ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ହେବ । ଏନେଇ ଗତକାଲି(ବୁଧବାର) ଲୋକସେବା ଭବନ କନଭେନସନ୍ ସେଣ୍ଟର ସମ୍ମିଳନୀ କକ୍ଷରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର୍ କାର୍ତ୍ତିକେୟନ, ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାୟ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ଉପସ୍ଥିତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହେଉଥିବା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀକୁ ସଫଳ କରିବା ପାଇଁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ରହୁଥିବା ଓଡିଆ ଭାଇଭଉଣୀ ମାନଙ୍କ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର । ବିଭାଗୀୟ କମିଶନର ତଥା ଶାସନ ସଚିବ ସମ୍ମିଳନୀର ରୂପରେଖ, ଉଦ୍ଦେଶ୍ୟ ଓ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି । ସମ୍ମିଳନୀରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବିଦ୍ୱାନ ପଦ୍ମଶ୍ରୀ ପ୍ରଫେସର ହରମାନ କୁଲକେ, ପ୍ରଫେସର ଉୱେ ସ୍କୋଡା, ପ୍ରଫେସର ଆର୍ଲୋ ଗ୍ରିଫିଥସ୍, ପ୍ରଫେସର ଆଣ୍ଟେ ସ୍କିମେଡିଚେନ ଏବଂ ବହୁ ଜାତୀୟସ୍ତରର ବିଦ୍ୱାନ ଅଂଶଗ୍ରହଣ କରିବେ । ଓଡିଆ ଭାଷା ଏବଂ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ । ଏହାବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମ ପୁରସ୍କାର ବିଜେତା, ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ବ୍ୟକ୍ତି, କବୀର ସମ୍ମାନ ପୁରସ୍କାରପ୍ରାପ୍ତ, ରାଜ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରାଯାଉଛି । ସମ୍ମିଳନୀରେ ଓଡ଼ିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତ୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ ।
ପ୍ରଦର୍ଶନୀରେ ଓଡ଼ିଆ ଭାଷା ଏବଂ ଲିପିର ଉତ୍ପତ୍ତି ଓ ବିବର୍ତ୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର ପୋଥି, କଳିଙ୍ଗାଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡ଼ିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହେବ । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହେବ । ଓଡ଼ିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଙ୍ଗୀତ ପରମ୍ପରାଗୁଡ଼ିକ ପ୍ରଦର୍ଶିତ ହେବ । ପ୍ରିଣ୍ଟିଂ ପ୍ରେସର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଏବଂ ଫଟୋ ସହିତ ପ୍ରଦର୍ଶିତ ହେବ । ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ ହେବ । ବର୍ତ୍ତମାନର ଯୁଗ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ । ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱ ସହିତ ପାଦ ମିଳାଇ ଓଡ଼ିଆ ଭାଷା ଓ ସାହିତ୍ୟ ଭବିଷ୍ୟତର ଆହ୍ୱାନର ଯଥାର୍ଥ ମୁକାବିଲା କରିବ । ସମ୍ମିଳନୀ କେବଳ ଏହି ପ୍ରସଙ୍ଗରେ ବିଚାରବିମର୍ଶ କରିବ ନାହିଁ, ବରଂ ବୃହତ୍ତର ବିଶ୍ୱ ଆଡ଼କୁ ଓଡ଼ିଆ ଭାଷାର ପ୍ରଗତିକୁ ପ୍ରମାଣ କରିବ ।
ଓଡିଆ ଭର୍ଚୁଆଲ ଏକାଡେମୀ ପ୍ରଦର୍ଶନ, ଉଇକିପିଡ଼ିଆ ଏବଂ ଓଡ଼ିଆ ଫଣ୍ଟ୍ ସମ୍ପର୍କରେ ଆଲୋକପାତ କରିବ । ଓଡ଼ିଆ ଭାଷାର ଡିଜିଟାଲ୍ ଯୁଗ ଅଭିମୁଖେ ତା’ର ଯାତ୍ରାକୁ ପ୍ରଦର୍ଶିତ କରିବ । ୪ ଫେବୃଆରୀ ୨୦୨୪ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ସ୍କୁଲ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ମୋବାଇଲ ଲାଇବ୍ରେରୀ, ବସ ଏବଂ ମୋବାଇଲ ବୁକଆର୍ଟ ମାଧ୍ୟମରେ ଆସ ପଢ଼ିବାର ଏକ ଧାରଣା ପ୍ରଦର୍ଶିତ ହେବ । ଅତୀତର କୃତବିଦ୍ୟ ସାଧକମାନଙ୍କର ଅବଦାନକୁ ସ୍ମରଣକରି ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତି ଓ ତୈଳଚିତ୍ର ପ୍ରଦର୍ଶିତ ହେବ । ବିଶିଷ୍ଟ ବ୍ୟକ୍ତିବିଶେଷଙ୍କର ଓଡ଼ିଆ ଦସ୍ତଖତ ପ୍ରଦର୍ଶିତ ହେବ । ପ୍ରଦର୍ଶନୀକୁ ପିଲାମାନଙ୍କ ପାଇଁ ଅଧିକ ଚଳଚଞ୍ଚଳ କରିବାକୁ ଡାକ ପ୍ରକୋଷ୍ଠ ଏବଂ ସୂଚନା ଫଳକ ପ୍ରଦର୍ଶିତ ହେବ ।
ଏହା ମଧ୍ୟ ପଢ଼ନ୍ତୁ...ସମସ୍ତ ପୌରାଞ୍ଚଳରେ ପାଳନ ହେବ ଓଡ଼ିଆ ଭାଷା ସମ୍ମିଳନୀ
ଏକ ପୂର୍ଣ୍ଣାଙ୍ଗ ‘କୋଣାର୍କ ଅଶ୍ବ’ ପ୍ରତିମୂର୍ତ୍ତିକୁ ପ୍ରତୀକ ଭାବରେ କେନ୍ଦ୍ରୀୟ ସ୍ଥଳରେ ସ୍ଥାନିତ କରାଯିବ । ବୌଦ୍ଧିକ ଅଧିବେଶନ ଏବଂ ସମ୍ମିଳନୀ କାର୍ଯ୍ୟକ୍ରମଗୁଡିକ ଜୀବନ୍ତ ଭାବରେ ପ୍ରସାରିତ ହେବ । ଭୁବନେଶ୍ବରସ୍ଥିତ କିଟ୍ରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡିଆ ଚଳଚ୍ଚିତ୍ର ଏବଂ ଥିଏଟର ମହୋତ୍ସବ ସହିତ ଓଡ଼ିଆ ସିନେମା ଓ ମଞ୍ଚର ଭୂମିକା ଉପରେ ଏକ ଆଲୋଚନାଚକ୍ର ଆୟୋଜିତ ହେବ । ବିଡିଏ ଏବଂ ବିଏମ୍ସି ଦ୍ୱାରା ଭୁବନେଶ୍ୱରରେ ଏକାମ୍ର ଉତ୍ସବ ଆୟୋଜିତ ହେବ । ଉକ୍ତ ସମ୍ମିଳନୀ ଓଡିଶାର ଲୋକମାନଙ୍କର ଏକ ସାମୂହିକ ପର୍ବ ଅଟେ । ଏହି କାରଣରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ, ବିଶ୍ୱବିଦ୍ୟାଳୟ, କଲେଜ ଏବଂ ବିଦ୍ୟାଳୟସ୍ତରରେ ପ୍ରତିଯୋଗିତା ଆୟୋଜିତ ହୋଇଛି ।
ସମ୍ମିଳନୀ ସହିତ ସହଭାଗୀ ହେବା ପାଇଁ ଓଡିଆ ଭାଷା ଏବଂ ସାହିତ୍ୟିକ କାର୍ଯ୍ୟକଳାପରେ ଆଗ୍ରହୀ ଥିବା ସମସ୍ତ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଆୟୋଜନ କରାଯାଉଛି । ବ୍ଲକସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମଗୁଡ଼ିକ ପରିଚାଳିତ ହେବ । ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିତ୍ୱ ତଥା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ଗୁଡ଼ିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସମସ୍ତ ବିଭାଗ, ହିତାଧିକାରୀ, ସଙ୍ଗଠନ, ବ୍ୟକ୍ତି ଏବଂ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଫେବୃଆରୀ ୩ ତାରିଖ ତଥା ଉଦଘାଟାନୀ ଉତ୍ସବ ପୂର୍ବାହ୍ନ ୧୧.୩୦ ସମୟରେ ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଓଡିଆ ଭାଇଭଉଣୀମାନେ ଏକକାଳୀନ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର