରଖି ବିଭିନ୍ନ ଦିଗକୁ ଗୁରୁତ୍ବ ଦିଆଯାଉଥିବା ପୋଲିସ ପକ୍ଷରୁ କୁହାଯାଇଛି ।