ନୂଆପଡା: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ନୂଆପଡା ଜିଲ୍ଲା ଗରିବସେନା । ୨୦ ଦଫା ଦାବି ନେଇ ଆଜି ନୂଆପଡା ଜିଲ୍ଲା ଗରିବସେନା ପକ୍ଷରୁ ବିଶାଳ ମୋଟରସାଇକଲ ରାଲି କରାଯାଇଛି । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂଆପଡା ଜିଲ୍ଲାପାଳଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଗରିବସେନାର ଅଧ୍ୟକ୍ଷ ଯୁବନେତା ରବି ମଙ୍ଗରାଜଙ୍କ ନେତୃତ୍ବରେ ଏହି ଜନସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ରାଲିରେ ନୂଆପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ଭ୍ରମଣ କରାଯାଇଛି ।
ମୋଟରସାଇକଲ ରାଲି ସମୟରେ ଯୁବନେତା ରବି ମଙ୍ଗରାଜଙ୍କୁ ବିଭିନ୍ନ ଗାଁର ଅଭାବ ଅସୁବିଧା ସମ୍ପର୍କରେ ଲୋକ ଅବଗତ କରିଛନ୍ତି । ଅଞ୍ଚରେ ଦିନକୁ ଦିନ ଦୁର୍ନୀତି ଭ୍ରଷ୍ଟାଚାର ବଢି ଚାଲିଥିବା ବେଳେ ସାଧାରଣ ଗରିବ ଲୋକମାନେ ନ୍ୟାୟ ପାଇବାରେ ବଞ୍ଚିତ ରହୁଥିବା ଅଭିଯୋଗ କରାଯାଇଛି । ଏହାର ପ୍ରତିବାଦ ଓ ସମାଧାନ ଦିଗରେ ରାଜ୍ୟ ତଥା କେନ୍ଦ୍ର ସରକାର ଦୃଷ୍ଟି ଦେଉ ନଥିବା ମଧ୍ୟ କୁହାଯାଇଛି । ଆଗାମୀ ଦିନରେ ଉଭୟ ସରକାର ନୂଆପଡା ପ୍ରତି ତତ୍ପରତା ଦେଖାଇ କାମ ନକଲେ ଜିଲ୍ଲା ବ୍ୟାପି ଗରିବସେନା ଆନ୍ଦୋଳନ କରିବ ବୋଲି କହିଛନ୍ତି । ଏହା ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଧାୟକ, ସାଂସଦ ପ୍ରତିନିଧି ମାନଙ୍କୁ ଅସହଯୋଗ କରି ନିର୍ବାଚନରେ ପରାଜୟ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.... କାର୍ଯ୍ୟବନ୍ଦ ଆନ୍ଦୋଳନରେ ଭୀମସାର ମେଡିକାଲ ଡାକ୍ତରୀ ଛାତ୍ରଛାତ୍ରୀ, ରୋଗୀ ସେବା ପ୍ରଭାବିତ
ପ୍ରମୁଖ ଦାବି ଗୁଡିକ ମଧ୍ୟରୁ ନୂଆପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସରକାର ସ୍ବତନ୍ତ୍ର ନୂଆପଡା ବିକାଶ ପରିଷଦ ଗଠନ, ପ୍ରତିବର୍ଷ ଏକ ହଜାର କୋଟି ଆର୍ଥିକ ପାଣ୍ଠି ପ୍ରଦାନ, କୃଷକର ବିକାଶ କରିବା ସହିତ ଧାନର ସର୍ବନିମ୍ନ MSP କୁଇଣ୍ଟାଲ ପ୍ରତି 5000 ଟଙ୍କା କରାଯିବା, ଦାଦନ ଶ୍ରମିକଙ୍କୁ ନିଜ ଜିଲ୍ଲାରେ କାମ ଯୋଗାଇ ଦେଇ ଜିଲ୍ଲାକୁ ଦାଦନ ମୁକ୍ତ କରିବା, ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ସହ ମହିଳାଙ୍କୁ ସୁରକ୍ଷା ଯୋଗାଇବା, ଜିଲ୍ଲାରେ କୃଷି ଭିର୍ତ୍ତିକ ଶିଳ୍ପ ପ୍ରତିଷ୍ଠାନ ସାଙ୍ଗକୁ କୃଷକଙ୍କୁ ବିଜୁଳି ଛାଡ଼ କରି ଋଣ ଛାଡ, OBCଙ୍କ 27% ନିଯୁକ୍ତି ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂଗ୍ରକ୍ଷଣ, ବୃଦ୍ଧ ବୃଦ୍ଧା ମାନଙ୍କ ଭତ୍ତାକୁ ମାସିକ 3ହଜାର କରିବା, ଆବାସ ଗୃହ ଯୋଜନା ସହାୟତା ଟଙ୍କାକୁ ବୃଦ୍ଧି, ଜିଲ୍ଲାରେ ସୁପର ସ୍ପେଶାଳୀଷ୍ଟ ହସ୍ପିଟାଲ ଘୋଷଣା ଭଳି ଦାବି କରାଯାଇଛି । ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାର ଦୀର୍ଘ ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଦାବିପତ୍ର ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।
ଇଟିଭି ଭାରତ, ନୂଆପଡା