ଭୁବନେଶ୍ବର: ନିର୍ବାଚନ ପାଇଁ ବନ୍ଧୁକ କଟକଣା । ଲାଇସେନ୍ସପ୍ରାପ୍ତ ବନ୍ଧୁକ ରଖିଥିଲେ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ୍ ପୋଲିସ। କଟକ ଓ ଭୁବନେଶ୍ଵରର ବିଭିନ୍ନ ଥାନା ଅଞ୍ଚଳର ଲାଇସେନ୍ସଧାରୀ ନିଜ ନିଜ ବନ୍ଧୁକ ଥାନାରେ ଦାଖଲ କରିବେ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । କମିଶନରଙ୍କ ସୂଚନା ମୁତାବକ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି । ଏନେଇ ସ୍କ୍ରିନିଂ ରିଭ୍ୟୁ କମିଟିର ବୈଠକ ସରିଛି । କେଉଁମାନେ ବନ୍ଧୁକ ରଖିବେ, ସେନେଇ ନିଷ୍ପତ୍ତି ହୋଇଛି ।
ଭୁବନେଶ୍ୱରର ୧ ହଜାର ୩୮୮ଜଣ ଓ କଟକର ୭ ଶହ ଜଣ ଲାଇସେନ୍ସପ୍ରାପ୍ତ ବନ୍ଧୁକଧାରୀ ରହିଛନ୍ତି। ସେମାନଙ୍କ ବନ୍ଧୁକ ଥାନାରେ ଦାଖଲ ପରେ କେଉଁମାନେ ବନ୍ଧୁକ ପୁ୍ନଶ୍ଚ ନେଇପାରିବେ ସେନେଇ ନିର୍ଦ୍ଦେଶାବଳୀ ରହିଛି । ତେବେ ନିର୍ବାଚନ ସମୟରେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଅପବ୍ୟବହାର ଆଶଙ୍କା ରହିଥାଏ । ବନ୍ଧୁକ ଜରିଆରେ ନିର୍ବାଚନ ତଥା ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଥାଏ । ଗଣ୍ଡଗୋଳ ସମୟରେ ବନ୍ଧୁକ ଅପବ୍ୟବହାରର ଆଶଙ୍କା ଥାଏ। ସେସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରତ୍ୟକ ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ସ୍କ୍ରିନିଂ ରିଭ୍ୟୁ କମିଟି ଏହି ନିଷ୍ପତ୍ତି ନେଇଥାଏ। ଯେଉଁମାନେ ବନ୍ଧୁକ ରଖିବା ପାଇଁଁ ଉପଯୁକ୍ତ କାରଣ ଦର୍ଶାନ୍ତି ସେ ଦିଗରେ ଆଲୋଚନା ହୋଇ ଅନୁମତି କାହାକୁ ଦିଆଯିବ ବା ଦିଆନଯିବ ନିଷ୍ପତ୍ତି ହୋଇଥାଏ ।
ଆସନ୍ତା କିଛି ଦିନ ମଧ୍ୟରେ ବନ୍ଧୁକ ନିକଟସ୍ଥ ଥାନାରେ ଦାଖଲ କରିବାକୁ କମିସନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଛି। ଯେଉଁମାନେ ଦାଖଲ କରିବେ ନାହିଁ ସେମାନଙ୍କ ଲାଇସେନ୍ସ ବାତିଲ ହେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି । ବନ୍ଧୁକ ଲାଇସେନ୍ସ ନେଇଥିବା ରାଇଫଲ ଆସୋସିଏସନ୍ ଏବଂ ରାଇଫଲ କ୍ଲବ ମାନଙ୍କୁ ମଧ୍ୟ ଫେରାଇବାକୁ କୁହାଯାଇଛି। ଯେଉଁମାନଙ୍କର ଲାଇସେନ୍ସ ମଧ୍ୟ ସରିଛି ସେମାନେ ବିଳମ୍ବ ନକରି ତୁରନ୍ତ ଦାଖଲ କରିବା ପାଇଁ ପ୍ରକ୍ରିୟା ଜାରି ହୋଇଛି । ଅଧିକାଂଶ ଲୋକ ବନ୍ଧୁକ ଲାଇସେନ୍ସ ନେଇ ନିଜ ସାଥିରେ ଯାତ୍ରା କରିଥାନ୍ତି। ଯଦି ରାଜ୍ୟ ବା ଦେଶ ବାହାରକୁ କେହି ଯାଇଥାନ୍ତି ତେବେ ସେମାନେ ଇମେଲ ବା ଥାନାକୁ ଯୋଗାଯୋଗ କରି ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।
ଏହା ମଧ୍ୟ ପଢନ୍ତୁ...ରାଜଧାନୀରେ ଯବାନଙ୍କ ବନ୍ଧୁକ ଚୋରି, ଇଣ୍ଟେଲିଜେନ୍ସକୁ ଆଲର୍ଟ କଲା ପୋଲିସ
ଅନେକ ସମୟରେ ଲାଇସେନ୍ସ ନେଇ ବନ୍ଧୁକର ଅପବ୍ୟବହାର କରିଥାନ୍ତି ଲୋକେ। ନିଜ ସୁରକ୍ଷା ପାଇଁ ହେଉ ବା ଭୟ ବା ଡର ଦେଖାଇବା ପାଇଁ ମଧ୍ୟ ବ୍ଲାଙ୍କ ଫାୟାରିଂ ମଧ୍ୟ କରିବାର ନଜିର ଥାଏ। ଏପରିକି ଛୋଟ ଗଣ୍ଡଗୋଳରୁ ଲାଇସେନ୍ସ ବନ୍ଧୁକ ଦେଖାଇ ଭୟ ସୃଷ୍ଟି କରିବା ଭଳି ପରିସ୍ଥିତି ଉପୁଜାଇଥାନ୍ତି। ପୋଲିସ ଏଥର ବନ୍ଧୁକ ଲାଇସେନ୍ସ ବା ଅନୁମତି ଦେବା ପୂର୍ବରୁ ଅନେକ ଦିଗକୁ ନେଇ ରିଭ୍ୟୁ କରାଯାଇଛି। ବ୍ୟାଙ୍କ, ଏଟିଏମ୍ ଏବଂ ଯେଉଁମାନେ ସିକୁରିଟି ସଂସ୍ଥାରେ କାମ କରୁଛନ୍ତି ଯଥେଷ୍ଟ କାରଣ ଦର୍ଶାଇ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏଭଳି କ୍ଷେତ୍ରରେ ରିଭ୍ୟୁ କମିଟିର ବିଶେଷଜ୍ଞଙ୍କ ଦ୍ବାରା ସେହି ଆଧାରରେବନ୍ଧୁକ ନେବାର ନିଷ୍ପତ୍ତି ନିଆଯିବ।
ଇଟିଭି ଭାରତ, ଭୁବନେଶ୍ବର