ଭୁବନେଶ୍ବର: ଓଡିଶାରେ ଗଡିବ ଗ୍ରୀନ ହାଇଡ୍ରୋଜେନ ବସ । କମିବ ଡିଜେଲ ବସ ବ୍ୟବହାର , ଗଡିବ ସବୁଜ ହାଇଡ୍ରୋଜେନ ବସ । ଭୁବନେଶ୍ୱର, ପୁରୀ, କଟକ ଗଡିବ 3ଟି ବସ୍ । ଏନେଇ ଏନଟିପିସି ଓ ଗ୍ରୀଡ୍କୋ ସହ ଚୁକ୍ତି କଲା କ୍ରୁଟ । ହାଇଡ୍ରୋଜେନ ପ୍ରସ୍ତୁତ ପାଇଁ ସ୍ୱେରେଜ ୱାଟର ବ୍ୟବହାର ହେବ । ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ । ଖର୍ଚ୍ଚ କମ ସାଙ୍ଗକୁ ଏହା ହେବ ପରିବେଶ ଲାଗି ଉପଯୋଗୀ ।
ଗ୍ରୀନ ହାଇଡ୍ରୋଜେନ ବସ୍ ଚଳାଚଳ ନେଇ ଚୁକ୍ତି ସ୍ବାକ୍ଷର:
ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟ, ଶକ୍ତି ବିଭାଗର ଗ୍ରିଡ଼ କର୍ପୋରେସନ ଅଫ ଓଡ଼ିଶା ଲିମିଟେଡ଼ ବା ଗ୍ରିଡ଼କୋ ଏବଂ ଏନଟିପିସି ମଧ୍ୟରେ ଏକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି । ଗତକାଲି ଲୋକସେବା ଭବବନରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହେଦଓ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ତିରୁମାଲା ନାୟକ, ଏନଟିପିସିର ସିଜିଏମ ଡି ଏମ ଆର ପଣ୍ଡା, ଗ୍ରିଡକୋର ପରିଚାଳନା ନିର୍ଦେଶକ ତ୍ରିଲୋଚନ ପଣ୍ଡା ପ୍ରମୁଖ ରାଜିନାମାରେ ସ୍ବାକ୍ଷର କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ । ଆସନ୍ତା 5 ବର୍ଷ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ହାଇଡ୍ରୋଜେନ୍ ଚାଳିତ ବସର ସୁପରିଚାଳନା ଦାୟିତ୍ୱ କ୍ରୁଟକୁ ଦିଆଯାଇଛି । ଏନଟିପିସି ହାଇଡ୍ରୋଜେନ ଉତ୍ପାଦନ ଓ ଗ୍ରିଡ଼କୋ ଅକ୍ଷୟ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ ।
କମିବ ଡିଜେଲ ବସ ବ୍ୟବହାର , ଗଡିବ ସବୁଜ ହାଇଡ୍ରୋଜେନ ବସ:
ଜାତୀୟ ଗ୍ରୀନ ହାଇଡ୍ରୋଜେନ ମିଶନ ଅଧୀନରେ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ସବୁଜ ହାଇଡ୍ରୋଜେନ ବ୍ୟବହାର ପାଇଁ ପାଇଲଟ ପ୍ରୋଜେକ୍ଟର କାର୍ଯ୍ୟକାରୀ କରିବା ପାଇଁ ପ୍ରୋଜେକ୍ଟର ଗାଇଡଲାଇନ ଜାରି କରାଯାଇଛି । ଅଟୋମେଟିଭ ରିସର୍ଚ୍ଚ ଆସୋସିଏସନ ଅଫ ଇଣ୍ଡିଆ ଏହି ପାଇଲଟ ପ୍ରୋଜେକ୍ଟରେ 19.5 କୋଟି ଟଙ୍କା ବିନିଯୋଗ କରିଛି । ପ୍ରକଳ୍ପର ସଫଳ ରୂପାୟନ ପରେ ରାଜ୍ୟରେ ଡିଜେଲ ବସ ବ୍ୟବହାରକୁ ହ୍ରାସ କରି ଆଗାମୀ ଦିନରେ ସବୁଜ ହାଇଡ୍ରୋଜେନ ବସକୁ ଅଧିକ ସାମିଲ କରାଯିବ । ଯାହା ଦ୍ୱାରା କାର୍ବନ ନିର୍ଗମନ ହ୍ରାସ ଏବଂ ଜନ ପରିବହନ ଦିଗରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ସହାୟକ ହେବ ।
ଭୁବନେଶ୍ୱର, ପୁରୀ, କଟକରେ ଚାଲିବ 3ଟି ବସ୍:
ଗୋଟିଏ ବସର ଦାମ ଅଢେ଼ଇ କୋଟି ଟଙ୍କା:
ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ଗୋଟିଏ ବସର ଦାମ ପ୍ରାୟ ଅଢେ଼ଇ କୋଟି ଟଙ୍କା ଖର୍ଚ୍ଚ ପଡ଼ିବ । ବସର 58 କେଜି ଇନ୍ଧନ କ୍ଷମତା ରହିଛି । ଥରେ ହାଇଡ୍ରୋଜେନ ଟ୍ୟାଙ୍କ ଭର୍ତ୍ତି ହେଲେ 6 ଶହ କିମି ଯାଇ ପାରିବ ବସ । ଗୋଟିଏ ଅତ୍ୟାଧୁନିକ ବସରେ 42 ଜଣ ଯାତ୍ରା କରି ପାରିବେ । ଫିଲିଂ ଷ୍ଟେସନ ଭୁବନେଶ୍ୱରରେ ହେବ । ଏନ୍ଟିପିସି କ୍ରୁଟର ଗାଡ଼କଣ ଡ଼ିପୋରେ ହାଇଡ୍ରୋଜେନ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା କରିବ । କ୍ରୁଟ ଡ଼ିପୋରେ ପୁର୍ବରୁ ଥିବା ଇଟିପି ଏବଂ ଏସଟିପି ପ୍ଲାଣ୍ଟକୁ ବ୍ୟବହାର କରି ଏନଟିପିସି ହାଇଡ଼୍ରୋଜେନ ଗ୍ୟାସ ସୃଷ୍ଟି କରିବାରେ ସମର୍ଥ ହେବ । ଶକ୍ତି ବିଭାଗ ପକ୍ଷରୁ ଏନଟିପିସିକୁ 2 ଏକର ଜାଗା ଦେବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଅନୁରୋଧ କରାଯାଇଛି । ଗ୍ରିଡ଼କୋ ନିକଟସ୍ଥ ସବଷ୍ଟେସନକୁ 2 ମେଗାୱାଟ ବିଦ୍ୟୁତ ଯୋଗାଇବ ।
ବସର ପରିଚାଳନା ଦାୟିତ୍ବରେ ରହିବ କ୍ରୁଟ:
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, "ପ୍ରାଥମିକ ଭାବେ 3ଟି ଗ୍ରୀନ ହାଇଡ୍ରୋଜେନ ବସ ଓଡିଶାରେ ଚାଲିବ । ଏନଟିପିସି ଏହି 3ଟି ବସ ପ୍ରଦାନ କରିବା ସହ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ । ବସର ପରିଚାଳନା ଦାୟିତ୍ବରେ ରହିବ କ୍ରୁଟ । ଗ୍ରୀଡ଼କୋ ରକ୍ଷଣା ବେକ୍ଷଣ ଦାଇତ୍ୱ ତୁଲାଇବ । ପ୍ରଥମେ କଟକ, ଭୁବନେଶ୍ୱର ଓ ପୁରୀରେ ଏହି ବସ ଚାଲିବ । ପରବର୍ତ୍ତୀ ସମୟରେ ଆହୁରି ଅଧିକରୁ ଅଧିକ ଗ୍ରୀନ ହାଇଡ୍ରୋଜେନ ବସ ଚଳାଇବା ଲାଗି ଉଦ୍ୟମ କରିବେ । ଲୋକଙ୍କ ଲାଗି ଏହି ଗ୍ରୀନ ହାଇଡ୍ରୋଜେନ ବସ ଗ୍ରହଣୀୟ ହେବ । ଏହା ସହ ପରିବେଶ ଓ ଜୀବଜନ୍ତୁ ସୁରକ୍ଷିତ ରହିବେ ।
ପ୍ରଥମ ଯାତ୍ରା ଭୁବନେଶ୍ୱରରୁ ପୁରୀକୁ ହେବ:
ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, "ଅଗଷ୍ଟ 15ରେ ପ୍ରଥମ ଗ୍ରୀନ ହାଇଡ୍ରୋଜେନ ବସ ଚଳାଇବା ଲାଗି ଉଦ୍ୟମ କରୁଛୁ । ପ୍ରଥମ ଯାତ୍ରା ଭୁବନେଶ୍ୱରରୁ ମହାପ୍ରଭୁଙ୍କ ଧାମ ପୁରୀକୁ କରିବାକୁ ଯୋଜନା କରିବୁ । ଭୁବନେଶ୍ୱରର ଗାଡ଼କଣରେ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ ଲାଗି ବ୍ୟବସ୍ଥା ହୋଇଛି । ଗାଡ଼କଣରେ ବସ ରହିବା ସହ ଫିଲିଂ ମଧ୍ୟ ସେଠାରେ ହେବ । ବସର ଦାମ ପ୍ରାୟ 2ରୁ ଅଢେ଼ଇ କୋଟି ହେବ । ଏହି ପ୍ରୋଜେକ୍ଟ ଲାଗି ରାଜ୍ୟ ସରକାର 50 କୋଟି ଟଙ୍କା ପ୍ରାବଧାନ କରିଛନ୍ତି ।"
ହାଇଡ୍ରୋଜେନ ଦ୍ବାରା ପ୍ରଦୂଷଣ ହେବନାହିଁ:
ଏନଟିପିସି ଏଜିଏମ ପଣ୍ଡା କହିଛନ୍ତି, "ହାଇଡ୍ରୋଜେନ ହେଉଛି ନୂଆ ପେଟ୍ରୋଲ । ପୂର୍ବରୁ ହାଇଡ୍ରୋଜେନକୁ ସ୍ପେସ ଟେକ୍ନୋଲୋଜି ଭାବେ ବ୍ୟବହାର ହେଉଥିଲା । ଚନ୍ଦ୍ର ପୃଷ୍ଠକୁ ଆପୋଲକୁ ପଠାଇବା ଲାଗି ହାଇଡ୍ରୋଜେନ ବ୍ୟବହାର ହୋଇଥିଲା । ସେତେବେଳେ ଏହା ବହୁତ ଦାମ ଥିଲା । ବର୍ତ୍ତମାନ ଏହାର ଦାମ କମ ହୋଇଛି । ହାଇଡ୍ରୋଜେନକୁ ବ୍ୟବହାର କରି ଲଦାଖରେ ପ୍ରଥମେ ବସ ଚଳାଇ ଥିଲୁ । ସମୁଦ୍ରପୃଷ୍ଠରୁ 3550 କିମି ଉପରେ ଥିବା ଲଦାଖରେ ବାୟୁର ସାନ୍ଧ୍ରତା ବହୁତ କମ । ଯଦି ଲଦାଖରେ ହାଇଡ୍ରୋଜେନକୁ ଚାଲିପାରିବ, ତାହାଲେ ଦେଶର କୌଣସି ସ୍ଥାନରେ ଏହି ବସ ଚାଲି ପାରିବ । ଲଦାଖରେ ଆମେ ଯେଉଁ ପରୀକ୍ଷା କରିଥିଲୁ, ତାହା ସଫଳ ହୋଇଛି । ହାଇଡ୍ରୋଜେନ ବ୍ୟବହାର କଲେ ବାସ୍ଫ ବାହାରିବ, ଧୂଆଁ ବାହାରିବ ନାହିଁ । ଫଳରେ ପ୍ରଦୂଷଣ ହେବନାହିଁ ।"
ହାଇଡ୍ରୋଜେନ ବସ ଚାଲିଲେ ପେଟ୍ରୋଲ ଖର୍ଚ୍ଚ କମ ହେବ:
ସେ ଆହୁରି ମଧ୍ୟ କହିଛନ୍ତି, "ଇଭି ଚଳାଇବା ଲାଗି ବିଜୁଳି ଗ୍ରୀଡ଼ରୁ ଆସୁଛି । ବିଜୁଳି ଉତ୍ପାଦନ ଲାଗି କୋଲ, ଜଳ ଓ ଅନ୍ୟାନ୍ୟ ଜିନିଷର ବ୍ୟବହାର ହେଉଛି । ବର୍ତ୍ତମାନ ଡିଜାଇନ ହୋଇଥିବା ଇଭି ବସ ଥରେ ଚାର୍ଜ କଲେ 150 କିମି ଚାଲି ପାରିବ । ଏହା ପରେ ପୁନର୍ବାର ଚାର୍ଜ କରିବାକୁ ପଡିବ । ଚାର୍ଜ କରିବାକୁ ଘଣ୍ଟେରୁ 2 ଘଣ୍ଟା ସମୟ ମଧ୍ୟ ଲାଗିବ । ହାଇଡ୍ରୋଜେନ ବସର 58 କେଜି ଟ୍ୟାଙ୍କି କ୍ଷମତା । ଥରେ ଭର୍ତ୍ତି ହେଲେ 600 କିଲୋମିଟର ପର୍ଯ୍ୟନ୍ତ ଚାଲି ପାରିବ । ହାଇଡ୍ରୋଜେନ ବସ ଚାଲିଲେ ପେଟ୍ରୋଲ ଖର୍ଚ୍ଚ କମ ହେବ । ପ୍ରଚୁର ମାତ୍ରାରେ ଅକ୍ସିଜେନ ନିର୍ଗତ ହେବ । ପରିବେଶରୁ ଅଙ୍ଗାରକାମ୍ଳ ମାତ୍ରା କମିବ । ଶକ୍ତି ସମ୍ପଦ ବଞ୍ଚିବ । ସମୟ ମଧ୍ୟ ବଞ୍ଚିବ ।"
ଓଡ଼ିଶାରେ ଏହି ପ୍ରକଳ୍ପ ସବୁ ଦୃଷ୍ଟିରୁ ୟୁନିକ । ଖର୍ଚ୍ଚ କମ ଓ ପରିବେଶ ଲାଗି ଉପଯୋଗୀ । ଲଦାଖ ପ୍ରକଳ୍ପରେ ସିନ୍ଧୁ ନଦୀରୁ ଜଳ ଆଣି ଆମେ ବ୍ୟବହାର କରୁଛୁ । କିନ୍ତୁ ଓଡିଶାରେ ୱେଷ୍ଟ ୱାଟର ବା ନର୍ଦ୍ଦମା ପାଣିକୁ ବ୍ୟବହାର କରି ହାଇଡ୍ରୋଜେନ ଉତ୍ପାଦନ କରିବୁ । ଗାଡ଼କଣରେ ଥିବା କ୍ରୁଟର ଡିପୋରେ ବସ ଧୋଇବା ପରେ ନିର୍ଗତ ଜଳକୁ ବ୍ୟବହାର କରି ହାଇଡ୍ରୋଜେନ ଉତ୍ପାଦନ କରିବୁ । ଯେଉଁ ପାଣି ନଷ୍ଟ ହୋଇଥାନ୍ତା, ତାହାକୁ ଏଥିରେ ବ୍ୟବହାର କରିବୁ । ସେଥିପାଇଁ ସ୍ୱଚ୍ଛ ଜଳ ବ୍ୟବହାର କରିବୁ ନାହିଁ । ଏଭଳି ମଡେଲ ଆଉ କୌଣସି ଦେଶରେ ନାହିଁ । ଓଡିଶାରେ ହିଁ ହେବ । ଏହା ହେବା ପରେ ଅନ୍ୟମାନେ ଓଡିଶା ପ୍ରତି ଆକର୍ଷିତ ହେବେ । ହାଇଡ୍ରୋଜେନ ବା ଗ୍ରୀନ ଟେକ୍ନୋଲୋଜି ବ୍ୟବହାର କରି ପ୍ରକଳ୍ପ କଲେ, 30 ପ୍ରତିଶ୍ରୁତି ସବସିଡି ଓଡିଶା ସରକାର ପ୍ରଦାନ କରୁଛନ୍ତି । ଏହା ଆମକୁ ସହଯୋଗ କରିବ ।"
ଇଟିଭି ଭାରତ, ଭୁବନେଶ୍ବର